କାଲିଫର୍ଣ୍ଣିଆ: ଜଣେ ମା’ ବି ହତ୍ୟାକାରୀ ହୋଇପାରେ, ଏକଥା ଶୁଣି ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ପ୍ରଶ୍ନ ମଧ୍ୟ ମନରେ ଉଙ୍କିମାରେ । ଆଜିକାଲି ଏଭଳି ଅନେକ ମାମଲା ସାମ୍ନାକୁ ଆସିବା ସହ ଏହାର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହା ଭିତରେ କାଲିଫର୍ଣ୍ଣିଆରୁ ଆସିଛି ଲୋମହର୍ଷଣକାରୀ ଘଟଣା । ଯେଉଁଠି ୧୧ବର୍ଷ ବୟସର ପୁଅକୁ ଗଳାକାଟି ହତ୍ୟା କରିଛି ଜନ୍ମକଲା ମା’ । ଭାରତୀୟ ବଂଶୋଦ୍ଭବ ସରିତା ରାମରାଜୁ ଯାହାଙ୍କ ବୟସ ୪୮ବର୍ଷ । ପୁଅ ଜିଦ୍ କରିବାରୁ ତାକୁ ଡିଜ୍ନିଲ୍ୟାଣ୍ଡ୍ ବୁଲାଇବା ନେବା ପରେ ତା’ର ଗଳାକାଟି ହତ୍ୟା କରିଛି । ପୁଲିସ ସୂଚନା ଅନୁସାରେ ସ୍ବାମୀଙ୍କଠୁ ୨୦୧୮ ମସିହାରେ ଛାଡପତ୍ର ନେଇଥିଲେ ସରିତା । ପରେ ସ୍ବାମୀଙ୍କୁ ମିଳିଥିଲା ପୁଅର କଷ୍ଟଡି । ତେବେ ୩ଦିନ ପାଇଁ ପୁଅକୁ ଭେଟିବାକୁ ଅନୁମତି ନେଇ ଛୁଟିକାଟିବାକୁ ଡିଜ୍ନିଲ୍ୟାଣ୍ଡ୍ ଯାଇଥିଲେ ସରିତା । ସେଠାରେ ଏକ ହୋଟେଲରେ ରହିବା ସମୟରେ ପୁଅକୁ ହତ୍ୟା କରିବା ସହ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା କାଲିଫର୍ଣ୍ଣିଆ ପୁଲିସ ସୂଚନା ଦେଇଛି । ପୁଲିସର ସୂଚନା ଅନୁସାରେ ହତ୍ୟା ବାବଦରେ ଫୋନ କରି ପୁଲିସକୁ ସୂଚନା ଦେଇଥିଲେ ସରିତା ଓ ପରେ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଘଟଣାସ୍ଥଳରେ ପହଁଚିଥିବା ପୁଲିସ ସରିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ପୁଅର ମୃତଦେହ ଜବତ କରିଥିଲା ।