29.1 C
Bhubaneswar
Thursday, April 24, 2025
Homeଓଡିଶାଲିଙ୍ଗରାଜ ଟେମ୍ପଲ୍ ରୋଡ୍ ଷ୍ଟେସନ ନବୀକରଣ ପ୍ରକଳ୍ପର ସମୀକ୍ଷା କଲେ ସାଂସଦ

ଲିଙ୍ଗରାଜ ଟେମ୍ପଲ୍ ରୋଡ୍ ଷ୍ଟେସନ ନବୀକରଣ ପ୍ରକଳ୍ପର ସମୀକ୍ଷା କଲେ ସାଂସଦ

ଭୁବନେଶ୍ୱର: ନୂଆ ରୂପ ପାଇବାକୁ ଯାଉଛି ଭୁବନେଶ୍ବରର ଲିଙ୍ଗରାଜ ଟେମ୍ପଲ୍‌ ରୋଡ୍ ରେଳ ଷ୍ଟେସନ । ଆଜି ଏହି ପ୍ରସ୍ତାବିତ ଲିଙ୍ଗରାଜ ଟେମ୍ପଲ ରୋଡ଼୍ ରେଳ ଷ୍ଟେସନର ଉନ୍ନତିକରଣ ଏବଂ ନବୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ । ପୂର୍ବତଟ ରେଳବାଇର ଡିଆରଏମ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ନିଜେ ଅପରାଜିତା ଷ୍ଟେସନ ପରିସରରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଟିକିନିଖି ବୁଝିଥିଲେ । ଏହାସହ କାର୍ଯ୍ୟର ମାନ ତର୍ଜ୍ଜମା କରିବା ସହ ଯେମିତି ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ସମାପନ ହୁଏ ସେନେଇ ବିଭାଗୀୟ ଅଧିକାରୀଙ୍କ ସମେତ ଠିକାଦାରଙ୍କୁ ମଧ୍ୟ ତାଗିଦ୍ କରିଛନ୍ତି ମ୍ୟାଡମ୍ ଅପରାଜିତା । ଲିଙ୍ଗରାଜ ଟେମ୍ପଲ ରୋଡ଼୍ ରେଳ ଷ୍ଟେସନର ଉନ୍ନତିକରଣ ଏବଂ ନବୀକରଣ ଲାଗି ଅନେକ ଦିନରୁ ଦାବି ହୋଇଆସୁଥିଲା । ଯାହାକୁ ନେଇ ଅପରାଜିତା ଏକିଧିକବାର ରେଳ ବିଭାଗ ଏବଂ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବଙ୍କର ଦୃଷ୍ଟି ଆକର୍ଷଣ କରିଆସିଥିଲେ । ଆଉ କେବଳ ଅପରାଜିତା ଷଡ଼ଙ୍ଗୀଙ୍କର ପ୍ରୟାସ ଲାଗି ଶେଷରେ ଏହି ପ୍ରକଳ୍ପରେ ବାଜିଥିଲା ମୋହର ।

ଏହି ଉନ୍ନତିକରଣ ପ୍ରକଳ୍ପ ଲାଗି ମୋଟ୍ ୧୯.୫୩ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି । ପ୍ରସ୍ତାବିତ ପ୍ରକଳ୍ପରେ ୭୬୫ ବର୍ଗ ମିଟରର ଗ୍ରାଉଣ୍ଡ ପ୍ଲସ୍ ୨ର ଏକ ନୂତନ ଷ୍ଟେସନ ବିଲ୍ଡିଂ ନିର୍ମାଣ କରାଯାଉଛି । ବର୍ତ୍ତମାନ ଷ୍ଟେସନର ସାମ୍ନା ପଟକୁ ମୁହଁକରି ଥିବା ୧୧ଶହ ବର୍ଗ ମିଟରର ବିଲ୍ଡିଂର ନବୀକରଣ ଓ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ସେହିପରି ୧୨ ମିଟର ଓସାରର ଏକ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ କରାଯିବ । ୨୬୦ ବର୍ଗ ମିଟରର ଅଞ୍ଚଳରେ ଉଭୟ ଦୁଇ ଚକିଆ ଓ ତିନି ଚକିଆ ଯାନ ପାଇଁ ପୃଥକ୍ ପୃଥକ୍ ପାର୍କିଂସ୍ଥଳ ସହ ୧୩୦ ବର୍ଗ ମିଟରର ଏକ ପ୍ରତୀକ୍ଷାଳୟ ମଧ୍ୟ ନିର୍ମାଣ ହେବ । ଉଭୟ ପୁରୁଷ ଏବଂ ମହିଳାଙ୍କ ଲାଗି ୬୫ ବର୍ଗମିଟରର ପ୍ରିମିୟମ୍ ମଡ୍ୟୁଲାର ଟଏଲେଟ୍ ସାଙ୍ଗକୁ ୧, ୨ ଏବଂ ୩ ନଂବର ପ୍ଲାଟଫର୍ମରେ ଗ୍ରାନାଇଟ୍ ଏବଂ ମୋଜାଇକ୍ ଚଟାଣ ଲାଗି ମଧ୍ୟ ଯୋଜନା ରହିଛି ।

ଏହା ସମେତ ୨୯ ବେଜ୍ ର ଅତିରିକ୍ତ ପ୍ଲାଟଫର୍ମ ସେଲ୍ଟର ନିର୍ମାଣ କରାଯିବ । ଏହି ୨୯ ବେଜ୍ ମଧ୍ୟରେ ୧୩ ବେଜ୍ ର ସେଲ୍ଟର ୧ ନଂବର ଏବଂ ୨ ନଂବର ପ୍ଲାଟଫର୍ମ ଲାଗି , ଆଉ ୧୬ ବେଜ୍ ର ସେଲ୍ଟର ୩ ନଂବର ପ୍ଲାଟଫର୍ମ ଲାଗି ନିର୍ମାଣ କରାଯିବ । ତାଛଡ଼ା କୋଚ୍ ଇଣ୍ଡିକେସନ ବୋର୍ଡ, ଟ୍ରେନ୍ ଇଣ୍ଡିକେସନ ବୋର୍ଡ ଏବଂ ସାଇନେଜ୍ ଲାଗି ମଧ୍ୟ ଅନୁଦାନ ଦେଇଛି ରେଳ ମନ୍ତ୍ରାଳୟ । ଅନ୍ୟପଟେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ପରେ କାର୍ଯ୍ୟର ଅଗ୍ରଗତି ଏବଂ ମାନକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ରେଳ ନବୀକରଣ କାମ ପାଇଁ ଭୀମଟାଙ୍ଗିର ଅଂଚଳବାସୀ ଅନେକ ବାର ଭୁବନେଶ୍ବର ସାଂସଦଙ୍କୁ ସାକ୍ଷାତ କରି ଅନୁରୋଧ କରି ଦାବି ଜଣାଇଥିଲେ । ଏହି କ୍ରମରେ ଭୁବନେଶ୍ବର ସାଂସଦ ଏହି ଉନ୍ନତିକରଣ କାମ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଥିଲେ । ନିଜେ ରେଳ ମନ୍ତ୍ରୀଙ୍କୁ ସାକ୍ଷାତ ମଧ୍ୟ କରି 20 କୋଟି ଟଙ୍କା ମଞ୍ଜୁର କରାଇଥିଲେ । ବର୍ତ୍ତମାନ ରେଳ ଉନ୍ନତିକରଣ କାମ ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଛନ୍ତି ଭୁବନେଶ୍ବର ସାଂସଦ । ଆଗାମୀ 31 ଅକ୍ଟୋବର 2025 ସୁଦ୍ଧା ଏହି ରେଳ ଉନ୍ନତିକରଣ କାମ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking