ଲକ୍ଷ୍ନୌ: ଅଧିକାଂଶ ମହିଳା ଧନୀ ଲୋକଙ୍କ ପାଖରେ ରହିବାକୁ ଇଚ୍ଛା ପ୍ରକାଶ କରନ୍ତି । ଭଲ ଘର, ଭଲ ବର ଦେଖି ବାହା ହୁଅନ୍ତି । ଧନୀ ଲୋକ ପାଖରେ ରହିବା ଦ୍ୱାରା ସମସ୍ତ ସୁଖ ସୁବିଧା ମିଳିଥାଏ । କିନ୍ତୁ ବେଳେ ବେଳେ ପ୍ରେମ ଏମିତି ଅନ୍ଧ କରିଥାଏ, ତେବେ ଧନୀ ଗରିବ କିଛି ଦେଖାଯାଏ ନାହିଁ । ମଣିଷ କିଛି ବି ଭୁଲ କରିବାକୁ ପଛାଏ ନାହିଁ । ସେମିତି ଅନ୍ଧ କରିଦେଲା ପ୍ରେମ । ପ୍ରେମ ପାଇଁ ଭିକ୍ଷୁକ ସହ ଘର ଛାଡିଲେ ୬ ସନ୍ତାନର ଜନନୀ। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାରେ । ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲା ହରପାଲ ଥାନା ଅଞ୍ଚଳରେ ଏକ ଗାଁରେ ରହୁଥିଲେ ମହିଳା । ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିଙ୍କ ନାମ ନହ୍ନେ ପଣ୍ଡିତ ବୋଲି ଜଣାପଡିଥିବା ବେଳେ ସେ ପ୍ରାୟ ପ୍ରତିଦିନ ପ୍ରେମିକାଙ୍କ ଘରକୁ ଭିକ୍ଷା ମାଗିବାକୁ ଆସିଥାନ୍ତି । ଏହାସହିତ ହସ୍ତରେଖା ମଧ୍ୟ ଦେଖନ୍ତି । ଏସବୁ ମଧ୍ୟରେ ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ।
ଜାନୁଆରୀ ୩ ତାରିଖରେ ବଜାରରୁ ପରିବା ଆଣିବା ପାଇଁ ଯାଇ ଭିକ୍ଷୁକ ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ ମହିଳା ଜଣକ । ଚାରିଆଡେ ଖୋଜାଖୋଜି ପରେ ମଧ୍ୟ ସ୍ତ୍ରୀଙ୍କୁ ନପାଇବାରୁ ବାଧ୍ୟ ହୋଇ ଥାନାରେ ମାମଲା ରୁଜୁ କରିଛନ୍ତି ସ୍ୱାମୀ । ସ୍ତ୍ରୀ ଘରୁ ଚାଲିଯିବା ଘଟଣାରେ ଭିକ୍ଷୁକଙ୍କ ସଂପୃକ୍ତି ଜାଣିବା ପରେ ତାଙ୍କ ବିରୋଧରେ ଥାନାରେ ଅପହରଣ ମାମଲା ରୁଜୁ କରିଛନ୍ତି ସ୍ୱାମୀ । ଘରୁ ଯିବାବେଳେ ମଇଁଷି ବିକ୍ରି କରି ଜମି କିଣିବାକୁ ଲକ୍ଷାଧିକ ଟଙ୍କା ମଧ୍ୟ ସ୍ତ୍ରୀ ନେଇଯାଇଥିବା ଏଫଆଇଆରରେ ଦର୍ଶାଇଛନ୍ତି ସ୍ୱାମୀ । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି । ପୋଲିସ ଭିକ୍ଷୁକକୁ ଖୋଜୁଛି । ତେବେ ମହିଳାଙ୍କ ସ୍ୱାମୀ ମିଛ ଅଭିଯୋଗ କରିଥିବା ପୋଲିସ କହିଛି ।