22.1 C
Bhubaneswar
Friday, February 6, 2026
Homeଖେଳମୁମ୍ବାଇ ଇଣ୍ଡିଆନ୍ସର ଲଗାତାର ଦ୍ୱିତୀୟ ପରାଜୟ

ମୁମ୍ବାଇ ଇଣ୍ଡିଆନ୍ସର ଲଗାତାର ଦ୍ୱିତୀୟ ପରାଜୟ

ଅହମ୍ମଦାବାଦ: ଆଇପିଏଲ୍ ୨୦୨୫ ସିଜନ୍‌ରେ ଗୁଜରାଟ ଟାଇଟନ୍ସ ବିଜୟ ଖାତା ଖୋଲିଛି। ଶନିବାର ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ନବମ ମ୍ୟାଚ୍‌ରେ ଗୁଜରାଟ ୩୬ ରନ୍‌ରେ ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦେଇଛି। ପ୍ରଥମେ ଗୁଜରାଟ ୮ ୱିକେଟ୍ ବିନିମୟରେ ୧୯୬ ରନ୍ କରିଥିବା ବେଳେ ମୁମ୍ବାଇ ୬ ୱିକେଟ୍ ବିନିମୟରେ ୧୬୦ ରନ୍ କରିବାକୁ ସମର୍ଥ ହୋଇଥିଲା। ଦୁଇଟି ମ୍ୟାଚ୍‌ରୁ ଏହା ଗୁଜରାଟର ପ୍ରଥମ ବିଜୟ ହୋଇଥିବା ବେଳେ ମୁମ୍ବାଇର ଲଗାତର ଦ୍ୱିତୀୟ ପରାଜୟ। ଟିମ୍ ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍‌ସଠାରୁ ୪ ୱିକେଟ୍‌ରେ ପରାଜିତ ହୋଇଥିଲା।

ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଓଭର୍‌ରେ ହିଁ ରୋହିତ ଶର୍ମା (୮)ଙ୍କ ୱିକେଟ୍ ହରାଇଥିଲା। ମହମ୍ମଦ ସିରାଜ୍ ତାଙ୍କୁ କ୍ଳିନ୍ ବୋଲ୍ଡ କରିଥିଲେ। ଏହାପରେ ସିରାଜ୍ ର‌୍ୟାନ୍ ରିକେଲ୍‌ଟନ୍‌ଙ୍କୁ ମଧ୍ୟ ବୋଲ୍ଡ କରି ମୁମ୍ବାଇ ସ୍କୋର୍ ୨/୩୫ କରିଥିଲେ। ଏହାପରେ ତିଳକ ବର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୬୨ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ମାତ୍ର ତିଳକଙ୍କୁ ଆଉଟ୍ କରି ପ୍ରସିଦ୍ଧ କ୍ରିଷ୍ଣା ଏହି ଯୋଡ଼ିରେ ବ୍ରେକ୍ ଲଗାଇଥିଲେ। ତିଳକ ୩ ଚୌକା ଓ ଗୋଟିଏ ଛକା ସହାୟତାରେ ୩୬ ବଲ୍‌ରେ ୩୯ ରନ୍ କରିଥିଲେ। ଇମ୍ପାକ୍ଟ ପ୍ଲେୟର୍ ରବିନ୍ ମିଞ୍ଜ୍ (୩)ଙ୍କୁ ସାଇ କିଶୋର ବିଦାୟ କରିଥିଲେ। ସୂର୍ଯ୍ୟକୁମାର ସର୍ବାଧିକ ୪୮ ରନ୍ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ଶିକାର ହୋଇଥିଲେ। ତାଙ୍କ ୨୮ ବଲ୍‌ର ଇନିଂସ୍‌ରେ ଗୋଟିଏ ଚୌକା ଓ ୪ ଛକା ସାମିଲ ଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲ୍‌ରେ ୧୧ ରନ୍ କରି କାଗିସୋ ରବାଡାଙ୍କ ବଲ୍‌ରେ ସିରାଜ୍‌ଙ୍କୁ କ୍ୟାଚ୍ ଦେଇ ଫେରିଥିଲେ। ନମଦ ଧୀର ଓ ମିଚେଲ୍ ସାଣ୍ଟନର୍ ୧୮-୧୮ ରନ୍ କରି ଅପରାଜିତ ଫେରିଥିଲେ। ଗୁଜରାଟ ପକ୍ଷରୁ ମହମ୍ମଦ ସିରାଜ୍ ଓ ପ୍ରସିଦ୍ଧ କ୍ରିଷ୍ଣା ୨-୨ ୱିକେଟ୍ ନେଇଥିବା ବେଳେ କାଗିସୋ ରବାଡା ଓ ଆର୍ ସାଇ କିଶୋରଙ୍କୁ ୧-୧ ସଫଳତା ମିଳିଛି। ଟସ୍ ହାରି ବ୍ୟାଟିଂ ପାଇଥିବା ଗୁଜରାଟ ଟାଇଟନ୍ସର ଆରମ୍ଭ ଚମତ୍କାର ଥିଲା। କ୍ୟାପ୍‌ଟେନ୍ ଶୁଭମନ୍ ଗିଲ୍ ଓ ସାଇ ସୁଦର୍ଶନ ମୁମ୍ବାଇ ବୋଲର୍‌ଙ୍କୁ ନିର୍ଧୁମ ପିଟିଥିଲେ। ପାୱାର୍‌ପ୍ଲେରେ ଟିମ୍ ୬୬ ରନ୍ କରିଥିଲା। ଶୁଭମନ୍ ଗିଲ୍‌ଙ୍କୁ ଆଉଟ୍ କରି ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇକୁ ପ୍ରଥମ ସଫଳତା ଦେଇଥିଲେ। ଗିଲ୍ ୨୭ ବଲ୍‌ରେ ଚାରି ଚୌକା ଓ ଗୋଟିଏ ଛକା ସହାୟତାରେ ୩୮ ରନ୍ କରିଥିଲେ।

ଗିଲ୍ ଓ ସୁଦର୍ଶନଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୭୮ ରନ୍‌ର ପାର୍ଟନର୍‌ଶିପ୍ ହୋଇଥିଲା। ଗିଲ୍‌ଙ୍କ ଆଉଟ୍ ପରେ କ୍ରିଜ୍‌କୁ ଆସିଥିବା ଜୋସ୍ ବଟ୍‌ଲର୍ ଦ୍ୱିତୀୟ ୱିକେଟ୍ ପାଇଁ ସୁଦର୍ଶନଙ୍କ ସହ ୫୧ ରନ୍ ଯୋଡ଼ିଥିଲେ। ବଟ୍‌ଲର୍ ପାଞ୍ଚ ଚୌକା ଓ ଗୋଟିଏ ଛକା ସହାୟତାରେ ୨୪ ବଲ୍‌ରେ ୩୯ ରନ୍ କରିଥିବା ବେଳେ ଆଫଗାନୀ ସ୍ପିନର୍ ମୁଜିବ୍ ଉର୍ ରହମାନ୍‌ଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ଏହାର କିଛି ସମୟ ପରେ ସାଇ ସୁଦର୍ଶନ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ପୂର୍ବରୁ ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ସୁଦର୍ଶନ ୭୪ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ୍ ମଧ୍ୟ ଖେଳିଥିଲେ। ଇତିମଧ୍ୟରେ ଗୁଜରାଟ ଟାଇଟନ୍ସ ଶାହରୁଖ୍ ଖାନ୍ (୯)ଙ୍କ ୱିକେଟ୍‌ରେ ଶସ୍ତାରେ ହରାଇଥିଲା। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ। ଶାହରୁଖ୍‌ଙ୍କ ଆଉଟ୍ ପରେ ଶେରଫେନ୍ ରଦରଫୋର୍ଡ ଓ ସୁଦର୍ଶନଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୩୩ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ଏହାପରେ ଗୁଜରାଟ ଲଗାତାର ତିନିଟି ୱିକେଟ୍ ହରାଇଥିଲା। ଟ୍ରେଣ୍ଟ୍ ବୋଲ୍ଟ ୧୮ତମ ଓଭର୍‌ର ଶେଷ ବଲ୍‌ରେ ସାଉ ସୁଦର୍ଶନଙ୍କୁ ବୋଲ୍ଡ କରିଥିଲେ। ସୁଦର୍ଶନ ୪୧ ବଲ୍‌ରେ ଚାରି ଚୌକା ଓ ଦୁଇ ଛକା ସହାୟତାରେ ୬୩ ରନ୍ କରିଥିଲେ। ୧୯ତମ ଓଭର୍‌ର ପ୍ରଥମ ବଲ୍‌ରେ ରାହୁଲ ତେୱତିଆ (୦) ରନ୍ ଆଉଟ୍ ହୋଇଥିବା ବେଳେ ଦୀପକ ଚହର ଦ୍ୱିତୀୟ ବଲ୍‌ରେ ରଦରଫୋର୍ଡ (୧୮)ଙ୍କୁ ପ୍ୟାଭିଲିୟନ୍ ଫେରାଇଥିଲେ। ଲଗାତାର ୱିକେଟ୍ ପତନ ଫଳରେ ଗୁଜରାଟ ଟିମ୍ ୨୦୦ ରନ୍‌ରେ ପହଞ୍ଚିପାରି ନଥିଲା।ସତ୍ୟନାରାୟଣ ରାଜୁ ଅନ୍ତିମ ଓଭର୍‌ରେ ରଶିଦ୍ ଖାନ୍ (୭) ଓ ଆର୍ ସାଇ କିଶୋର (୧)ଙ୍କୁ ଆଉଟ୍ କରିଥିଲେ। ମୁମ୍ବାଇ ପକ୍ଷରୁ କ୍ୟାପ୍‌ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking