23.1 C
Bhubaneswar
Sunday, December 21, 2025
Homeଓଡିଶାଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆର ଜାତୀୟ ବାର୍ଷିକ ମଧ୍ୟବର୍ତ୍ତୀକାଳୀନ ସମ୍ମିଳନୀ ରାଜ୍ୟପାଳଙ୍କ ଦ୍ୱାରା ଉଦଘାଟିତ

ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆର ଜାତୀୟ ବାର୍ଷିକ ମଧ୍ୟବର୍ତ୍ତୀକାଳୀନ ସମ୍ମିଳନୀ ରାଜ୍ୟପାଳଙ୍କ ଦ୍ୱାରା ଉଦଘାଟିତ

ଭୁବନେଶ୍ୱର: ବୟସ୍କମାନଙ୍କୁ ବୋଝ ନ ଭାବି ସମ୍ପତ୍ତି ଭାବେ ସମ୍ମାନ ପ୍ରଦର୍ଶନ କରିବା ଉପରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି । ଚଳିତ ଜୁନ ୨୧ ତାରିଖ ଦିନ ହାଇଟେକ୍ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ୍ ଠାରେ ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆର ଜାତୀୟ ବାର୍ଷିକ ମଧ୍ୟବର୍ତ୍ତୀକାଳୀନ ସମ୍ମିଳନୀକୁ ରାଜ୍ୟପାଳ ଉଦଘାଟନ କରି ଏହା କହିଛନ୍ତି ।ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଆମ ପରିବାର, ସମାଜ ଓ ରାଷ୍ଟ୍ର ପ୍ରତି ଅପାର ଅବଦାନ ରଖିଥିବା ବୟସ୍କ ନାଗରିକମାନେ ସର୍ବୋଚ୍ଚ ସମ୍ମାନ, ଯତ୍ନ ଏବଂ ମର୍ଯ୍ୟାଦା ପାଇବାର ହକଦାର । କିନ୍ତୁ ପରିତାପର ବିଷୟ ଯେ, ବର୍ତ୍ତମାନ ସମୟରେ ପରିବାରରେ ବୟସ୍କମାନଙ୍କ ପ୍ରତିଥିବା ସମ୍ମାନର ମୂଲ୍ୟବୋଧ କ୍ଷୟ ପାଇବାରେ ଲାଗିଛି। ଆଜିକାଲି ବୟସ୍କମାନେ ପରିବାରରେ ତଥା ସମାଜରେ ଅବହେଳା, ଏକଲାପଣ ଏବଂ ନିର୍ଯ୍ୟାତନାର ସମ୍ମୁଖୀନ ହେଉଛନ୍ତି ।ଏହା କେବଳ ଏକ ସାମାଜିକ ଚିନ୍ତାର ବିଷୟ ନୁହେଁ ବରଂ ଆମ ସମସ୍ତଙ୍କ ପାଇଁ ନୈତିକ ଆହ୍ୱାନ ଭାବେ ଉଭା ହୋଇଛି ।

