24.1 C
Bhubaneswar
Monday, March 23, 2026
Homeଦେଶ ବିଦେଶସାଂସଦ ଗଣିବେ ୧.୯୧ କୋଟି ଟଙ୍କାର ଜୋରିମାନା; ବିଦ୍ୟୁତ ଚୋରି ଅଭିଯୋଗରେ ଦଣ୍ଡିତ

ସାଂସଦ ଗଣିବେ ୧.୯୧ କୋଟି ଟଙ୍କାର ଜୋରିମାନା; ବିଦ୍ୟୁତ ଚୋରି ଅଭିଯୋଗରେ ଦଣ୍ଡିତ

ସମ୍ଭଲ: ଦେଶର ଜଣେ ସାଂସଦ ହୋଇ ବିଦ୍ୟୁତ ଚୋରି କରିବା ଏବଂ ଧରାପଡିବା ପରେ ୧.୯୧ କୋଟି ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ ହେବା ଭଳି ଘଟଣା ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ ବିଦ୍ୟୁତ ମିଟର ଟାମ୍ପରିଂ ଅଭିଯୋଗରେ ସମାଜବାଦୀ ପାର୍ଟି (ଏସ୍‌ପି) ସାଂସଦ ତଥା ସମ୍ଭଲ ହିଂସାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଜିୟା ଉର ରେହମାନଙ୍କ ଉପରେ ୧ କୋଟି ୯୧ ଲକ୍ଷ ଟଙ୍କାର ଫାଇନ୍ ଲାଗୁ କରାଯାଇଛି। କେବଳ ସେତିକି ନୁହେଁ ତାଙ୍କ ଘରର ବିଜୁଳି ସଂଯୋଗକୁ ମଧ୍ୟ କାଟି ଦିଆଯାଇଥିବା ବେଳେ ଜଣାପଡିଛି। ଏହା ସହିତ ପ୍ରଶାସନ ପକ୍ଷରୁ ସମ୍ଭଲର ଦୀପା ସରାଇ ଅଞ୍ଚଳରେ ସରକାରୀ ଜାଗାକୁ ମାଡ଼ି ସାଂସଦ ତିଆରି କରିଥିବା ଘରର ବାରଣ୍ଡାରେ ବୁଲଡୋଜର ଚଲାଯାଇଛି। ବୁଲଡୋଜର ବୁଲାଇ ସାଂସଦଙ୍କ ଘରର ବାରଣ୍ଡା ଭାଙ୍ଗି ଦିଆଯାଇଛି। ତେବେ ସାଂସଦଙ୍କ ଜବରଦଖଲ ଉଚ୍ଛେଦ ଲାଗି ଏଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ବିଜୁଳି ବିଭାଗ ପକ୍ଷରୁ ଏନେଇ ଦିଆଯାଇଥିବା ସୂଚନାନୁସାରେ ସାଂସଦ ରେହମାନ୍‌ଙ୍କ ଘରେ ସବୁପ୍ରକାର ଅତ୍ୟାଧୁନିକ ବୈଦ୍ୟୁତିକ ଉପକରଣ (ଟିଭି, ଏସି, ଫ୍ୟାନ୍‌, ଲାଇଟ୍‌, ଗିଜର, ୱାଶିଂମେସିନ୍‌, ଫ୍ରିଜ୍‌, ଇଣ୍ଡକସନ୍ ଆଦି) ରହିଥିବା ସତ୍ତ୍ୱେ ତାଙ୍କ ମିଟର ରିଡିଂ ‘ଶୂନ’ ଆସିଛି। ଏହାକୁ ନେଇ ସନ୍ଦେହ ହେବା ପରେ ଯାଞ୍ଚ୍ କରାଯାଇଥିଲା। ଯାଞ୍ଚ୍ ସମୟରେ ସେ ବିଜୁଳି ବିଲ୍ ଫାଙ୍କିବା ପାଇଁ ମିଟର ଟାମ୍ପରିଂ ସହ ଅନେକ ଅସାଧୁ ଉପାୟ ଅବଲମ୍ବନ କରିଥିବା ଜଣାପଡିଥିଲା। ଫଳରେ ତାଙ୍କ ଉପରେ ଜୋରିମାନା ଲାଗୁ କରାଯାଇଛି। ଅନ୍ୟପକ୍ଷେ ଯାଞ୍ଚ ପାଇଁ ଯାଇଥିବା ପୁଲିସ ଓ ବିଦ୍ୟୁତ୍ ବିଭାଗ ଟିମ୍‌କୁ ସାଂସଦ ରେହମାନ୍ ଧମକାଇଥିବା ଅଭିଯୋଗ ହୋଇଛି। ଏହାପରେ ସାଂସଦଙ୍କ ନାଁରେ ଧାରା ୧୩୫ ଅନୁଯାୟୀ ମାମଲା ରୁଜୁ ହୋଇଛି। କେବଳ ସାଂସଦ ନୁହନ୍ତି ଡ୍ୟୁଟିରେ ଯାଇଥିବା ଅଧିକାରୀଙ୍କୁ ଧମକାଇବା ଅଭିଯୋଗରେ ତାଙ୍କ ବାପାଙ୍କ ନାଁରେ ବି ମାମଲା ରୁଜୁ ହୋଇଛି। ଯାଞ୍ଚରୁ ସାଂସଦଙ୍କ ଘରର ମିଟର ରିଡିଂ ବର୍ଷ ବର୍ଷ ହେଲା ଜିରୋ ରହିଆସିଥିବା ଜଣାପଡିଛି। ସମ୍ଭଲରେ ମସଜିଦ ଏବଂ ମଦ୍ରାସା ସମେତ ଅନେକ ଘରେ ବିଦ୍ୟୁ ଚୋରି ହେଉଥିଲା। ଏଠାରେ ହୋଇଥିବା ହିଂସା ପରେ ପ୍ରଶାସନ ବିଦ୍ୟୁତ ଚୋରି ବିରୋଧରେ ଅଭିଯାନକୁ ଜୋରଦାର କରିଛି। ଗତ ୩ ମାସ ମଧ୍ୟରେ ୧୨୫୦ ଏଫଆଇଆର ରୁଜୁ କରିଛି। ଏହା ସହିତ ୫ କୋଟି ୨୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking