ପାଟନା: ଆଜିଠୁ ବିହାରରେ ପୁଣି ନୀତିଶ ଯୁଗ। ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର। ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ପାଟନା ଗାନ୍ଧୀ ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥି ସହିତ ବିଶାଳ ଜନସମାଗମ ଦେଖାଦେଇଥିଲା। ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ,ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ଇଣ୍ଡି ମେଣ୍ଟ ଏକପାଖିଆ ବିଜେତା ହୋଇଛି । ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ଏନଡିଏର ୨୦୨ ସଦସ୍ୟ ରହିଛନ୍ତି। ବିଜେପି ସର୍ବାଧିକ ୮୯ ଆସନ ପାଇଥିବାବେଳେ ଜେଡିୟୁ ୮୫, ଏଲଜେପି୍(ଆର) ୧୯, ହାମ ୫ ଓ ଆରଏଲଏମ ୪ ଆସନ ହାସଲ କରିଥିଲେ।
ନୀତୀଶ ୨୦୦୦ ମସିହାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ପରବର୍ତ୍ତୀ ସମୟରେ ସେ ଭାରତୀୟ ଜନତା ପାର୍ଟିର ସମର୍ଥନରେ ୨୦୦୫ ରୁ ୨୦୧୦ ଏବଂ ୨୦୧୦ରୁ -୨୦୧୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୨୦୧୪ ଲୋକସଭା ନିର୍ବାଚନ ପରେ ସେ ଇସ୍ତଫା ଦେଇଥିଲେ ପରେ ଜିତନ ରାମ ମାଞ୍ଝି ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ନୀତିଶ ୨୦୧୫ ମସିହାରେ ରାଷ୍ଟ୍ରୀୟ ଜନତା ଦଳ, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଏବଂ କଂଗ୍ରେସର ସମର୍ଥନରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୫ ନିର୍ବାଚନରେ ଆରଜେଡି ୭୧ଟି ଆସନ ଜିତିଥିଲା ବେଳେ ଜେଡିୟୁ ୮୦ଟି ଆସନ ଜିତିଥିଲା। ଏହି ସରକାରରେ ତେଜସ୍ୱୀ ଯାଦବ ପ୍ରଥମ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ତା’ପରେ, ୨୦୧୭ ମସିହାରେ, ଯେତେବେଳେ ତେଜସ୍ୱୀଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆଣାଗଲା, ନୀତିଶ କୁମାର ତାଙ୍କୁ ଇସ୍ତଫା ଦେବାକୁ ଅନୁରୋଧ କଲେ, କିନ୍ତୁ ଆରଜେଡି ମନା କରିଦେଇଥିଲା ।
ନୀତିଶ କୁମାର ତୁରନ୍ତ ଇସ୍ତଫା ଦେଲେ ଏବଂ କିଛି ଘଣ୍ଟା ମଧ୍ୟରେ ବିଜେପି ସହିତ ପୁଣି ଥରେ ଏନଡିଏ ସରକାର ଗଠନ କଲେ । ୨୦୨୦ ନିର୍ବାଚନରେ, ସେ ଏନଡିଏର ସମର୍ଥନରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୨୨ ମସିହାରେ ସେ ଇସ୍ତଫା ଦେଇ ଆରଜେଡି ସହିତ ଏକ ନୂତନ ସରକାର ଗଠନ କରିଥିଲେ। ଏହି ସରକାର ୨୦୨୪ ପର୍ଯ୍ୟନ୍ତ ଚାଲିଥିଲା। ଜାନୁଆରୀ ୨୦୨୪ରେ, ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେହି ଦିନ, ସେ ଏନଡିଏରେ ପୁନର୍ବାର ଯୋଗ ଦେଇଥିଲେ ଏବଂ ୯ମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ସବୁ କଳ୍ପନା ଜଳ୍ପନା ର ଶେଷ ହୋଇ ନୀତିଶ କୁମାର ରାଜ୍ୟର ଦଶମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ।










