27.1 C
Bhubaneswar
Wednesday, March 25, 2026
Homeଓଡିଶାମଧ୍ୟମ ବର୍ଗ ଓ ନୂତନ ମଧ୍ୟବର୍ଗଙ୍କ ଉପରେ 'ଦ୍ରବ୍ୟ ଓ ସେବା କର' ର ସାମାଜିକ-ଆର୍ଥିକ...

ମଧ୍ୟମ ବର୍ଗ ଓ ନୂତନ ମଧ୍ୟବର୍ଗଙ୍କ ଉପରେ ‘ଦ୍ରବ୍ୟ ଓ ସେବା କର’ ର ସାମାଜିକ-ଆର୍ଥିକ ପ୍ରଭାବ ବିଷୟରେ ଜାତୀୟ ଆଲୋଚନା ଚକ୍ର

ଭୁବନେଶ୍ୱର: ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଡିଭେଲପମେଣ୍ଟ ଷ୍ଟଡିଜ୍ (ଏନସିଡିଏସ୍), ଭୁବନେଶ୍ୱର ଦ୍ୱାରା ଆଜି “ ଦ୍ରବ୍ୟ ଓ ସେବା କର (ଜିଏସଟି)ର ସାମାଜିକ-ଆର୍ଥିକ ପ୍ରଭାବ, ଦ୍ରବ୍ୟ ଓ ସେବା ବ୍ୟବହାର ପ୍ରଣାଳୀ, ମଧ୍ୟବର୍ଗ ଏବଂ ନିକଟରେ ନିଜର ଆର୍ଥିକ ବିକାଶ ଫଳରେ ନୂତନ ଭାବେ ମଧ୍ୟମ ବର୍ଗକୁ ଆସିଥିବା ବର୍ଗ (ନିଓ ମିଡିଲ କ୍ଲାସ )ଙ୍କ ଉପରେ ଏହାର ପ୍ରଭାବ” ସମ୍ପର୍କିତ ଏକ ଜାତୀୟ କର୍ମଶାଳା ସଫଳତାର ସହ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନୀତି ନିର୍ଦ୍ଧାରକ, ଅର୍ଥନୀତିଜ୍ଞ ଓ ଶିକ୍ଷାବିତମାନେ ଯୋଗ ଦେଇଥିଲେ l ଆଲୋଚନା ଚକ୍ରର ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ, ଆଇଏଏସ୍, କମିଶନର, ବାଣିଜ୍ୟ କର ଏବଂ ଜିଏସଟି, ଓଡିଶା, ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ସୁଧାକର ପାତ୍ର, ଆରବିଆଇ ଚେୟାର ପ୍ରଫେସର, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଅତିରିକ୍ତ ଶାସନ ସଚିବ ଡଃ. ସତ୍ୟ ପ୍ରିୟ ରଥ ଯୋଗ ଦେଇଥିଲେ ।

ପାରମ୍ପରିକ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ପାରେ ଏନସିଡିଏସ ର ନିର୍ଦ୍ଦେଶକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସେ ‘କର’ ସୁଧାରକୁ କେବଳ ଆୟ ମାପକରେ ନୁହେଁ, ବରଂ ସେଗୁଡିକର ସାମାଜିକ ଓ ଆର୍ଥିକ ପ୍ରଭାବକୁ ମଧ୍ୟ ବିଶ୍ଳେଷଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଉଦଘାଟନୀ ଅଧିବେଶନ ଶେଷରେ ଏନସିଡିଏସ୍‌ର ସଚିବ ଶ୍ରୀମତୀ ରଶ୍ମି କବି ଧନ୍ୟବାଦ ଅର୍ପଣ କରିଥିଲେ l ଆଲୋଚନା ଚକ୍ରରେ ଦୁଇଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପ୍ରଥମରେ ଏନସିଡିଏସ୍‌ର ଗବେଷକମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଗବେଷଣା ରିପୋର୍ଟ ଉପସ୍ଥାପିତ ହୋଇଥିଲା, ଯେଉଁଥିରେ ଜିଏସଟି ଅଧୀନରେ ପରିବର୍ତ୍ତିତ ଦ୍ରବ୍ୟ ଓ ସେବା ଉପଯୋଗ ଓ ବ୍ୟବହାର ସମ୍ପର୍କରେ ଦର୍ଶା ଯାଇଥିଲା। ଏହା ସହିତ, ଆରବିଆଇ ଚେୟାର ପ୍ରଫେସର ଓ ଆଇଆଇଟି ଭୁବନେଶ୍ୱରର ଜଣେ ସହଯୋଗୀ ପ୍ରଫେସରଙ୍କ ଦ୍ୱାରା ଦିଆଯାଇଥିବା ବିଶେଷଜ୍ଞ ଉପସ୍ଥାପନାରେ କର ପ୍ରଣାଳୀ ଓ ପରିବାରର ଆର୍ଥିକ ଆଚରଣ ସମ୍ବନ୍ଧୀୟ ଦୃଷ୍ଟିକୋଣ ଉପସ୍ଥାପନ କରାଯାଇଥିଲା ।

ଦ୍ୱିତୀୟ ବୈଷୟିକ ଅଧିବେଶନ ପ୍ରଶାସନିକ ଓ ନୀତିଗତ ଦୃଷ୍ଟିକୋଣ ଉପରେ କେନ୍ଦ୍ରିତ ଥିଲା। ସିଟି ଏବଂ ଜିଏସଟି, ଓଡିଶାର ଯୁଗ୍ମ କମିଶନର, ଓଡ଼ିଶା ଏ କ୍ଷେତ୍ରରେ ଵିଧି ଅନୁପାଳନ ଏବଂ ତାହାର ସାମାଜିକ-ଆର୍ଥିକ ପ୍ରଭାବ ସମ୍ବନ୍ଧରେ ବ୍ୟବହାରିକ ଅନୁଭବ ଦର୍ଶାଇ ଥିଲେ l ଏନସିଡିଏସ୍‌ର ପୂର୍ବତନ ପ୍ରଫେସର ଜିଏସଟିର ଦୀର୍ଘକାଳୀନ ବିକାଶ ଉପରେ ତାଙ୍କ ଅନୁଭବ ଓ ମତାମତ ରଖିଥିଲେ। ସମସ୍ତ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ ଓ ସମାଲୋଚନାତ୍ମକ ଚର୍ଚ୍ଚା ଦେଖିବାକୁ ମିଳିଥିଲା। ଉଦଯାପନୀ ଅଧିବେଶନରେ ମଧ୍ୟମ ବର୍ଗର ସହନଶୀଳତା ଓ ସମାବେଶୀ କର ନୀତି ସମ୍ବନ୍ଧୀୟ ପ୍ରମୁଖ ଅନୁଭୂତିମାନଙ୍କର ନିଯ୍ୟାସ ସଂକଳନ କରାଯାଇଛି । ଏନସିଡିଏସ୍‌ର ସଚିବ ଉଦଯାପନୀ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମହାନ୍ତି ସମସ୍ତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଆଲୋଚନା ଚକ୍ର ଶେଷରେ ଆବାହକ ଡଃ.ବିଶ୍ୱବାସ ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ଅଂଶଗ୍ରହଣ କାରୀମାନଙ୍କୁ ଆଗାମୀ ଦିନରେ ଅଧିକ ଆଲୋଚନା ପାଇଁ ଉତ୍ସାହିତ ଏବଂ ପ୍ରେରଣା ଦେଇଥିଲେ l ସାମଗ୍ରିକ ଭାବେ ଏହି ଆଲୋଚନା ଚକ୍ର ଏନସିଡିଏସ୍‌ର ସଚେତନ ନୀତି, ଆଲୋଚନାକୁ ପ୍ରୋତ୍ସାହନ ଦେବା, ଆଧୁନିକ ଆର୍ଥିକ ପ୍ରସଙ୍ଗରେ ବିଷୟରେ ଏହାର ଗବେଷଣା ବୃଦ୍ଧି କରିବା ପ୍ରତି ଅଙ୍ଗୀକାରବଦ୍ଧତାକୁ ସୁଦୃଢ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking