ଭୁବନେଶ୍ୱର: ନବରାତ୍ରି ଅବସରରେ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶକ୍ତିପୀଠ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଠାରୁ ଆରମ୍ଭ କରି ସମ୍ବଲପୁରର ମା’ ସମଲେଶ୍ୱରୀ, କଟକର ମା’କଟକଚଣ୍ଡୀ,ଝଙ୍କଡ , ଶାପଳା, କାକଟପୁର ମଙ୍ଗଳା, ଘଟଗାଁର ମା’ତାରିଣୀଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା । ପୀଠମାନଙ୍କରେ ଆଜି ମା’ଙ୍କ ମହାଅଷ୍ଟମୀ ନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ ମଣ୍ଡପରେ ମହାସପ୍ତମୀରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ପୀଠରୁ ନେଇ ମଣ୍ଡପ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ଭିଡ ଜମିଛି । ସକାଳୁ ସକାଳୁ ଉପବାସ ରଖିଥିବା ମହିଳାମାନେ ଲମ୍ବା ଲାଇନରେ ମାଙ୍କ ଦର୍ଶନ ପାଇଁ ଭିଡ ଲଗାଇଥିବା ବେଳେ ସଂଧ୍ୟାରେ ମାଙ୍କ ନବଦିନାତ୍ମକ ରଥଯାତ୍ରାର ଅଷ୍ଟମ ଦିନରେ ରଥ ଚାଳନା କରାଯିବ । ମାଙ୍କ ମନ୍ଦିର ସୁନ୍ଦର ଭାବେ ଫୁଲ, ରଙ୍ଗୀନ ଆଲୋକରେ ସାଜସଜ୍ଜା କରାଯାଇଥିବା ବେଲେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।










