ଯାଜପୁର: ଉପଜିଲ୍ଲାପାଳଙ୍କ ପ୍ରଶାସନ ହେପାଜତରୁ ଦୁଇ ବର୍ଷର ଶିଶୁ ପୁତ୍ରକୁ ନେଇ ମା’ ଗାଏବ। ଯାଜପୁର ଟାଉନ ପୁଲିସ ଉପଜିଲ୍ଲାପାଳଙ୍କ କୋର୍ଟରେ ହାଜର କରାଇବାକୁ ଆଣିଥିବା ଶିଶୁପୁତ୍ରକୁ ଧରି ମା’ଫେରାର ହୋଇଯିବା ପରେ ଏବେ ହରଡ଼ଘଣାରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି)। ଶିଶୁ ନ୍ୟାୟ ଆଇନକୁ ଉଲ୍ଲଂଘନ କରି ଉପଜିଲ୍ଲାପାଳ ଶିଶୁ ମଙ୍ଗଳ କମିଟି ଅଗୋଚରରେ ଶିଶୁକୁ ତା’ ମା’ ସହ ଛାଡ଼ିଦେଇଛନ୍ତି। ପାରିବାରିକ ବିବାଦ ଯୋଗୁ ଯତ୍ନ ସୁରକ୍ଷା ଲୋଡୁଥିବା ଦୁଇ ବର୍ଷର ଶିଶୁପୁତ୍ର ଶିଶୁ ମଙ୍ଗଳ କମିଟି ତତ୍ୟାବଧାନରେ ରହିଥିଲା। କିନ୍ତୁ ଯାଜପୁର ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ ନ୍ୟାୟିକ ବ୍ୟବସ୍ଥାକୁ ଅସମ୍ମାନ କରି କ୍ଷମତା ବାହାରେ ବେଆଇନ ଭାବେ ଶିଶୁ ପୁତ୍ରକୁ ତା’ ମା’କୁ ଟେକି ଦେଇଥିଲା ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଭିଯୋଗ କରିଛନ୍ତି। ଯେଉଁ ମା’ ୧୩ ମାସର ପିଲାକୁ ବିଡି ଟଣାଇ ଭିଡିଓ କରିବା ଘଟଣାରେ ଶିଶୁ ପୁତ୍ରକୁ ତତ୍କାଳୀନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉଦ୍ଧାର କରାଯାଇଥିଲା। ଟାଉନ୍ ପୁଲିସ ଶିଶୁ ପୁତ୍ରକୁ ହାଜର କରାଇବାକୁ ଆଣି ନଫେରାଇବାରୁ ୨୪ ଘଣ୍ଟା ଭିତରେ ଶିଶୁ ପୁତ୍ରକୁ ଉଦ୍ଧାର କରି ହାଜର କରାଇବାକୁ ସିଡବ୍ଲ୍ୟୁସି ନିର୍ଦ୍ଦେଶ ଦେଇଛି। ତେବେ ଏହି ଘଟଣାରେ ଉପଜିଲ୍ଲାପାଳଙ୍କୁ ପୂର୍ବ ଘଟଣା କ୍ରମକୁ ଅନ୍ଧାରରେ ରଖି ଶିଶୁ ପୁତ୍ରକୁ ଖସାଇ ଦିଆଯାଇଥିବା ଜଣାପଡିଛି। ଏହି ଘଟଣାରେ ସିଡବ୍ଲ୍ୟୁସି ଗୋଟିଏ ପକ୍ଷ ଥିବାବେଳେ ତାଙ୍କ ଅଜାଣତରେ ପିଲାଟିକୁ ମା’ ହାତରେ ଦେଇଥିବା ବେଳେ ଏହା ନାୟିକ ବ୍ୟବସ୍ଥାକୁ ଅସମ୍ମାନ ବୋଲି ସିଡବ୍ଲ୍ୟୁସି ଗୁରୁତର ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଉପରେ ଉତ୍ତର ରଖିଛନ୍ତି ଉପଜିଲ୍ଲାପାଳ। ସେ କହିଛନ୍ତି ଯେ ପାଞ୍ଚ ବର୍ଷରୁ କମ୍ ହୋଇଥିବା ପିଲାକୁ ମା’ଙ୍କ ହେପାଜତରେ ଛାଡ଼ିବା ପାଇଁ ତାଙ୍କ କୋର୍ଟର ନିୟମ ରହିଛି।









