ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଉପତ୍ୟକାରେ କାଳିଆପାଣି-କଅଁସ ପଞ୍ଚାୟତ ସୀମାନ୍ତ ଶୁକୁରଙ୍ଗି କ୍ରୋମାଇଟ୍ ଖଣି ପାଖ ଚିରିଗୁଡ଼ା ବସ୍ତିରେ ରବିବାର ସଂଧ୍ୟା 7 ଟା ବେଳେ ଖଣିର ମାଟି ଡମ୍ପ ଭୁଶୁଡ଼ି ବସ୍ତିର ଏକାଧିକ ଘରେ କାଦୁଅପାଣି ପଶିଯାଇଥିବା ଦେଖିବାକୁ ମିଳିଥିଲା । ଜୋର୍ ବର୍ଷା କାରଣରୁ ସ୍ଥିତି ଗମ୍ଭୀର ଓ ଅଣାୟତ୍ତ ହୋଇପଡିଥିଲା । ଓଏମସିର ଅବସରପ୍ରାପ୍ତ କର୍ମଚାରୀ ଗଗନ ବିହାରୀ ନାୟକ ଓ ବିନୋଦ ବାରିକଙ୍କ ଘରେ ଆଣ୍ଠୁଏ ଉଚ୍ଚର କାଦୁଅପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା । ନିଜ ଘରୁ ପଦାକୁ ବାହାରି ଆସୁଥିବା ସମୟରେ ବିନୋଦ ବାରିକଙ୍କ ଛାତି ପର୍ଯ୍ୟନ୍ତ କାଦୁଅପାଣି ଛୁଇଁଥିବା ଦେଖାଯାଇଛି । ପାଖରେ ଥିବା ଓଏମ୍ସିର ଟ୍ରକ୍ ଟର୍ମିନାଲର କଂକ୍ରିଟ୍ ଚଟାଣରେ ଫୁଟେ ଉଚ୍ଚରେ କାଦୁଅପାଣି ମାଡ଼ୁଥିବା ଦେଖାଯାଇଥିଲା । ଏଠାକାର ବୃହତ୍ତ ଚଟାଣରୁ ପାର୍ଶ୍ବସ୍ଥ ପୋଲ ବାଟରେ ନିଷ୍କାସିତ ଦୂଷିତ ଜଳ ତଳ ମୁଣ୍ଡରେ ଥିବା ଭୈରବ ବେହେରା ଓ ଲକ୍ଷ୍ମଣ ମୁଣ୍ଡାଙ୍କ ଘର ଭିତରେ ପାଣି ପଶିଥିବାରୁ ପ୍ରଭାବିତ ପରିବାରରେ ପରିସ୍ଥିତି ଜଟିଳ ହୋଇଥିବା ସ୍ଥାନୀୟ ସରପଞ୍ଚ ବିକାଶ କୁମାର ପାତ୍ର ଓ ସମାଜସେବୀ ଆଶିଷ କୁମାର ଜେନା ଅଭିଯୋଗ କରିଛନ୍ତି ।ଏ ସମ୍ପର୍କରେ ଏପରି ଘଟିବ ବୋଲି ଆଶଙ୍କା କରାଯାଇ ଖବର ପ୍ରସାରଣ କରାଯାଇଥିଲା ହେଲେ ଖଣିଗୁଡିକର ମାଲିକ ଓ ଜିଲ୍ଲା ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛନ୍ତି l









