ଭୁବନେଶ୍ୱର: ରାଜ୍ୟରେ ଥିବା କ୍ରୀଡା ପ୍ରଶିକ୍ଷକ ପଦବୀ ମଧ୍ୟରୁ ଅଧାରୁ ଅଧିକ ଖାଲି ପଡିଛି । ମଞ୍ଜୁରୀପ୍ରାପ୍ତ ୬୧ଟି କନିଷ୍ଠ କ୍ରୀଡା ପ୍ରଶିକ୍ଷକ ପଦବୀ ମଧ୍ୟରୁ ୩୮ଟି ପଦବୀ ଖାଲି ପଡିଥିବାବେଳେ ୯ଟି ବରିଷ୍ଠ କ୍ରୀଡା ପ୍ରଶିକ୍ଷକ ପଦବୀ ମଧ୍ୟରୁ ୫ଟି ଖାଲି ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ରାଜ୍ୟରେ ୧୬ଟି କ୍ରୀଡା ଛାତ୍ରାବାସ, ୧୧ଟି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର, ୧୦୬ଟି ଇଣ୍ଡୋର ହଲ୍, ୩ଟି ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ର, ୧୩ଟି ସନ୍ତରଣାକାଗ ଓ ୨୩ଟି ହକି ପ୍ରଶିକ୍ଷଣ କେନ୍ଦ୍ରରେ କ୍ରୀଡାବିତ୍ମାନଙ୍କୁ ତାଲିମ ଦିଆଯାଉଛି । ୧୬ଟି କ୍ରୀଡା ଛାତ୍ରାବାସରେ ୧୧୭୬ଜଣ ଓ ୧୧ଟି ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ ୫୭୯ଜଣ କ୍ରୀଡାବିତ୍ଙ୍କୁ ତାଲିମ ପ୍ରଦାନ କରାଯାଉଛି । କ୍ରୀଡା ଛାତ୍ରାବସାରେ ବାଳିକା କ୍ରୀଡାବିତ୍ମାନଙ୍କ ପାଇଁ ୮୦୦ ଟଙ୍କା ଏବଂ ବାଳକ କ୍ରୀଡାବିତ୍ମାନଙ୍କପାଇଁ ୬୦୦ ଟଙ୍କାର ଶୌଚାଳୟ ଖର୍ଚ୍ଚ ଦିଆଯାଉଛି । ସମସ୍ତ କ୍ରୀଡା ଛାତ୍ରାବାସର ପ୍ରତ୍ୟେକ ଅନ୍ତେବାସୀଙ୍କ ଖାଦ୍ୟ ଖର୍ଚ୍ଚ ବାବଦକୁ ପ୍ରତିଦିନ ୨୭୫ ଟଙ୍କାର ବ୍ୟବସ୍ଥା କରାଯାଇଛି ।