17.1 C
Bhubaneswar
Wednesday, February 4, 2026
Homeଓଡିଶାଆସନ୍ତା ୩୧ରେ ରାଷ୍ଟ୍ରୀୟ ଏକତା ଦିବସ ସାରା ଦେଶରେ ପାଳନ

ଆସନ୍ତା ୩୧ରେ ରାଷ୍ଟ୍ରୀୟ ଏକତା ଦିବସ ସାରା ଦେଶରେ ପାଳନ

ଭୁବନେଶ୍ୱର: ଆସନ୍ତା ୩୧ ତାରିଖରେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ସାରା ଦେଶରେ ପାଳିତ ହେବାକୁ ଯାଉଛି । ଏହି ଦିବସକୁ ସ୍ମରଣୀୟ ତଥା ଅଧିକ ଆକର୍ଷଣୀୟ କରିବା ପାଇଁ ଓଡିଶା ପୋଲିସ ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ରାଜ୍ୟର ୩୪ ପୋଲିସ ଜିଲ୍ଲା ଅଧୀନରେ ଥିବା ସମସ୍ତ ଥାନାରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।  ଏହି ଅବସରରେ “ଏକତା ପାଇଁ ଦୌଡ଼ (ଜଙ୍କଦ୍ଭ ଲକ୍ଟକ୍ସ ଟଦ୍ଭସଗ୍ଧଚ୍ଚ)” ଶୀର୍ଷକରେ ଏକ ବିଶାଳ କାର‌୍ୟ୍ୟକ୍ରମ ଆୟୋଜନ କରାଯିବ। ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କୁ ଏହି ଦୌଡ଼ କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଆମନ୍ତ୍ରଣ କରାଯାଉଛି। ଦୌଡ ଆରମ୍ଭ ହେବା ପୂର୍ବରୁ ସମସ୍ତ ପ୍ରତିଯୋଗୀ ରାଷ୍ଟ୍ରୀୟ ଏକତା ଦିବସର ଶପଥ ଗ୍ରହଣ କରିବେ। ଏହାବ୍ୟତୀତ ସ୍ଥାନୀୟ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ନିମନ୍ତ୍ରଣ କରି ଚିତ୍ରାଙ୍କନ, ତର୍କ, ପ୍ରବନ୍ଧ ଭଳି ପ୍ରତିଯୋଗିତା ଆୟୋଜନ କରାଯାଉଅଛି। ଉଲ୍ଲେଖ ଯୋଗ୍ୟ ଯେ, ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ସର୍ଦାର ପଟେଲଙ୍କ ଭୂମିକା ଅତୁଳନୀୟ ଥିଲା। ଭାରତ ସ୍ୱାଧୀନ ହେବା ପରେ ଦେଶର ୫୬୨ଟି ରାଜାମାନଙ୍କ ଦ୍ୱାରା ଶାସିତ ରାଜ୍ୟଗୁଡ଼ିକୁ ଏକତ୍ର କରିବାରେ ସେ ଅସାଧାରଣ ଭୂମିକା ତୁଲାଇଥିଲେ। ତାଙ୍କର ଦୃଢ଼ ଇଚ୍ଛାଶକ୍ତି, ରାଜନୈତିକ ଦୁରଦୃଷ୍ଟି ଓ ଦେଶପ୍ରେମ ଯୋଗୁଁ ଭାରତ ଏକ ଅଖଣ୍ଡ ରାଷ୍ଟ୍ରରେ ପରିଣତ ହୋଇଥିଲା। ତାଙ୍କର ଜନ୍ମ ଜୟନ୍ତୀ ଅବସରରେ ପ୍ରତିବର୍ଷ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇ ଆସୁଛି।

ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ମଧ୍ୟରେ “ଏକ ଭାରତ ଶ୍ରେଷ୍ଠ ଭାରତ”, “ବସୁ ଧୈବ କୁଟୁମ୍ବ କମ”, ଭଳି ଶୀର୍ଷକ ଥିବା ଚିତ୍ରାଙ୍କନ ପ୍ରତିଯୋଗିତା, ସର୍ଦାର ପଟେଲଙ୍କ ଜୀବନୀ ଏବଂ ରାଷ୍ଟ୍ରୀୟ ଏକତା ଦିବସର ମହତ୍ତ୍ୱକୁ ନେଇ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହା ଛଡା ପୋଲିସ ଷ୍ଟେସନ ପରିସରରେ ପୋଷ୍ଟର ଓ ବ୍ୟାନର ଲଗାଇ ରାଷ୍ଟ୍ରୀୟ ଏକତା ଦିବସର ବାର୍ତ୍ତା ପ୍ରଦାନ କରିବା ଦିଗରେ ଗୁରୁତ୍ୱାରୋପ କରାଯାଉଛି। ଏହାବ୍ୟତୀତ ୩୧ ତାରିଖ ଦିନ ପୂର୍ବାହ୍ନ ୮ଟା ସମୟରେ କଟକସ୍ଥିତ ଓଏସଏପି ୬ଷ୍ଠ ବାଟାଲିୟନ ପରିସରରେ ରାଜ୍ୟସ୍ତରୀୟ ଏକତା ଦିବସ ପ୍ୟାରେଡ ଓ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଶ୍ରୀ ବିନୟତୋଷ ମିଶ୍ର, ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ ବ୍ରାଞ୍ଚ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବାର କାର‌୍ୟ୍ୟକ୍ରମ ସ୍ଥିରୀକୃତ ହୋଇଛି।  ସମାଜର ସମସ୍ତ ବ୍ୟକ୍ତିବିଶେଷ ସାମିଲ ହୋଇ ଏହି ପବିତ୍ର ଦିବସକୁ ସଫଳ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking