34.1 C
Bhubaneswar
Friday, March 20, 2026
Homeଦେଶ ବିଦେଶଆମେରିକାରେ ରହୁଥିବା ଭାରତୀୟଙ୍କ ପାଇଁ ନୂଆ ନୀତି

ଆମେରିକାରେ ରହୁଥିବା ଭାରତୀୟଙ୍କ ପାଇଁ ନୂଆ ନୀତି

ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ଏବଂ କାମ କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ଘରକୁ ଟଙ୍କା ପଠାଇବା (ରେମିଟାନ୍ସ) ମହଙ୍ଗା ହୋଇପାରେ। କାରଣ ଆମେରିକାର ଟ୍ରମ୍ପ ସରକାର ଏହି ଟଙ୍କା ପଠାଇବା ଉପରେ ୫% ଟିକସ ଲଗାଇବାକୁ ଯୋଜନା କରୁଛନ୍ତି। ଆମେରିକାର ହାଉସ ବଜେଟ୍ କମିଟି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଏକ ବଡ଼ ସୁନ୍ଦର ବିଲ୍ ଆଇନ’କୁ ଆଗକୁ ବଢ଼ାଇବା ପାଇଁ ଭୋଟ୍ ଦେଇଛି, ଯାହା ଆମେରିକାରେ ରହୁଥିବା ହଜାର ହଜାର ଭାରତୀୟ ବାସିନ୍ଦା ଏବଂ ଅଣ-ଆବାସିକ ଭାରତୀୟ (ଏନ୍‌ଆର୍‌ଆଇ)ଙ୍କ ପାଇଁ ଘରକୁ ଟଙ୍କା ପଠାଇବା ମହଙ୍ଗା କରିବ।ମେ’ ୧୨ରେ ଆମେରିକାର ପ୍ରତିନିଧି ସଭାରେ ଆଗତ ‘ଦି ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍’ ଅଣ-ପ୍ରବାସୀ ଭିସା ଧାରକ (ଯେପରିକି ଏଚ୍‌-୧ବି) ଏବଂ ଗ୍ରୀନ୍ କାର୍ଡ ଧାରକଙ୍କ ସମେତ ଅଣ-ଆମେରିକୀୟ ନାଗରିକଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଆନ୍ତର୍ଜାତୀୟ ଟଙ୍କା ସ୍ଥାନାନ୍ତର ଉପରେ ୫ପ୍ରତିଶତ ଟିକସ ପ୍ରସ୍ତାବ ଦେଇଛି। ଯଦି ଏହା ପାରିତ ହୁଏ, ତେବେ ଟଙ୍କା ସ୍ଥାନାନ୍ତର ସମୟରେ ମୋଟ ପରିମାଣର ୫ ପ୍ରତିଶତ ସ୍ଥଗିତ ରହିବ।

ଏହା ଉପରେ କୌଣସି ଛାଡ଼ ସୀମା ସ୍ଥିର କରାଯାଇ ନାହିଁ, ଅର୍ଥାତ୍ ଏହା ଛୋଟ ମୂଲ୍ୟର ସ୍ଥାନାନ୍ତର ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଆମେରିକୀୟ ନାଗରିକଙ୍କୁ ଏହି ଟିକସ ଦେବାକୁ ପଡ଼ିବ ନାହିଁ। ବ୍ୟାଙ୍କ ଏବଂ ଟଙ୍କା ପଠାଉଥିବା କମ୍ପାନୀ ପ୍ରତି ତିନି ମାସରେ ଟିକସ ସଂଗ୍ରହ କରି ଆମେରିକା ସରକାରଙ୍କୁ ପଠାଇବେ। ଏହା ଦ୍ବାରା ଆମେରିକାରେ ରହୁଥିବା ୫୨ ଲକ୍ଷ ଭାରତୀୟ ଆର୍ଥିକ ପ୍ରଭାବିତ ହେବେ। ମାର୍ଚ୍ଚରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଦ୍ୱାରା ପ୍ରକାଶିତ ଏକ ରେମିଟାନ୍ସ ସର୍ଭେ ଅନୁଯାୟୀ ୨୦୨୩-୨୪ରେ ବିଦେଶରେ ରହୁଥିବା ଭାରତୀୟ ଦେଶକୁ ମୋଟ ୧୧୮.୭ ବିଲିୟନ ଡଲାର ପଠାଇଥିବାବେଳେ ସେଥିରୁ ୨୮ ପ୍ରତିଶତ (୩୨ ବିଲିୟନ ଡଲାର) କେବଳ ଆମେରିକାରୁ ଆସିଥିଲା। ବାଣିଜ୍ୟ ଥିଙ୍କ୍ ଟ୍ୟାଙ୍କ ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍(ଜିଟିଆର୍‌ଆଇ)ର ରିପୋର୍ଟ ଅନୁଯାୟୀ; ଆମେରିକାରେ ପ୍ରସ୍ତାବିତ ବିଲ୍‌ ପାରିତ ହେଲେ ଭାରତୀୟ ପରିବାର ଏବଂ ଦେଶର ମୁଦ୍ରା ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ। ଫଳରେ ଭାରତ ବାର୍ଷିକ ୧୨ ବିଲିୟନ ଡଲାରରୁ ୧୮ ବିଲିୟନ ଡଲାର ପର୍ଯ୍ୟନ୍ତ ବିଦେଶୀ ମୁଦ୍ରା ପ୍ରବାହ ହରାଇପାରେ।

ଏହି ହ୍ରାସ ଭାରତର ବୈଦେଶିକ ମୁଦ୍ରା ବଜାରରେ ଡଲାର ଯୋଗାଣ ହ୍ରାସ କରିବ ଏବଂ ପ୍ରତି ଡଲାର ତୁଳନାରେ ଟଙ୍କା ମୂଲ୍ୟ ୧ରୁ ୧.୫ ଟଙ୍କା ଦୁର୍ବଳ ହୋଇପାରେ। ଏହି ପ୍ରଭାବ ବିଶେଷକରି କେରଳ, ଉତ୍ତର ପ୍ରଦେଶ ଏବଂ ବିହାର ଭଳି ରାଜ୍ୟରେ ଅଧିକ ଅନୁଭୂତ ହେବ। କାରଣ ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଗୃହ ପରି ମୌଳିକ ଆବଶ୍ୟକତା ପାଇଁ ଲକ୍ଷ ଲକ୍ଷ ପରିବାର ରେମିଟାନ୍ସ ଉପରେ ନିର୍ଭର କରନ୍ତି। ଏହି ପାଣ୍ଠି ହ୍ରାସ ଘରୋଇ ଖର୍ଚ୍ଚକୁ ମଧ୍ୟ ହ୍ରାସ କରିପାରେ। ରେମିଟାନ୍ସ ଉପରେ କର ଲଗାଇ ଆମେରିକା ଗରିବ ଦେଶର ଅନେକ ପରିବାର ପାଇଁ ଆୟର ଏକ ପ୍ରମୁଖ ଉତ୍ସକୁ ହ୍ରାସ କରିପାରେ। ଫଳରେ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଇବ। ରେମିଟାନ୍ସ ଉପରେ ଅତ୍ୟଧିକ ନିର୍ଭର କରୁଥିବା ଏଲ୍ ସାଲଭାଡୋର ଏବଂ ମେକ୍ସିକୋ ପରି ଅନ୍ୟ ଦେଶ ଏହାଦ୍ବାରା ବିଶେଷ ପ୍ରଭାବିତ ହେବେ। ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ ଏହି ଯୋଜନାକୁ ଅଗ୍ରହଣୀୟ କହିବା ସହ ବିଦେଶୀ ଶ୍ରମିକଙ୍କ ଉପରେ ଆମେରିକା ସରକାର ଦୁଇଥର ଟିକସ ଲଗାଇଛନ୍ତି ବୋଲି କହିଛନ୍ତି। କାରଣ ଟଙ୍କା ଆୟ ଉପରେ ମଧ୍ୟ ସେମାନେ ଆମେରିକାରେ ଟିକସ ଦିଅନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking