21.1 C
Bhubaneswar
Sunday, December 21, 2025
Homeଓଡିଶାବନ୍ୟାରେ ବେହାଲ ଉତ୍ତର ଓଡ଼ିଶା

ବନ୍ୟାରେ ବେହାଲ ଉତ୍ତର ଓଡ଼ିଶା

ବାଲେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ବାଲେଶ୍ୱର ଜିଲ୍ଲାରେ ପ୍ରବାହିତ ନଦୀ ଗୁଡିକରେ ବନ୍ୟା ପରିସ୍ଥିତି ଲାଗି ରହିଛି । ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ବ୍ଲକରେ ବନ୍ୟା ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ଉଦ୍‌ବେଗଜନକ ରହିଛି। ଜୀବନ ହାନି ହୋଇ ନ ଥିଲେବି ଏହି ଚାରିଟି ବ୍ଲକରେ ଧନ ସମ୍ପତ୍ତି ଓ ଫସଲ କ୍ଷତିଗ୍ରସ୍ତ ହେବାର ବହୁତ୍‌ ଆଶଙ୍କା ରହିଛି। ଚଳିତ ବନ୍ୟାରେ ଉତ୍ତର ବାଲେଶ୍ୱରର ଚାରିଟି ବ୍ଲକ ସମେତ ସଦର ଓ ରେମୁଣା ବ୍ଲକର ପ୍ରାୟ ୮ ହଜାର ହେକ୍ଟର ଚାଷ ଜମିକୁ ବନ୍ୟାଜଳ ବୁଡ଼ାଇ ରଖିଛି। ଏହାବାଦ ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ୱର ବ୍ଲକର ୩୫ରୁ ଉର୍ଦ୍ଧ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି। ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ ଦୁଇ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ଏତଦବ୍ୟତୀତ ବନ୍ୟା ଜଳରେ ଅଧିକ ପ୍ରଭାବିତ ହେଇଥିବା ଗ୍ରାମ ଗୁଡିକରୁ ବିପନ୍ନ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ୮ଟି ଫାୟାର ଟିମ, ତିନୋଟି ଓଡ୍ରାଫ ଟିମ, ଗୋଟିଏ ଏନ୍‌ଡ଼ିଆରଏଫ ଟିମ ନିୟୋଜିତ ଅଛନ୍ତି। ବିଭିନ୍ନ ବିଭାଗୀୟ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବିଶେଷକରି ଉପର ମୁଣ୍ଡରେ ବର୍ଷା ଅଧିକ ହେବାରୁ ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳ ସ୍ତର ବିପଦ ସଂକେତକୁ ଅତିକ୍ରମ କରି ଭୋଗରାଇ, ଜଳେଶ୍ୱର, ବସ୍ତା ଓ ବାଲିଆପାଳ ବ୍ଲକର ଗାଁ ଗଣ୍ଡାରେ ବନ୍ୟା ଜଳ ପଶି ଢେଉ ମାରୁଛି। ପୂର୍ଣ୍ଣିମା ଥିବା ଯୋଗୁ ସମୁଦ୍ର ଜୁଆର ବନ୍ୟା ଜଳକୁ ନିଷ୍କାସିତ ହେବାକୁ ଦେଉନାହିଁ। ସେହିଭଳି ବୁଢ଼ାବଳଙ୍ଗ, ସୋନ ଓ ଗଙ୍ଗାହାର ନଦୀର ଜଳସ୍ତର ବିପଦ ସଂକେତ ତଳେ ଥିଲେ ବି, ହୁଗୁଳା ନଦୀବନ୍ଧକୁ ଭାଙ୍ଗି ବନ୍ୟା ଜଳ ସଦର ଓ ରେମୁଣା ବ୍ଲକର ନଦୀ କୁଳିଆ ଅଞ୍ଚଳର ଚାଷଜମିକୁ ତିନିଦିନ ହେଲା ବୁଡାଇ ରଖିଛି। ବୁଧବାର ରାତି ଆଠଟାରେ ମିଳିଥିବା ରିପୋର୍ଟରୁ ଜଣାଯାଇଛି, ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ୧୦.୩୬କୁ ଅତିକ୍ରମ କରି ବର୍ତ୍ତମାନ ୧୧.୩୭ମିଟର ରହିଛି। ସେହିଭଳି ଜଳକା ନଦୀର ଜଳ ସ୍ତର ୬.୫୦ମିକୁ ଅତିକ୍ରମ କରି ବର୍ତ୍ତମାନ ୬.୫୪ମିଟର ଉଚ୍ଚରେ ପ୍ରବାହିତ ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking