23.1 C
Bhubaneswar
Monday, February 16, 2026
Homeଓଡିଶାଲୋକଙ୍କୁ ଭେଟି ସମସ୍ୟା ଶୁଣିଲେ ନରସିଂହ; ଲୋକଙ୍କଠାରୁ ସିଧାସଳଖ ଚାର ଓ ମହୁଲ କିଣୁ ସରକାର

ଲୋକଙ୍କୁ ଭେଟି ସମସ୍ୟା ଶୁଣିଲେ ନରସିଂହ; ଲୋକଙ୍କଠାରୁ ସିଧାସଳଖ ଚାର ଓ ମହୁଲ କିଣୁ ସରକାର

ବଲାଙ୍ଗୀର: ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଦେଓଗାଁ ବ୍ଲକ୍ ଅନ୍ତର୍ଗତ ଅର୍ଜୁନପୁର ପଞ୍ଚାୟତର ଅଇଁଲାପାଲି ଓ ଗୌରଗୋଠ ପଞ୍ଚାୟତର ଗୌରଗୋଠରେ ସ୍ଥାନୀୟ ଲୋକଙ୍କୁ ଭେଟି ତାଙ୍କ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ଶିବରାତ୍ରୀ ଉପଲକ୍ଷେ ଶ୍ରୀ ମିଶ୍ର ପ୍ରଥମେ ଏହି ଅଞ୍ଚଳରେ ବିଭିନ୍ନ ଦେବାଳୟ ବୁଲି ମହାଦେବଙ୍କ ଆଶୀର୍ବାଦ ଲାଭ କରି ଅଞ୍ଚଳ ପାଇଁ ଶୁଭକାମନା କରିଥିଲେ। ଅଇଁଲାପାଲି ଗୌରଗୋଠରେ ସ୍ଥାନୀୟ ଲୋକଙ୍କ ପାଖକୁ ଯାଇ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଶୁଣିଥିଲେ। ଫେବୃୟାରୀ ମାସ ଅଧା ହୋଇଯାଇଥିଲେ ହେଁ ଏପର୍ଯ୍ୟନ୍ତ ସମସ୍ତ ଧାନ ଉଠି ପାରିନାହିଁ। ଯେତିକିବି ଧାନ ବିକ୍ରି ହୋଇଛି ସେଥିରୁ କଟ୍‌ନି ଛଟ୍‌ନି ହୋଇଥିବା ନେଇ ସମସ୍ତ ଚାଷୀ ଅଭିଯୋଗ କରୁଛନ୍ତି। ଆହୁରି ମଧ୍ୟ ଲୋକେ ଜଙ୍ଗଲଜାତ ଦ୍ରବ୍ୟ ଚାର ଓ ମହୁଲର ଦରଦାମ୍‌କୁ ନେଇ ଅନେକ ବର୍ଷରୁ ଅସନ୍ତୁଷ୍ଟ ଥିବା ଉପସ୍ଥିତ ଲୋକଙ୍କଠାରୁ ଆଲୋଚନା ବେଳେ ଜଣାପଡ଼ିଥିଲା। ଯଦିଓ ଏ ବର୍ଷ ଜଙ୍ଗଲରୁ ଚାର ମହୁଲ ସଂଗ୍ରହ ଆରମ୍ଭ ହୋଇନାହିଁ କିନ୍ତୁ ଏହି ବହୁମୁଲ୍ୟ ଦ୍ରବ୍ୟର ଉଚିତ୍ ଦାମ ଚାର ଓ ଗୋଟାଳିମାନେ ପାଇ ପାରୁନାହାନ୍ତି କାରଣ ଏହି ଉଭୟ ଜଙ୍ଗଲଜାତ ଦ୍ରବ୍ୟ କିଣିବା ପାଇଁ ସରକାର କୌଣସି ନିର୍ଦ୍ଦିଷ୍ଟ ନିୟମାବଳୀ ପ୍ରସ୍ତୁତ କରିନାହାନ୍ତି । ବହୁ ବର୍ଷ ପୂର୍ବରୁ ମହୁଲକୁ ସରକାର ପ୍ରତ୍ୟକ୍ଷ ଭାବେ ବନ ନିଗମ ଜରିଆରେ ଲୋକଙ୍କଠାରୁ କିଣୁଥିଲେ କିନ୍ତୁ ପରେ ସେଥିରୁ ଓହରି ଯିବାରୁ ବର୍ତ୍ତମାନ ବିଭିନ୍ନ ଘରୋଇ ମଧ୍ୟସ୍ଥିମାନେ ଏହାକୁ ଶାଗ ମାଛ ଦରରେ କିଣୁଛନ୍ତି।

ସରକାର ଯଦି ନିଜେ ମହୁଲ କିଣିବେ ତେବେ ଗ୍ରାମାଞ୍ଚଳର ଅର୍ଥନୀତି ନିଶ୍ଚିତ ଭାବେ ସୁଦୃଢ଼ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ସେହିପରି ଚାର ମଧ୍ୟ ଏକ ବହୁମୁଲ୍ୟ ଜଙ୍ଗଲଜାତ ଦ୍ରବ୍ୟ। ରାଜ୍ୟ ବାହାରେ ତଥା ମହାରାଷ୍ଟ୍ର ଓ ଗୁଜୁରାଟରେ ଏହି ଚାର ମଞ୍ଜିର ଦାମ୍ ବହୁ ଅଧିକ। କିନ୍ତୁ ଆମ ଅଞ୍ଚଳରୁ ବ୍ୟବସାୟୀମାନେ ଏହାକୁ କେଜି ପ୍ରତି ୪୦୦ରୁ ୫୦୦ ଟଙ୍କାରେ କିଣି ମୁନାଫା କମାଉଛନ୍ତି। ତେଣୁ ଏହି ଉଭୟ ବଣଜାତ ଦ୍ରବ୍ୟକୁ ଏକ ସର୍ବନିମ୍ନ ସହାୟକ ମୂଲ୍ୟ ସହ ସରକାର ତା’ର ଏଜେନ୍ସି ମାଧ୍ୟମରେ ଲୋକଙ୍କଠାରୁ କିଣୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି। ଏହି ଆଲୋଚନା ବେଳେ ବ୍ଲକ୍ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ପ୍ରଦୀପ ପଣ୍ଡା, ମୟ ପ୍ରଧାନୀ, ଉମାକାନ୍ତ ଜାଲ, ଅସିତ ମିଶ୍ର, ବିକାଶ ସାହୁ, କୈଳାସ ମିଶ୍ର, ବୁଦ୍ଧଦେବ ସାହୁ, ଜିତୁ ରଣା, ହରିଶଚନ୍ଦ୍ର ଭୋଇ, ପିତାମ୍ବର ମଲ୍ଲିକ, ମୁରଲି ରଣା ଓ ପ୍ରକାଶ ସାହୁଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking