21.1 C
Bhubaneswar
Wednesday, November 20, 2024
Homeଓଡିଶାନିରାମୟ କେନ୍ଦ୍ର ୨୪ ଘଣ୍ଟା ଖୋଲା ରଖିବାକୁ ନିର୍ଦ୍ଦେଶ

ନିରାମୟ କେନ୍ଦ୍ର ୨୪ ଘଣ୍ଟା ଖୋଲା ରଖିବାକୁ ନିର୍ଦ୍ଦେଶ

*ରାଜ୍ୟ ଔଷଧ ନିଗମ ସଂପର୍କରେ ମନ୍ତ୍ରୀ ଡା. ମହାପାତ୍ରଙ୍କ ସମୀକ୍ଷା*

*ପିଆର୍‌ଏମ୍‌ ମେଡିକାଲ କଲେଜକୁ ସ୍ୱୟଂସଂପୂର୍ଣ୍ଣ କରାଯିବା ଉପରେ ଗୁରୁତ୍ୱ*

ଭୁବନେଶ୍ୱର : ଗୃହନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ପୂର୍ବାହ୍ନରେ ଖାରବେଳ ଭବନରେ ଓଡ଼ିଶା ରାଜ୍ୟ ଔଷଧ ନିଗମ ବାବଦରେ ବିସ୍ତୃତ ସମୀକ୍ଷା କରିଛନ୍ତି । ଠିକ୍‌ ସମୟରେ ଔଷଧ କ୍ରୟ ଓ ବିତରଣକୁ ତ୍ୱରାନ୍ୱିତ କରି ସାଧାରଣ ରୋଗୀଙ୍କ ପାଖରେ ଆବଶ୍ୟକତା ଅନୁସାରେ ଔଷଧ ପହଞ୍ଚାଇବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସରକାରୀ ହସ୍‌ପିଟାଲଗୁଡ଼ିକରେ ଥିବା ‘ନିରାମୟ’ କେନ୍ଦ୍ରଗୁଡ଼ିକୁ ୨୪ ଘଣ୍ଟା ଖୋଲା ରଖିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଆଗାମୀ ଦିନରେ ଆବଶ୍ୟକୀୟ ସଂଖ୍ୟକ କର୍ମଚାରୀ ନିୟୋଜିତ କରି ନିଗମର କାର୍ଯ୍ୟଧାରାକୁ ପୁଷ୍ଟ କରିବା ପାଇଁ ମନ୍ତ୍ରୀ ଡା. ମହାପାତ୍ର ପରାମର୍ଶ ଦେଇଥିଲେ । ଅନୁରୂପ ଭାବରେ ବାରିପଦାରେ ସ୍ଥାପିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ୱୟଂସଂପୂର୍ଣ୍ଣ କରିବା ନିମନ୍ତେ ପଦକ୍ଷେପ ନେବାକୁ ମନ୍ତ୍ରୀ କହିଥିଲେ । କଲେଜକୁ ସମସ୍ତ ଆବଶ୍ୟକୀୟ ଚିକିତ୍ସା ଉପକରଣ, ଶଯ୍ୟା ତଥା ଅନୁଷଙ୍ଗିକ ସୁବିଧାସୁଯୋଗ ଉପଲବ୍ଧ କରାଇବା ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ ସେହି ସ୍ୱାସ୍ଥ୍ୟାନୁଷ୍ଠାନକୁ ଅତ୍ୟନ୍ତ ପ୍ରଭାବୀ ଢଙ୍ଗରେ ପରିଚାଳନା କରିବା ନିମନ୍ତେ ନିଗମ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୟୂରଭଞ୍ଜ ତଥା ଆଖପାଖ ଅଞ୍ଚଳର ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ତୁରନ୍ତ ଆସନ୍ତା ଜାନୁଆରୀରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଜିଲ୍ଲା ଚିକିତ୍ସାଳୟଠାରୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ତଥା ରାଜ୍ୟରେ ଥିବା ସମସ୍ତ ସରକାରୀ ମେଡ଼ିକାଲ କଲେଜଗୁଡ଼ିକ ନିମନ୍ତେ ଔଷଧ ସାମଗ୍ରୀ ଏବଂ ଡାକ୍ତରୀ ଯନ୍ତ୍ରପାତି କ୍ରୟ ତଥା ବିତରଣ ବ୍ୟବସ୍ଥା ନେଇ ନିଗମର ପରିଚାଳନା ନିର୍ଦ୍ଦେଶିକା ଡା. ପୁମା ଟୁଡ଼ୁ ତଥ୍ୟ ଉପସ୍ଥାପନ କରିଥିଲେ । କୋଭିଡ୍‌ ତଥା ପରବର୍ତ୍ତୀ ସମୟରେ ସମସ୍ତ ସରକାରୀ ଚିକିତ୍ସାଳୟରେ ରୋଗୀମାନଙ୍କ ପାଇଁ ଔଷଧ ପହଞ୍ଚାଇବା କାର୍ଯ୍ୟ ନିଗମ ଜାରି ରଖିଛି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଖୁସି, ସଂପୂର୍ଣ୍ଣା ଓ ଔଷଧଯୁକ୍ତ ମଶାରୀ ବଣ୍ଟନ ପରି ଯୋଜନାଗୁଡ଼ିକର ସଫଳ ରୂପାୟନ ଦିଗରେ ନିଗମ ଦକ୍ଷତାର ସହିତ କାର୍ଯ୍ୟ ସଂପନ୍ନ କରୁଛି ବୋଲି ସେ ଦର୍ଶାଇଥିଲେ ।
ଏହି ସମୀକ୍ଷା ବୈଠକରେ ସାଧାରଣ ଉଦ୍ୟୋଗ ବିଭାଗର ଶାସନ ସଚିବ ଟି. ଆଓ, ସ୍ୱତନ୍ତ୍ର ଶାସନ ସଚିବ ନିହାର ରଞ୍ଜନ ଦାଶ, ଡିଏମ୍‌ଇଟି ପ୍ରଫେସର ସନ୍ତୋଷ ମିଶ୍ରଙ୍କ ସମେତ ନିଗମ ଓ ସାଧାରଣ ଉଦ୍ୟୋଗ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking