19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲା : ପ୍ରଥମ ଚାର୍ଜସିଟ୍ ଦାଖଲ କଲା ଇଡି

ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲା : ପ୍ରଥମ ଚାର୍ଜସିଟ୍ ଦାଖଲ କଲା ଇଡି

ଚାର୍ଜସିଟ୍‌ରେ ସୋନିଆ ନଂ ୧ ଅଭିଯୁକ୍ତ, ରାହୁଲ ୨ୟ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରଥମ ଥର ପାଇଁ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟ୍‌ରେ ସୋନିଆଙ୍କୁ ନଂ ୧ ଅଭିଯୁକ୍ତ ଭାବେ ଏବଂ ରାହୁଲଙ୍କୁ ୨ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସୋନିଆ ଏବଂ ରାହୁଲଙ୍କ ବ୍ୟତୀତ କଂଗ୍ରେସ ନେତା ସାମ୍ ପିଟ୍ରୋଡା ଏବଂ ସୁମନ ଦୁବେଙ୍କୁ ମଧ୍ୟ ଅଭିଯୁକ୍ତ ଭାବରେ ନାମିତ କରାଯାଇଛି। ତେବେ ଚାର୍ଜସିଟ୍‌ରେ ଉଲ୍ଲେଖ ଥିବା ଅନ୍ୟ ୨ ଅଭିଯୁକ୍ତ ()ଙ୍କ ଦେହାନ୍ତ ହୋଇସାରିଛି। ତେବେ ଇଡି ଚାର୍ଜସିଟ୍ ଉପରେ ପ୍ରତିକ୍ରିୟା ଦେଇ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଇଡି ଚାର୍ଜସିଟ୍ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଦ୍ୱାରା ପ୍ରତିଶୋଧ ରାଜନୀତି ଏବଂ ଧମକ ବ୍ୟତୀତ ଅନ୍ୟ କିଛି ନୁହେଁ। ପ୍ରକାଶ, ସୁପ୍ରିମକୋର୍ଟ ବହୁ ପୂର୍ବରୁ ଏହି ମାମଲାରେ ବ୍ୟକ୍ତିଗତ ହାଜିରାରୁ ସମସ୍ତ ଅଭିଯୁକ୍ତଙ୍କୁ ଆଶ୍ୱସ୍ତି ପ୍ରଦାନ କରିସାରିଛନ୍ତି।

ପ୍ରକାଶ, ଗତ ଏପ୍ରିଲ ୯ରେ ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟରେ ଇଡି ପକ୍ଷରୁ ଏହି ଚାର୍ଜସିଟ୍ ଦାଖଲ କରାଯାଇଥିଲା। ମଙ୍ଗଳବାର ଦିନ ପିଏମ୍‌ଏଲ୍‌ଏ କୋର୍ଟର ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗାନେ ଏହି ମାମଲା ଉପରେ ଶୁଣାଣି କରିଛନ୍ତି ଏବଂ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୫ରେ ହେବ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି। ପ୍ରକାଶ, ୨୦୧୩ ମସିହାରେ ବରିଷ୍ଠ ରାଜନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଏକ ପିଟିସନ୍ ଦାୟର କରିଥିଲେ ଏବଂ ନ୍ୟାସନାଲ ହେରାଲ୍ଡ ଆଳରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ। ସ୍ୱାମୀ, ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ପରି ଉଚ୍ଚ-ପ୍ରୋଫାଇଲ୍ କଂଗ୍ରେସ ନେତା ଏବଂ ୟଙ୍ଗ ଇଣ୍ଡିଆନ୍ ପ୍ରାଇଭେଟ୍ ଲିମିଟେଡ୍ ବିରୋଧରେ ଏଜେଏଲ୍ ସମ୍ପତ୍ତିର ଠକେଇରୁ ସୃଷ୍ଟ ଅର୍ଥକୁ ବେଆଇନ ଭାବରେ ସ୍ଥାନାନ୍ତର କରିବା ପାଇଁ ଏକ ଅପରାଧିକ ଷଡ଼ଯନ୍ତ୍ରର ଅଭିଯୋଗ ଆଣିଥିଲେ, ଯାହାର ମୂଲ୍ୟ ୨,୦୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ଏହାପରେ ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଥିଲା। ୨୦୨୧ରେ ଇଡି ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପର୍ଯ୍ୟାପ୍ତ ପ୍ରମାଣ ପାଇବା ପରେ ଇଡି ଏବେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଥିବା ସୂତ୍ରରୁ ଜଣାପଡ଼ିଛି।