ବାର୍ଦ୍ଧକ୍ୟ ଏକ ଅପରିବର୍ତ୍ତନୀୟ ଏବଂ ପ୍ରାକୃତିକ ପ୍ରକ୍ରିୟା ଯାହା ମାନବ ଶରୀରର ସମସ୍ତ ଅଙ୍ଗକୁ ପ୍ରଭାବିତ କରେ । ବୟସ୍କ ବ୍ୟକ୍ତିମାନେ ବିଭିନ୍ନ ପ୍ରକାରର ରୋଗ ପ୍ରାୟତଃ ଉଚ୍ଚ ରକ୍ତଚାପ, ମଧୁମେହ, ହାଇପରଥାଇରଏଡ଼ିଜିମ୍, ଡିମ୍ନେସିଆ ଏବଂ ପାର୍କିନସନ୍ସ ଇତ୍ୟାଦି ରୋଗରେ ପୀଡିତ ହୁଅନ୍ତି । ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ସହିତ ଯଥେଷ୍ଟ ଆର୍ଥିକ ଯୋଜନା କିମ୍ବା ସହଯୋଗ ଅଭାବରୁ ଅନେକ ବୟସ୍କ ନାଗରିକ ଘରୋଇ ନିର୍ଯ୍ୟାତନା, ଅବହେଳା ଏବଂ ଆର୍ଥିକ ନିର୍ଭରଶୀଳତାର ସମ୍ମୁଖୀନ ହୁଅନ୍ତି । ଚିନ୍ତା, ଅବସାଦ, ଏକଲାପଣ ଏବଂ ପାରିବାରିକ କଳହ ଭଳି ପରିସ୍ଥିତି ବାର୍ଦ୍ଧକ୍ୟର ବୋଝକୁ ବହୁଗୁଣିତ କରେ ବୋଲି ରାଜ୍ୟପାଳ କହିବା ସହିତ ବୟସ୍କଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏହି ସମସ୍ୟାର ନିରାକରଣ ଏକାନ୍ତ ଜରୁରୀ ବୋଲି କହିଥିଲେ । ରାଜ୍ୟପାଳ ପୁଣି କହିଥିଲେ ଯେ ଏ କ୍ଷେତ୍ରରେ ଚିକିତ୍ସା ବିଶେଷଜ୍ଞ ଭାବରେ ଜେରିଆଟ୍ରିକ୍ସଙ୍କର ଭୂମିକା ଅତି ଗୁରୁତ୍ତ୍ୱପୂର୍ଣ୍ଣ । କେବଳ ଵୃଦ୍ଧାଵସ୍ଥାରେ ରୋଗର ଚିକିତ୍ସା ନୁହେଁ ବରଂ ବୟସ୍କମାନଙ୍କ ଶାରୀରିକ, ଭାବନା ଏବଂ ମାନସିକ ଆବଶ୍ୟକତାକୁ ବୁଝିବା ଜରୁରୀ ।

ଜେରିଆଟ୍ରିକ୍ ପ୍ରଫେସନାଲମାନେ ବୟସ୍କ ରୋଗୀମାନଙ୍କୁ ସମ୍ବେଦନଶୀଳତାର ସହ ଯତ୍ନ ନେବାର ଗୁରୁ ଦାୟିତ୍ୱ ବହନ କରନ୍ତି ବୋଲି ରାଜ୍ୟପାଳ କହିଥିଲେ । ଏହି ସମ୍ମିଳନୀ ବୟସ୍କ ସ୍ୱାସ୍ଥ୍ୟ ସେବାରେ ବିକଶିତ ଧାରାର ପ୍ରତିଫଳନ ହେବ ଏବଂ କ୍ଲିନିକାଲ୍ ଓ ଗୋଷ୍ଠୀ ଆଧାରିତ ହସ୍ତକ୍ଷେପ ପାଇଁ ଅଭିନବ କୌଶଳ ସମ୍ପର୍କରେ ଆଲୋଚନା କରିବା ପାଇଁ ସମୟ ଉପଯୋଗୀ ମଞ୍ଚ ହେବ ବୋଲି କହିବା ସହିତ ଏ ଦିଗରେ ପ୍ରୟାସ ପାଇଁ ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆକୁ ରାଜ୍ୟପାଳ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଥିଲେ । ଏହି ସମାରୋହରେ ଏମ୍ସ୍, ଅବନ୍ତିପୁରା (ଜମ୍ମୁ ଓ କାଶ୍ମୀର)ର ଏକଜିକ୍ୟୁଟିଭ ଡିରେକ୍ଟର ତଥା ସି.ଇ. ଓ. ଡ଼ା. ସଚ୍ଚିଦାନନ୍ଦ ମହାନ୍ତି, ହାଇଟେକ୍ ଗ୍ରୁପ ଅଫ ଇନ୍ଷ୍ଟିଚ୍ୟୁଟର ଚେଆରମ୍ୟାନ ଡ଼ା. ତିରୁପତି ପାଣିଗ୍ରାହୀ, ଜି.ଏସ.ଆଇ.ର ପ୍ରେସିଡେଣ୍ଟ ଡ଼ା. ଅତୁଲ କୁଳଶ୍ରେଷ୍ଠ, ସେକ୍ରେଟାରୀ ଜେନେରାଲ ଡ଼ା. ଓମ୍ ପ୍ରକାଶ ଶର୍ମା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଆୟୋଜକ କମିଟିର ଚେଆରମ୍ୟାନ୍ ଡ଼ା. ପୂର୍ଣ୍ଣଚନ୍ଦ୍ର ଦାଶ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking