ଜେରୁଜେଲମ୍: ଲେବାନନ୍ର ହିଜବୁଲ୍ଲାହ ଉଗ୍ରବାଦୀ ସଂଗଠନ ପକ୍ଷରୁ ୩୦୦ରୁ ଊର୍ଦ୍ଧ୍ୱ ରକେଟ୍ ଆକ୍ରମଣ ପରେ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି । ନେତାନ୍ୟାହୁ କହିଛନ୍ତି, ହିଜବୁଲ୍ଳାହର ଏହି ଆକ୍ରମଣର ପ୍ରତିଶୋଧ ନିଆଯିବ । ଏହି ପରିପ୍ରେକ୍ଷୀରେ ନେତାନ୍ୟାହୁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଛନ୍ତି ।
ଏଥିରେ ସୀମାବର୍ତ୍ତୀ ଅଞ୍ଚଳରୁ ଜନସାଧାରଣଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର ଠାରୁ ଆରମ୍ଭ କରି ପ୍ରତିଆକ୍ରମଣକୁ ଜୋରଦାର କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷେ ଇସ୍ରାଏଲ ଉପରେ ହିଜବୁଲ୍ଲାହ ପକ୍ଷରୁ ହୋଇଥିବା ଆକ୍ରମଣ ସମ୍ପର୍କରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଖାମେନେଇ ଏକ ବଡ଼ ବୟାନ ଦେଇଛନ୍ତି । ଆୟାତୋଲ୍ଲା ଖାମେନି କହିଛନ୍ତି ଯେ ଏହା ଏକ କେବେ ଶେଷ ନ ହେଉଥିବା ଯୁଦ୍ଧ । ଅର୍ଥାତ ଲମ୍ବା ସମୟ ପାଇଁ ଚାଲିବ ଯୁଦ୍ଧ । ଇସ୍ରାଏଲ ପ୍ରତି ଖାମେନେଇଙ୍କ ଏହା ଯୁଦ୍ଧଂ ଦେହୀ ଡାକରା ବୋଲି ମଧ୍ୟ ଅଭିହିତ କରାଯାଉଛି ।