17.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଦିଲ୍ଲୀ ହାଇକୋର୍ଟରେ ନ୍ୟାସନାଲ ହେରାଲ୍ଡ ମାମଲା; ସୋନିଆ, ରାହୁଲଙ୍କୁ କୈଫିୟତ୍ ତଲବ

ଦିଲ୍ଲୀ ହାଇକୋର୍ଟରେ ନ୍ୟାସନାଲ ହେରାଲ୍ଡ ମାମଲା; ସୋନିଆ, ରାହୁଲଙ୍କୁ କୈଫିୟତ୍ ତଲବ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ (ଟ୍ରାଏଲ୍ କୋର୍ଟ)ରୁ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ମିଳିଥିଲା। କିନ୍ତୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଟ୍ରାଏଲ୍ କୋର୍ଟଙ୍କ ରାୟକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରିବା ପରେ ଆଜି ହାଇକୋର୍ଟ ଉଭୟ ସୋନିଆ ଏବଂ ରାହୁଲଙ୍କୁ ନୋଟିସ୍ ଜାରି କରିଛନ୍ତି ଏବଂ ଇଡି ପକ୍ଷରୁ କରାଯାଇଥିବା ଆବେଦନ ତଥା ଅଭିଯୋଗ ଉପରେ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଶୁଣାଣି ଜଷ୍ଟିସ ରବିନ୍ଦ୍ର ଡୁଡେଜାଙ୍କ କୋର୍ଟରେ ହୋଇଥିଲା। ଖଣ୍ଡପୀଠ ଏହି ମାମଲାରେ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରି ପରବର୍ତ୍ତୀ ଶୁଣାଣି ୧୨ ମାର୍ଚ୍ଚ, ୨୦୨୬ ପାଇଁ ଧାର୍ଯ୍ୟ କରିଛନ୍ତି। ଆଜିର ଶୁଣାଣି ସମୟରେ, ଇଡି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟରେ ଉପସ୍ଥିତ ଥିଲେ, ଯେତେବେଳେ କି ଗାନ୍ଧୀ ପରିବାର ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଉପସ୍ଥିତ ଥିଲେ। ଅନ୍ୟପକ୍ଷେ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ବ୍ୟତୀତ, ଏଜେନ୍ସିର ଆବେଦନ ଉପରେ ହାଇକୋର୍ଟ ସୁମନ ଦୁବେ, ସାମ୍ ପିଟ୍ରୋଡା, ୟଙ୍ଗ ଇଣ୍ଡିଆନ୍‌, ଡୋଟେକ୍ସ ମର୍ଚାଣ୍ଡାଇଜ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ସୁନୀଲ ଭଣ୍ଡାରୀଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି।

ପ୍ରକାଶ, ଗତ ଡିସେମ୍ବର ୧୬ ତାରିଖର ଟ୍ରାଏଲ୍ କୋର୍ଟ ନିଜ ଆଦେଶରେ କହିଥିଲେ ଯେ, ତଦନ୍ତ ଏଜେନ୍ସି ଇଡି ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟ୍ ଉପରେ ବିଚାର କରାଯିବା ସମ୍ଭବ ନୁହେଁ। କାରଣ ଅଭିଯୋଗର ମୂଳ ଆଧାର ଅର୍ଥାତ୍ ଏଫ୍‌ଆଇଆର୍ ହିଁ ନାହିଁ। ଟ୍ରାଏଲ୍ କୋର୍ଟ ସ୍ପଷ୍ଟ କରିଥିଲେ ଯେ, ଯେତେବେଳେ କେହି ଅଭିଯୋଗ ହିଁ କରିନାହାନ୍ତି କିମ୍ବା ମାମଲାରେ ଏଫ୍‌ଆଇଆର୍ ରୁଜୁ ହିଁ କରାଯାଇନାହିଁ ସେତେବେଳେ ଏହା ଉପରେ ଶୁଣାଣି କିପରି ହେବ? ତେବେ ଟ୍ରାଏଲ୍ କୋର୍ଟ କିନ୍ତୁ ଏହି ମାମଲାରେ ଇଡି ଚାହିଁଲେ ତଦନ୍ତ ଜାରି ରଖିପାରିବ ବୋଲି ସ୍ପଷ୍ଟ କରିଥିଲେ। ତେବେ ଇଡି ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲା ଏବଂ ଯୁକ୍ତି ବାଢ଼ିଥିଲା ଯେ, ନିମ୍ନ ଅଦାଲତ ଆଇନର ଭୁଲ ବ୍ୟାଖ୍ୟା କରିଛି ଏବଂ ମନି ଲଣ୍ଡରିଂ ସହିତ ଜଡିତ ତଥ୍ୟକୁ ଅଣଦେଖା କରିଛି। ପ୍ରକାଶ, ଇଡି ସାନିଆ, ରାହୁଲଙ୍କ ସମେତ ଦିବଂଗତ କଂଗ୍ରେସ ନେତା ମୋତିଲାଲ ଭୋରା ଏବଂ ଅସ୍କାର ଫର୍ଣ୍ଣାଣ୍ଡିସ୍‌, ସୁମନ ଦୁବେ, ସାମ ପିଟ୍ରୋଡା ଏବଂ ଏକ ଘରୋଇ କମ୍ପାନୀ, ୟଙ୍ଗ ଇଣ୍ଡିଆନ୍ ଉପରେ ଷଡ଼ଯନ୍ତ୍ର ଏବଂ ମନି ଲଣ୍ଡରିଂର ଅଭିଯୋଗ ଆଣିଛି। ଇଡି ଅଭିଯୋଗ ଅନୁଯାୟୀ, କଂଗ୍ରେସ ନେତାମାନେ ମାତ୍ର ୫୦ ଲକ୍ଷ ଟଙ୍କାରେ ଘରୋଇ କମ୍ପାନି “ୟଙ୍ଗ ଇଣ୍ଡିଆନ୍‌” ମାଧ୍ୟମରେ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍‌ର ୨ହଜାର କୋଟି ମୂଲ୍ୟର ସମ୍ପତ୍ତି ହାସଲ କରିବାକୁ ଷଡ଼ଯନ୍ତ୍ର କରିଥିଲେ। ସୋନିଆ ଏବଂ ରାହୁଲ କମ୍ପାନିର ୭୬% ଅଂଶଧନ ରଖିଛନ୍ତି। ଏଥିରୁ ସୋନିଆ ଏବଂ ରାହୁଲ ୯୮୮ କୋଟି ଟଙ୍କା ଆୟ କରିଥିଲେ ବୋଲି ଆକଳନ କରାଯାଉଛି। ସମ୍ପୃକ୍ତ ସମ୍ପତ୍ତିର ବଜାର ମୂଲ୍ୟ ଏବେ ୫ହଜାର କୋଟି ହେବ ବୋଲି ଆକଳନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking