27.1 C
Bhubaneswar
Friday, December 19, 2025
Homeଓଡିଶାପରିଚାଳନା କମିଟିରେ ନୂଆ ଏସ୍‌ଓପି ଅନୁମୋଦିତ

ପରିଚାଳନା କମିଟିରେ ନୂଆ ଏସ୍‌ଓପି ଅନୁମୋଦିତ

ପୁରୀ: ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ନୂଆ ଏସଓପିକୁ ଆଜି ଅନୁମୋଦନ କଲା ଶ୍ରୀମନ୍ଦିର ପରିଚାଳନା କମିଟି । ରାଜ୍ୟ ସରକାରଙ୍କ ଅନୁମତି ପରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯାଇ ରତ୍ନଭଣ୍ଡାର ଯାଞ୍ଚ କରାଯିବ । ଶ୍ରୀମନ୍ଦିର ଅଧିନରେ ଥିବା ଜମିର କିଣାବିକା ନେଇ ଶ୍ରୀମନ୍ଦିର ଜମି ପରିଚାଳନା ନିୟମ ୨୦୨୪ ର ସ୍ୱତନ୍ତ୍ର ଡ୍ରାଫ୍ଟ ପ୍ରସ୍ତୁତ ହୋଇଥିବା ବେଳେ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ଏଣିକି ଶ୍ରୀମନ୍ଦିରରେ କର୍ମଚାରୀ ନିୟୋଜନ କାର୍ଯ୍ୟ ଅଧିକୃତ ସରକାରୀ ସଂସ୍ଥା ଦ୍ୱାରା କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଅର୍ପଣ ଚାଉଳ ବିନିଯୋଗ ଓ ଖଣି ଖାଦାନର ସୁରକ୍ଷା ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଥିଲା ।
ଏ ସଂପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅତ୍ୟାଧୁନିକ ବୈଜ୍ଞାନିକ ଉପାୟରେ ଯାଞ୍ଚ ନେଇ ନୂଆ ଏସଓପିକୁ ଅନୁମୋଦନ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି । ରାଜ୍ୟ ସରକାରଙ୍କ ଅନୁମତି ପରେ ଏଏସ୍‌ଆଇ ଅତ୍ୟାଧିନିକ ବ୍ୟବସ୍ଥା ବ୍ୟବହାର କରି ରତ୍ନଭଣ୍ଡାର ଗୃହର ଯାଞ୍ଚ କରିବ । ଏଥିପାଇଁ ବୈଷୟିକ ଓ ବିଶେଷଜ୍ଞମାନଙ୍କ ସହାୟତା ନିଆଯାଇ ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ଯାଞ୍ଚ ସହ ମରାମତି କରାଯିବ । ସେହିପରି ଭିତର ଭଣ୍ଡାର ଘରେ ଥିବା ସିନ୍ଦୁକ ଓ ଆଲମାରୀ ଗୁଡିକୁ ନିଳାଦ୍ରୀ ମ୍ୟୁଜିୟମକୁ ସ୍ଥାନାନ୍ତର ନେଇ ସ୍ୱତନ୍ତ୍ର ଏସ୍‌ଓପି ପ୍ରସ୍ତୁତ କରାଯାଇଛି । ଶ୍ରୀମନ୍ଦିର ଅଧିନରେ ଥିବା ଜମିଜମା ଗୁଡିକର କିଣାବିକା ନେଇ ପ୍ରସ୍ତୁତ ହୋଇଥିବା ଶ୍ରୀମନ୍ଦିର ଜମି ପରିଚାଳନା ନିୟମ ୨୦୨୪ର ଚିଠା ପ୍ରସ୍ତାବ ଅନୁମୋଦନ ହୋଇଅଛି । ଜମି ବିକ୍ରୟ କାର୍ଯ୍ୟର ସୁପରିଚାଳନା ନେଇ ପ୍ରସ୍ତୁତ ହୋଇଥିବା ଏହି ଚିଠା ପ୍ରସ୍ତାବ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ କାର୍ଯ୍ୟକାରୀ କରାଯିବ । ସେହିପରି ଭକ୍ତଙ୍କ ବ୍ୟବହାର ପାଇଁ ଉଦ୍ଧିଷ୍ଟ ୩୫ଟି ବ୍ୟାଟେରୀ ଚାଳିତ ବସ ଖତ ଖାଉଥିବା ବେଳେ ଏହାର ପରିଚାଳନା ନେଇ ସରକାରଙ୍କ ଅଧିକୃତ ସଂସ୍ଥାକୁ ଦାୟିତ୍ୱ ଦିଆଯିବ ନେଇ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଥିଲେ ।
ଏଣିକି ଶ୍ରୀମନ୍ଦିର କର୍ମଚାରୀ ନିୟୋଜନ ପାଇଁ ରାଜ୍ୟ ସରକାରଙ୍କ ଅଧିକୃତ ସଂସ୍ଥା ଦ୍ୱାରା କରାଯିବାକୁ ନିଷ୍ପତ୍ତି ହୋଇଅଛି । ପୂର୍ବରୁ କର୍ମଚାରୀ ନିୟୋଜନ କାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ହୋଇ ଆସୁଥିବା ବେଳେ ସ୍ୱଚ୍ଛତା ଆଣିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ସେହିପରି ଗଛିତ ରହିଥିବା ଅର୍ପଣ ଚାଉଳ ବିନିଯୋଗ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ସମ୍ପୃକ୍ତ ନିଯୋଗ ସହ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବେ । ଖଣି ଖାଦାନର ନିୟମ ପରିବର୍ତ୍ତନ ହୋଇଥିବାରୁ ଏହାର ନିଲାମ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ କରିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟପକ୍ଷରେ ସିଂହଦ୍ୱାର ଥାନାକୁ ମଡେଲ ଥାନା କରିବା ପାଇଁ ସ୍ୱତନ୍ତ୍ର ଜାଗା ଓ ଭିତ୍ତିଭୂମି ଯୋଗାଇବାକୁ ଏସ୍ପିଙ୍କ ପ୍ରସ୍ତାବ ନେଇ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଭର୍ଚୁଆଲରେ ରହି ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ପିନାକ ମିଶ୍ରଙ୍କ ସହ ପରିଚାଳନା କମିଟିର ସମସ୍ତ ସଦସ୍ୟ ଭାଗ ନେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking