ଭୁବନେଶ୍ୱର: ଦେଶରେ ଏଆଇଟିୟୁସି ସମେତ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସ୍ୱାଧୀନ ଫେଡେରେସନ୍ ତରଫରୁ ଆହୂତ ଭାରତ ବନ୍ଦକୁ ରାଜ୍ୟରେ ଅଭୁତପୂର୍ବ ସଫଳତା ମିଳିଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଟ୍ରେଡ୍ ୟୁନିୟନ୍ମାନେ ମିଳିତ ଭାବେ ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଲକ୍ଷଲକ୍ଷ ଶ୍ରମିକ ଆଜି ରାଜରାସ୍ତାରେ ସେମାନଙ୍କର ପ୍ରତିବାଦ ଜାହିର କରିଛନ୍ତି।
ପୁଞ୍ଜିପତିଙ୍କ ଇଙ୍ଗିତରେ ପରିଚାଳିତ ସାମ୍ପ୍ରଦାୟିକ ଏକଛତ୍ରବାଦୀ ବିଜେପି-ଏନ୍ଡିଏ ସରକାର ଶ୍ରମିକ ଶ୍ରେଣୀ ଉପରେ ଚଳାଇଥିବା ଆକ୍ରମଣ ପ୍ରକ୍ରିୟାରେ ଦେଶର ସ୍ୱାଧୀନତା ପୂର୍ବରୁ ଓ ସ୍ୱାଧୀନୋତ୍ତର ଭାରତର ଶ୍ରମିକ ଶ୍ରେଣୀର ଦୀର୍ଘ ସଂଗ୍ରାମ ଓ ମାନବାଧିକାର ସମ୍ବଳିତ ୪୪ଟି ଶ୍ରମ ଆଇନ୍ ମଧ୍ୟରୁ ୧୫ଟି ଶ୍ରମ ଆଇନକୁ ସମ୍ପୂର୍ଣ୍ଣ ରଦ୍ଦ କରିଛନ୍ତି। ବାକି ୨୯ଟି ଶ୍ରମ ଆଇନରେ ଥିବା ଶ୍ରମିକଙ୍କ ହକ୍ ଏବଂ ଅଧିକାରକୁ ଖର୍ବ କରି ଶ୍ରମିକ କର୍ମଚାରୀ ନିଯୁକ୍ତିଦାତା ରାହୁ ପୁଞ୍ଜିପତିଙ୍କ ଶ୍ରମ ଶୋଷଣ ପାଇଁ ୪ଟି ଶ୍ରମ କୋଡ୍ ପ୍ରଣୟନ କରିଛନ୍ତି। ଏହି ଶ୍ରମ କୋଡ୍ ଶ୍ରମିକ କର୍ମଚାରୀଙ୍କୁ ମଧ୍ୟଯୁଗୀୟ କ୍ରୀତଦାସ ଅବସ୍ଥାକୁ ଠେଲିଦେବା ଓ ଅନ୍ୟାନ୍ୟ ଦାବିରେ ଆଜି ଭୁବନେଶ୍ୱର ବନ୍ଦ ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇଛି। ଏଆଇଟିୟୁସି ସାଧାରଣ ସମ୍ପାଦକ ବିଜୟ ଜେନା, ସିପିଆଇ ସମ୍ପାଦକ ଡ. ପ୍ରଶାନ୍ତ ମିଶ୍ର, ଏଆଇଟିୟୁସି ନେତା ସୁର ଜେନା, ଆଶା କର୍ମୀ ସଂଘ ନେତା ନମିତା ସାହୁ, ସିପିଆଇ ନେତା କୈଳାସ ପୁହାଣଙ୍କ ନେତୃତ୍ୱରେ ଆନ୍ଦୋଳନକାରୀ ଭୁବନେଶ୍ୱର ରେଳଷ୍ଟେସନ୍ ସମେତ ସହରର ମୁଖ୍ୟ ଛକ ମାଷ୍ଟର କ୍ୟାଣ୍ଟିନ, ରାଜମହଲ, ଡମଣା ଛକ, ବରମୁଣ୍ଡା, ଆଦି ସ୍ଥାନରେ ରାସ୍ତାରୋକ କରିବା ଫଳରେ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି। ଫଳରେ ଘରୋଇ ପରିବହନ, ମୋ-ବସ୍ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ସମେତ ବିଭିନ୍ନ ଆର୍ଥିକ ଅନୁଷ୍ଠାନ ବନ୍ଦ ରହିଛି। ତତ୍ ସହିତ ମଧ୍ୟାହ୍ନରେ ଏକ ମିଳିତ ଶୋଭାଯାତ୍ରା ରାଜମହଲ ଛକରୁ ବାହାରି ପିଏମ୍ଜି ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରି ପାଞ୍ଚଶହରୁ ଊର୍ଦ୍ଧ୍ୱ କର୍ମୀ ଗିରଫ ହୋଇଛନ୍ତି। ଏଥିରେ ଆଇଏନ୍ଟିୟୁସିର ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ଏଆଇଟିୟୁସିର ବିଜୟ ଜେନା, ସିଆଇଟିୟୁର ପ୍ରଦୀପ ନାୟକ, ଏଆଇସିସିଟିୟୁର ମହେନ୍ଦ୍ର ପରିଡ଼ା, ଏଆଇୟୁଟିୟୁସିର ଜୟସେନ ମେହେର, ଟିୟୁସିସିର ଜ୍ୟୋତିରଞ୍ଜନ ମହାପାତ୍ର, ଏଚ୍ଏମ୍ଏସ୍ ନେତା ବିଏନ୍ ମହାପାତ୍ର, ଏଲ୍ପିଏଫ୍ର ମଧୁସୂଦନ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ।
ଅନୁରୂପ ଭାବରେ ବିଦ୍ୟୁତ୍ କର୍ମଚାରୀ ଫେଡେରେସନ୍ ତରଫରୁ ଗ୍ରୀଡ୍କୋ ମୁଖ୍ୟ ଦପ୍ତର ସମ୍ମୁଖରେ, ସତ୍ୟବାଦୀ ବାଘ, ଭ୍ରମରବର ରାଉତ, ପରମାନନ୍ଦ ବେହେରାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଡମଣା ଛକଠାରେ ଶଙ୍କର୍ଷଣ ବାରିକଙ୍କ ନେତୃତ୍ୱରେ, ସେହିଭଳି କଟକ, ବାଲେଶ୍ୱର, ଜ୍ଗତସିଂହପୁର, ଯାଜପୁର, ଭଦ୍ରକ, କେନ୍ଦୁଝର, ଚମ୍ପୁଆ, ବଡବିଲ୍, ବଲାଙ୍ଗୀର, ବ୍ରଜରାଜନଗର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଭବାନୀପାଟଣା, ନବରଙ୍ଗପୁର, ଜୟପୁର, ବ୍ରହ୍ମପୁର, ମାଲକାନାଗିରି, ଗଜପଜି, ବିଷମକଟକ ଆଦି ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ରାସ୍ତାରୋକ କରି ହଜାର ହଜାର ଅଙ୍ଗନୱାଡି, ଆଶା, ମଧ୍ୟାହ୍ନଭୋଜନ ପାଚିକା, ନିର୍ମାଣ ଶ୍ରମିକ, କୋଇଲା ଓ ଅନ୍ୟାନ୍ୟ ଖଣି ଶ୍ରମିକ, ବିଦ୍ୟୁତ୍ କର୍ମଚାରୀ ଗିରଫ ହୋଇଛନ୍ତି। ଏହି ବନ୍ଦ ପ୍ରତି ରାଜ୍ୟବାସୀ ସମର୍ଥନ ଓ ସହଯୋଗ ଯୋଗାଇ ଦେଇଥିବାରୁ ଏଆଇଟିୟୁସି ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ଅଭିନନ୍ଦନ ଜଣାଇଛନ୍ତି।










