ଭୁୁବନେଶ୍ୱର : ଅଠସ୍ତରୀ ତମ ସ୍ୱାଧୀନତା ଦିବସ ଶୁକ୍ରବାର ବିଜୁ ଜନତା ଦଳ କାର୍ଯ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି। ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେଡ଼ି କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଯୋଗଦେଇ ଜାତିର ଜନକ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ବିଜୁ ବାବୁଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ଲ୍ୟ ପ୍ରଦାନ କରି ସମ୍ମାନ ଜଣାଇଥିଲେ।
ଏହି ଅବସରରେ ଶ୍ରୀ ପଟ୍ଟନାୟକ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦାୟାଦମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ ହୋଇଥିବା ବ୍ୟକ୍ତିତ୍ୱ ମାନେ ହେଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜୟକୃଷ୍ଣ ମହାନ୍ତି ଓ କିରଣବାଳା ମହାନ୍ତିଙ୍କ କନ୍ୟା ସୁମିତ୍ରା ଜେନା, ଧାମନଗରର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ମୁରଲୀଧର ଜେନାଙ୍କ ବୋହୁ ମମତା ଜେନା । ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପୁତ୍ର ଚନ୍ଦ୍ରକାନ୍ତ ସାମଲ, ବେଗୁନିଆ ଗାନ୍ଧୀ ନୀଳକଣ୍ଠ ମିଶ୍ରଙ୍କ ପୁତ୍ର ଶିବନାରାୟଣ ମିଶ୍ର, ଭଦ୍ରକ ତାଳପଡାର କୃପାସିନ୍ଧୁ ଦାଶଙ୍କ ନାତୁଣୀ କିରଣବାଳା ଦାଶ, ଏରସମାର ଭୀମଚରଣ ଦାସଙ୍କ ପୁତ୍ର ଶିବବ୍ରତ ଦାସ ଭୁବନେଶ୍ୱର ଲକ୍ଷ୍ମୀସାଗରର ଝୁଲ ଲେଙ୍କାଙ୍କ ପୁତ୍ର ବିଜୟ ଲେଙ୍କା, ବଡ଼ଚଣାର ଭିକାରୀ ଚରଣ ମହାନ୍ତିଙ୍କ ପୁତ୍ର ପ୍ରମେଶ ମହାନ୍ତି ଏବଂ ହରି ବାରିକଙ୍କ ପୁଅ ହିମାଂଶୁ ବାରିକଙ୍କୁ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଉଦବୋଧନ ଦେଇ ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ଦେଶ ତଥା ରାଜ୍ୟର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ।
ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାରମ୍ଭରେ କବିବର ରାଧାନାଥ ରାୟଙ୍କ ପ୍ରସିଦ୍ଧ ସର୍ବେସାଂ ନୋ ଜନନୀ ଭାରତ ସଂଗୀତ ଗାନ କରାଯାଇଥିଲା ଏବଂ ଭକ୍ତ କବି ମଧୁସୂଦନ ଦାସଙ୍କ ଲୋକପ୍ରିୟ ତୁହି ମା ଜନମ ଭୂମି ପବିତ୍ର ଉତ୍କଳ ଭୂମି ସଂଗୀତ ସହ ସଭା ସାଙ୍ଗ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାଶ, ସଭାପତିଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପ୍ରଫୁଲ୍ଲ ସାମଲ, ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ଅରବିନ୍ଦ ମହାପାତ୍ର, ସାଂସଦ ସୁଲତା ଦେଓ, ମେୟର ସୁଲୋଚନା ଦାଶ, ଡେପୁଟି ମେୟର ମଞ୍ଜୁଳତା କନହର, ଅରୂପ ପଟ୍ଟନାୟକ, ମନ୍ମଥ ରାଉତରାୟ, ଡକ୍ଟର ଲେନିନ ମହାନ୍ତି, ଡକ୍ଟର ପ୍ରିୟବ୍ରତ ମାଝି, ତୁମ୍ବନାଥ ପଣ୍ଡା, ମିହିର ରାୟ, ଅମରେଶ ଜେନା, ଚିନ୍ମୟ ସାହୁ, ବିରଞ୍ଚି ନାରାୟଣ ମହସୁପକାର, ଇପ୍ସିତା ସାହୁ ଓ ସୋଫିୟା ଆଲମ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ନବୀନ ନିବାସଠାରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ସ୍କୁଲ ପିଲା ମାନଙ୍କ ଗହଣରେ ପତାକା ଉତ୍ତୋଳନ କରିଥିଲେ ।