ଗତ ସପ୍ତାହରେ, ଇଡି ମନି ଲଣ୍ଡରିଂ ଅଭିଯୋଗ ଆଧାରରେ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ (ଏଜେଏଲ୍‌) ଏବଂ ଏହାର ମାଲିକାନା ସତ୍ତ୍ୱାଧିକାରୀ ୟଙ୍ଗ୍ ଇଣ୍ଡିଆନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଇଡି ଏକ ନୋଟିସ୍ ଜାରି ପୂର୍ବକ କମ୍ପାନୀର ଦିଲ୍ଲୀ, ମୁମ୍ବାଇ ଏବଂ ଲକ୍ଷ୍ନୌରେ ଥିବା ପ୍ରାୟ ୬୬୧ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତିକୁ ଜବତ କରାଯିବ ବୋଲି ସୂଚୀତ କରିଥିଲା। ପ୍ରକାଶ, ନ୍ୟାସନାଲ ହେରାଲ୍ଡ ଖବରକାଗଜ ଏବଂ ଏହାର ଡିଜିଟାଲ ପ୍ଲାଟଫର୍ମର ପ୍ରକାଶକ ଏଜେଏଲ୍‌, ୟଙ୍ଗ ଇଣ୍ଡିଆନ୍ ପ୍ରାଇଭେଟ୍ ଲିମିଟେଡର ମାଲିକାନାରେ ଅଛି, ଯେଉଁଥିରେ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କର ୩୮-୩୮% ଅଂଶଧନ ଅଛି। ଇଡି ଏବେ ୟଙ୍ଗ୍ ଇଣ୍ଡିଆନ୍ ଦ୍ୱାରା ଏଜେଏଲ୍ ଅଧିଗ୍ରହଣରେ ସମ୍ଭାବ୍ୟ ଆର୍ôଥକ ଅନିୟମିତତାର ତଦନ୍ତ କରୁଛି ଏବଂ ତଦନ୍ତର ଅଂଶ ସ୍ୱରୂପ ଉଭୟ କଂଗ୍ରେସ ନେତାଙ୍କୁ ବହୁବାର ପଚରାଉଚରା କରିଛି।

ତଦନ୍ତ ଏଜେନ୍ସି ଇଡି ଅଭିଯୋଗ କରିଛି ଯେ, ସୋନିଆ ଏବଂ ରାହୁଲ ନ୍ୟାସନାଲ ହେରାଲ୍ଡ ପ୍ରକାଶକଙ୍କ ସମ୍ପତ୍ତିକୁ ମାତ୍ର ୫୦ ଲକ୍ଷ ଟଙ୍କାରେ କିଣିଥିଲେ, ଯେତେବେଳେ ସମ୍ପତ୍ତିର ପ୍ରକୃତ ବଜାର ମୂଲ୍ୟ ୨,୦୦୦ କୋଟି ଟଙ୍କା ଥିଲା। ସେହିପରି ଏଜେଏଲ୍ ଏବଂ ୟଙ୍ଗ୍ ଇଣ୍ଡିଆନ୍ ଉଭୟଙ୍କ ସମ୍ପତ୍ତିକୁ ୧୮ କୋଟି ଟଙ୍କାର ନକଲି ଦାନ, ୩୮ କୋଟି ଟଙ୍କାର ଅଗ୍ରିମ ଭଡା ଏବଂ ୨୯ କୋଟି ଟଙ୍କାର ବିଜ୍ଞାପନ ପାଇଁ ବ୍ୟବହାର କରାଯାଇଥିବା ନେଇ ଇଡି ପ୍ରମାଣ ପାଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରିଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking