ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ, କଲ୍ୟାଣପୁର ପରିସରରେ ହରେକୃଷ୍ଣ ଦାସ ସ୍ମୃତି ସମ୍ମାନ ସମାରୋହ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି | ଫାଉଣ୍ଡେସନର ସଭାପତି ନଳିନୀ ପ୍ରଭା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାର ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ପରେ ସ୍ଵାତିଲିପସା ବଳ ଓ ଇତିଶ୍ରୀ ରାଉତଙ୍କଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା |ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିବା ସହିତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ | ଉକ୍ତ ସମାରୋହରେ ମୁଖ୍ୟ ଅତିଥିରୂପେ ମାନ୍ୟବର ବିଧାୟିକା ପ୍ରମିଳା ମଲ୍ଲିକ ଯୋଗଦାନ କରି ଅନୁଷ୍ଠାନର ଭୁୟଂସୀ ପ୍ରଶାଂସା କରି ଦିବଂଗତ ଦାସଙ୍କର ସ୍ମୃତିଚାରଣ କରିଥିଲେ | ମୁଖ୍ୟ ବକ୍ତାରୂପେ ଇଂ ଅଭୟ ସୁତାର ଯୋଗଦାନ କରି ପଲ୍ଲୀ ଅଂଚଳରେ କଳା- ସାହିତ୍ୟ -ସଂସ୍କୃତିର ବିକାଶ ଜାରି ରହିଛି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରଥିଲେ | ସମ୍ମାନିତ ଅତିଥି ରୂପେ ଅରୁଣ ପାତ୍ର, ଚଳଚ୍ଚିତ୍ର ଅଭିନେତା ସମ୍ବିତ କୁମାର ସାହୁ, କଣ୍ଠଶିଳ୍ପୀ ଏଞ୍ଜୋଳା ମିଶ୍ର, ଯୁବ ସମାଜସେବୀ ପଦ୍ମାକର ଗୁରୁ,ଶିଶୁ ସାହିତ୍ୟିକ ତଥା ସାମ୍ବାଦିକ ଧୀରେନ୍ଦ୍ର ମଲ୍ଲିକ ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସଞ୍ଜୟ ସାମଲ ଯୋଗଦେଇ ସାହିତ୍ୟ ଓ ପିଲାମାନଙ୍କ ଠାରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ଉପରେ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ | ଅନ୍ୟତମ ଅତିଥି ରୂପେ ବିଂଝାରପୁର ପଂଚାୟତ ସମିତି ଅଧ୍ୟକ୍ଷା ରଂଜିତା ଦାସ ଯୋଗଦେଇ ଅନୁଷ୍ଠାନର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମକୁ ପ୍ରଂଶସା କରିଥିଲେ |
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନାଟ୍ୟ ନିର୍ଦ୍ଦେଶକ ସୁଶାନ୍ତ ନାୟକ, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ରବି ପ୍ରସାଦ ସାମଲ, ବରିଷ୍ଠ ସ୍ତମ୍ଭକାର ରବି ନାରାୟଣ ସାମଲ, ଯୁବ ସମାଜସେବୀ ଦିଲ୍ଲୀପ କୁମାର ରାଉଳ, ପ୍ରକୃତିପ୍ରେମୀ ବଟକୃଷ୍ଣ ପଣ୍ଡା,ଶ୍ରମିକ ନେତା ଓ କବି ଧନେଶ୍ୱର ରାଉତ ଓ କବି ବିନୋଦ ବିହାରୀ ଦାସ ପ୍ରମୁଖଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା | ପରେ ଏକ ଶହରୁ ଉର୍ଦ୍ଧ୍ଵ କବି ଓ କବୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଶ୍ରୀବନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମୀଙ୍କୁ ସମ୍ମାନିତ କରାଯିବା ସହିତ ପ୍ରି-ବୋର୍ଡ ଓ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା | ଦ୍ଵିତୀୟ ଅଧିବେଶନରେ ବିଶିଷ୍ଟ କବି ବିନୋଦ ବିହାରୀ ଦାସଙ୍କ ସଭାପତିତ୍ୱରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା |କବି ପ୍ରଦୀପ୍ତ ଦାସ ,ପ୍ରଭାତ ମଲ୍ଲିକ,କବୟିତ୍ରୀ କ୍ରିଷ୍ଣା କଲ୍ୟାଣୀ ବେହେରା କବିତା ସଂଯୋଜନା କରିଥିଲେ | ଉକ୍ତ ସଂଯୋଜକ/ସଂଯୋଜିକାମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶମ୍ଭୁନାଥ ଦାଶ, ସିପନ କୁମାର ବେହେରା, ଖଗେଶ୍ୱର ଯେନା, ମୁମସାଦ ଖାନ, ଶିକ୍ଷୟିତ୍ରୀ ବିଜୟା ମଲ୍ଲିକ, ନବ କିଶୋର ସାହୁ, ବିଶ୍ୱନାଥ ପଣ୍ଡା ଓ ସମର୍ଜିତ ସାହୁ ପ୍ରମୁଖ ସଂଚାଳନ କରିଥିଲେ | ସଭାଶେଷରେ କନକଳତା ବିଦ୍ୟାଧର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା କବି ବିନୋଦ ବିହାରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ |