ରଙ୍ଗେଈଲୁଣ୍ଡା: ଗଞ୍ଜାମ ଜିଲ୍ଲା ହଳଦିଆପଦର ଠାରୁ ଆନ୍ଧ୍ର ସୀମାନ୍ତ ସୁବାଣୀ ଛକ ୧୬ ନଂ ଜାତୀୟ ରାଜପଥ ଏବେ ପାଲଟିଛି ମୃତ୍ୟୁ ପଥ । ଚାରି ଦିନରେ ସଡ଼କ ଦୁର୍ଘଟଣାରେ ଚାଲିଗଲାଣି ଚାରି ଜଣଙ୍କ ଜୀବନ ଏବଂ ଜଣେ ମହିଳା ଦୁର୍ଘଟଣାରେ ଶିକାର ହୋଇ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାଇ, ସୋମବାର ରାତି ସାଢେ ୯ଟା ବେଳେ ଗୋଳନ୍ଥରା ଥାନା ଅଧିନସ୍ଥ କତୁରୁ ନୂଆଗାଁ ଗ୍ରାମର ତିନି ଜଣ ସାଙ୍ଗ ଜଗଦିଶ ସାହୁ, ଜଗନ୍ନାଥପୁରର ଚି଼ନ୍ମୟ ପ୍ରଧାନ ଓ ଜିତେନ୍ଦ୍ର ପ୍ରଧାନ କୌଣସି ଏକ କାମରେ କନିଷିରୁ ବାଇକ୍ (ନଂ-ଏପି୩୦ଏସ୍-୦୬୪୧) ଯୋଗେ ନିଜ ଗ୍ରାମକୁ ଫେରୁଥିଲେ । ଏହି ସମୟରେ ସୁରଳ ଜଙ୍ଗସନ ନିକଟରେ ଏକ କାର୍ (ନଂ-ଜିଜେଆଇଆରୱାଇ-୦୭୧୧) ଦ୍ରୁତ ଗତିରେ ଆସି ବାଇକ୍କୁ ପଛରୁ ଧକ୍କା ଦେଇଥିଲା । ଫଳରେ ବାଇକ୍ରେ ବସିଥିବା ୩ ଜଣ ସାଙ୍ଗ ଶହେ ମିଟର ଦୂରରେ ଛିଟିକି ପଡିବା ସହ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ପୁଲିସ ଓ କିଛି ଲୋକ ୩ ଜଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଜଗଦୀଶ ଓ ଚିନ୍ମୟ ମୃତ୍ୟୁବରଣ କରିଥିବା ଜଣାପଡିଛି । ଜିତେନ୍ଦ୍ର ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଏନେଇ ମୃତ ଜଗଦିଶଙ୍କ ପିତା ଲିଖିତ ଅଭିଯୋଗ କରିବା ପରେ ଗୋଳନ୍ଥରା ଥାନାରେ ୩୮୫/୨୪ରେ ମାମଲା ରୁଜୁ ହୋଇଛି । ପୁଲିସ୍ ମୃତ ଦେହକୁ ବ୍ୟବଛେଦ କରି ପରିବାର ଲୋକକୁ ହସ୍ତାନ୍ତର କରଛି । ସେହିପରି ଗତ ଶନିବାର ଦିନ ୩ଟା ବେଳେ ସୋରଳ ଗାଁର ବାପା ଦେବରାଜ ସେଠି ପୁଅ ସୁନୀଲ ସେଠି ଓ ମାଆ ଭାନୁ ସେଠି ବାଇକ୍ରେ ଫେରୁଥିବା ବେଳେ ପଛରୁ ଏକ ମାଲବାହୀ ଟ୍ରକ୍ ସେମାନଙ୍କୁ ଧକ୍କା ଦେବା ଫଳରେ ବାପା ଦେବରାଜ ଓ ପୁଅ ସୁନୀଲ ମୃତ୍ୟୁବରଣ କରିଥିଲେ । ମାଆ ଭାନୁ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଥିବା ଜଣାପଡିଛି । ଦୁର୍ଘଟଣା ରୋକିବାକୁ ଜାତୀୟ ରାଜପଥରେ ପାଟ୍ରୋଲିଙ୍ଗ ଆହୁରି କଡାକଡି କରିବା ସହ ମଦୁଆ ଓ ଅମାନିଆ ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବସାଧାରଣରେ ଦାବି ହେଉଛି ।










