18.1 C
Bhubaneswar
Friday, February 13, 2026
Homeଓଡିଶାଶକ୍ତି ବିଭାଗ ଓ ଏନର୍ଜି ଏଫିସିଏନ୍ସି ସର୍ଭିସେସ ଲିମିଟେଡ଼ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ଶକ୍ତି ବିଭାଗ ଓ ଏନର୍ଜି ଏଫିସିଏନ୍ସି ସର୍ଭିସେସ ଲିମିଟେଡ଼ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର:  ଭାରତର ଶକ୍ତି କ୍ଷେତ୍ରରେ ନୂତନ ପରିବର୍ତ୍ତନ ଏବଂ ସ୍ଥାୟୀତ୍ୱ ଲକ୍ଷ୍ୟକୁ ଆଗକୁ ବଢାଇବା ପାଇଁ ଏନର୍ଜି ଏଫିସିଏନ୍ସି ସର୍ଭିସେସ ଲିମିଟେଡ୍ (EESL), ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଉପସ୍ଥିତିରେ ଶକ୍ତି ବିଭାଗ, ଏବଂ ଇଇଏସଏଲ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ସହଭାଗୀତା ଜଳବାୟୁ ପରିବର୍ତ୍ତନ ଏବଂ ସବୁଜ ବିକାଶରେ ଓଡ଼ିଶାର ନେତୃତ୍ୱକୁ ସୁଦୃଢ଼ ​​କରିବା ସହିତ ବିଭିନ୍ନ କ୍ଷେତ୍ରରେ ଶକ୍ତି ଦକ୍ଷତା ଏବଂ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ଦର୍ଶାଉଛି।

ଏହି ସହଯୋଗ ଶକ୍ତି ସଂରକ୍ଷଣରେ ନୂତନ ଏବଂ ସ୍ଥାୟୀ ସମାଧାନ ସ୍ଥାପନ ପାଇଁ ଏକ ଢାଞ୍ଚା ଭାବରେ କାର୍ଯ୍ୟ କରିବ, ଯେଉଁଥିରେ ସରକାରୀ କୋଠା ଏବଂ ପୌର ସେବାରେ ଶକ୍ତି ସଂରକ୍ଷଣ ପ୍ରକଳ୍ପ, ସ୍ୱଚ୍ଛ ରୋଷେଇ ସମାଧାନ ଏବଂ ବୈଦ୍ୟୁତିକ ଗତିଶୀଳତାକୁ ପ୍ରୋତ୍ସାହନ ଏବଂ କ୍ଷମତା ନିର୍ମାଣ, ଜ୍ଞାନ ବଣ୍ଟନ ଏବଂ ମିଳିତ ଗବେଷଣା ଓ ବିକାଶ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହି ଅବସରରେ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, “ଓଡ଼ିଶାକୁ ଶକ୍ତି ସଂରକ୍ଷଣ ଏବଂ ସ୍ଥାୟୀତ୍ୱରେ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ଆମେ ପ୍ରତିବଦ୍ଧ। ଇଇଏସଏଲ ସହିତ ଏହି ବୁଝାମଣା ଆମକୁ ସାରା ରାଜ୍ୟରେ ଶକ୍ତି ସୁରକ୍ଷା ବୃଦ୍ଧି, ଖର୍ଚ୍ଚ ହ୍ରାସ ଏବଂ ସାର୍ବଜନୀନ ଭିତ୍ତିଭୂମିକୁ ଉନ୍ନତ କରିବାରେ ସାହାଯ୍ୟ କରିବ। ବୃହତ ପରିମାଣର ଶକ୍ତି ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟକାରୀ କରି, ଆମେ ଆମର ନାଗରିକଙ୍କ ପାଇଁ ଏକ ସବୁଜ ଓ ସୁଦୃଢ଼ ଭବିଷ୍ୟତ ସୁନିଶ୍ଚିତ କରୁଛୁ। ସ୍ଥାୟୀ ବିକାଶ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ଓଡ଼ିଶାର ସ୍ବପ୍ନକୁ ସାକାର କରିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ସାବ୍ୟସ୍ତ ହେବ ।”

ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ କହିଛନ୍ତି, “ଆମେ ଯେଉଁ ସ୍ଥାୟୀ ଭବିଷ୍ୟତ ନିର୍ମାଣ ପାଇଁ ପ୍ରୟାସ କରୁଛୁ ସେଥିରେ ଶକ୍ତି ସଂରକ୍ଷଣର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଇଇଏସଏଲ ସହିତ ଏହି ବୁଝାମଣା ଆମକୁ ଶକ୍ତି କ୍ଷେତ୍ରରେ ଉନ୍ନତ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ତଥା ଶକ୍ତିର ଅପବ୍ୟବହାର ବିଷୟରେ ସଚେତନ କରିବ।” EESLର ସିଇଓ ଶ୍ରୀ ବିଶାଲ କପୁର କହିଛନ୍ତି, “ଆମେ ନିଶ୍ଚିତ ଯେ ଏହି ସହଭାଗୀତା ଶକ୍ତି ଦକ୍ଷତାରେ ଓଡ଼ିଶାର ନେତୃତ୍ୱକୁ ତ୍ୱରାନ୍ୱିତ କରିବ ଏବଂ ଭାରତର ନେଟ୍ ଜିରୋ ଲକ୍ଷ୍ୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।” ଏହି ସହଭାଗିତା ଏକ କାର୍ବନ ଫ୍ରି ଭବିଷ୍ୟତ ହାସଲ କରିବା ଏବଂ ଶକ୍ତି ସୁରକ୍ଷାକୁ ପ୍ରୋତ୍ସାହିତ କରିବାରେ ଉଭୟ ସରକାରୀ-ବେସରକାରୀ ଭାଗିଦାରୀର ପ୍ରମାଣ ଅଟେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking