ଲକ୍ଷ୍ନୌ: ବର୍ତ୍ତମାନ ସମୟରେ ଆଖିକୁ ଦେଖାଯାଉଥିବା ସମସ୍ତ ଘଟଣା କିମ୍ବା କାନ ଶୁଣୁଥିବା କଥା ଉପରେ ଭରସା କରିବା ସହଜ ହେଉନାହିଁ । କାରଣ ଦିନକୁ ଦିନ ଏମିତି ଘଟଣା ଘଟୁଛି, ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇପାରୁ ନାହିଁ । ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶ ଲକ୍ଷ୍ନୌରେ । ଯାହାକୁ ନେଇ ସାଧାରଣରେ ଏବେ ଚର୍ଚ୍ଚା । ଦୀପକ କୁମାର ନାମକ ଯୁବକ ନିଜକୁ ଆଇଏଏସ୍ ଅଫିସର ପରିଚୟ ଦେଇ ଜଣେ ଯୁବତୀଙ୍କୁ ବିବାହ କରିବାର ଜିଦ୍ରେ ଥିଲେ । ଯୁବତୀଜଣକ ଆଇନ ଷ୍ଟୁଡେଣ୍ଟ ଥିବାବେଳେ ଏ ନେଇ ତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି । ଯୁବକ ଜଣକ ୨୦୨୦ରେ ହ୍ୱଟ୍ସଆପ୍ ଜରିଆରେ ଯୁବତୀଙ୍କ କଣ୍ଟାକ୍ଟରେ ଆସିଥିଲା । ଏହାପରଠାରୁ ସେ ତାଙ୍କୁ ବିବାହ କରିବା ପାଇଁ ଜିଦ୍ କରୁଥିଲା । କଥା ଏତିକିରେ ସରି ନ ଥିଲା, ଯୁବତୀଜଣକ ବିବାହ ପାଇଁ ଅରାଜି ହେବାରୁ ତାଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଲାଗି ମଧ୍ୟ ସେ ଧମକ ଦେଉଥିଲା।
ଯୁବତୀଙ୍କ ମା’ଙ୍କ ଅଭିଯୋଗକ୍ରମେ ଦୀପକ ପୂର୍ବରୁ ୨ ଜଣ ଝିଅଙ୍କୁ ବିବାହ ପ୍ରଲୋଭନ ଦେଖାଇ ତାଙ୍କୁ ଧୋକା ଦେଇଛି । ଏହାଛଡ଼ା ହରିୟାଣାରେ ବିଟେକ୍ କରିବା ପରେ ବିହାର କ୍ୟାଡେଟରୁ ଆଇଏଏସ୍ ଅଫିସର ହେବା ନେଇ ମିଛ କଥା କହିଥିଲା । ସେ ଦିଲ୍ଲୀର ଏକ ଘରୋଇ ସଂସ୍ଥାରେ କାମ କରୁଥିବାବେଳେ ଯୁବତୀଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିଥିଲା । ଯୁବତୀଙ୍କ ଫୋନକୁ ମଧ୍ୟ ସେ ହ୍ୟାକ୍ କରି ତାଙ୍କୁ ବ୍ଲାକ୍ମେଲ କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଲକ୍ଷ୍ନୌ ଥାନାର ଏକ ଟିମ୍ ଦୀପକଙ୍କୁ ଖୋଜିବାରେ ଲାଗିପଡ଼ିଛି । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ, ଯୁବକଜଣକ ମିଛ କହି ଜୋର ଜବରଦସ୍ତ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ଏହାପୂର୍ବରୁ ଅନେକ ଘଟଣା ଘଟିଛି, ଯାହାର କରୁଣ ପରିଣତି ମଧ୍ୟ ବିଗତ ଦିନରେ ଦେଖାଯାଇଛି ।