ଭୁବନେଶ୍ୱର: ୪ଟି ରାଜ୍ୟସଭା ନିର୍ବାଚନ ପାଇଁ ଆଜି ମତଦାନ ପ୍ରକ୍ରିୟା ଜାରି ରହିଛି। ବ୍ରହ୍ମଗିରିର ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟିଂକୁ ନେଇ ମତଦାନ କେନ୍ଦ୍ରରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଉପାସନାଙ୍କ ଭୋଟ ଦେବାକୁ ନେଇ ଶାସକ ଓ ବିରୋଧୀ ଦଳର ଏଜେଣ୍ଟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେବା ସହ କିଛି ସମୟ ପାଇଁ ମତଦାନ ପ୍ରକ୍ରିୟା ମଧ୍ୟ ସ୍ଥଗିତ ରହିଥିବା ଜଣାପଡ଼ିଛି।ତେବେ ଆଇନରେ ଥିବା ପ୍ରାବଧାନକୁ ଆଧାର କରି ଉପାସନାଙ୍କୁ ଦ୍ୱିତୀୟ ବାଲାଟ୍ ପେପର ଯୋଗାଇ ଦେବା ପରେ ସେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ମାତ୍ର ଏହାକୁ ଅଗଣତାନ୍ତ୍ରିକ ବୋଲି କହି ବିରୋଧୀ ଦଳ ନେତା ତଥା ବିଜେଡି ନବୀନ ପଟ୍ଟନାୟକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତେବେ ନବୀନଙ୍କୁ କାଉଣ୍ଟର କରି ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି ଯେ, ନବୀନବାବୁ ଆଇନ ଜାଣନ୍ତି ନାହିଁ। ଆଜି ରେଜଲ୍ଟ ବାହାରିବା ପରେ କାଲି ବିଜେଡି ଭାଙ୍ଗିଯିବ। ସେଥିପାଇଁ ସେ ବିବ୍ରତ ହୋଇପଡ଼ିଛନ୍ତି ବୋଲି କହି କଟାକ୍ଷ କରିଛନ୍ତି। ସୂଚନା ଅନୁସାରେ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଭୋଟ୍ ଦେବା ସମୟରେ ନିଜର ବାଲାଟ୍ ପେପପରେ ‘ଓଭର ରାଇଟିଂ’ ବା କଟାକଟି କରିଦେବାରୁ ଆଉ ଏକ ବାଲାଟ ପେପର ଦାବି କରିଥିଲେ। ପୁଲିଂ ଅଫିସର ତାଙ୍କୁ ଦ୍ୱିତୀୟ ବାଲାଟ୍ ପେପର ପ୍ରଦାନ କରାଯାଇଥିବା ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଥିଲେ।










