26.1 C
Bhubaneswar
Wednesday, March 25, 2026
Homeଓଡିଶା୨୫ ଜେଲ୍‌ରେ ୭୦ରୁ ଅଧିକ ଏଚ୍‌ଆଇଭି ଆକ୍ରାନ୍ତ

୨୫ ଜେଲ୍‌ରେ ୭୦ରୁ ଅଧିକ ଏଚ୍‌ଆଇଭି ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା ଏଚ୍‌ଆଇଭି ଆକ୍ରାନ୍ତ ଓ ମାନସିକ ରୋଗୀ କର୍ତ୍ତୃପକ୍ଷଙ୍କ ଚିନ୍ତାର କାରଣ ପାଲଟିଛି। ମାନସିକ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସଂଖ୍ୟକ ଚିକିତ୍ସକ ନାହାନ୍ତି। ତେଣୁ ସେମାନଙ୍କୁ ଠିକଣା ସମୟରେ କାଉନ୍‌ସେଲିଂ କରିବା ସମ୍ଭବ ହେଉନାହିଁ। ସେହିଭଳି ଏଚ୍‌ଆଇଭ ଆକ୍ରାନ୍ତଙ୍କୁ ଚିକିତ୍ସା କରାଇବା ମଧ୍ୟ ସମସ୍ୟା ବଢ଼ାଉଛି। ବର୍ତ୍ତମାନ ୨୫ ଜେଲ୍‌ରେ ୭୦ରୁ ଅଧିକ ଏଚ୍‌ଆଇଭି ଆକ୍ରାନ୍ତ ଅଛନ୍ତି ଏବଂ ୮୭ ଜେଲ୍‌ରେ ୨୦୫୪ରୁ ଅଧିକ ମାନସିକ ରୋଗୀ ଥିବା ଜଣାପଡ଼ିଛି। ମାନସିକ ରୋଗୀମାନେ ବହୁ ସମୟରେ ଅଘଟଣ ଘଟାଇ ବସୁଥିବା ଅନ୍ୟତମ ସମସ୍ୟା। ଏମିତିକି ବହୁ ସମୟରେ ମାନସିକ ବିକାରଗ୍ରସ୍ତ ବନ୍ଦୀ ଆତ୍ମହତ୍ୟା କରିବା ନଜିର ରହିଛି। ଏଭଳି କ୍ଷେତ୍ରରେ ହାଜତ ମୃତ୍ୟୁ ପ୍ରସଙ୍ଗ ଉଠୁଥିବାରୁ ଜେଲ୍‌ କର୍ତ୍ତୃପକ୍ଷ ହରଡ଼ଘଣାରେ ପଡ଼ୁଛନ୍ତି। ସମ୍ପ୍ରତି ରାଜ୍ୟରେ ହାଜତ ମୃତ୍ୟୁ ବଢୁଥିବା ପରିଲକ୍ଷିତ ହେଉଛି। ୫ ବର୍ଷ ଭିତରେ ୩୭୦ରୁ ଅଧିକ ବନ୍ଦୀଙ୍କର ବିଭିନ୍ନ ଜେଲ୍‌ରେ ମୃତ୍ୟୁ ହୋଇଛି। ଜେଲ୍‌ ଭିତରେ ବନ୍ଦୀଙ୍କ ମୃତ୍ୟୁକୁ ନେଇ କୋର୍ଟ ଜେଲ୍‌ ବିଭାଗକୁ ତାଗିଦ କରୁଛନ୍ତି। ବହୁ ସମୟରେ ପରିବାର ଲୋକେ ଜେଲ୍‌ ଭିତରେ ନିର୍ଯାତନା ଅଭିଯୋଗ ଆଣୁଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟାରୁ ସେମାନଙ୍କ ମୃତ୍ୟୁ ହେଉଥିଲେ ମଧ୍ୟ ଜେଲ୍‌ କର୍ତ୍ତୃପକ୍ଷଙ୍କୁ କାଠଗଡ଼ାରେ ଠିଆ ହେବାକୁ ପଡ଼ୁଛି। ଗତ ୬ ମାସ ଭିତରେ ଜେଲ୍‌ ବିଭାଗର ବନ୍ଦୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ରିପୋର୍ଟ ଅନୁସାରେ ରାଜ୍ୟର ୮୭ ଜେଲ୍‌ ଭିତରୁ ୨୫ ଜେଲ୍‌ରେ ୭୦ରୁ ଅଧିକ ଏଚ୍‌ଆଇଭି ଆକ୍ରାନ୍ତ ରହିଛନ୍ତି। ଭୁବନେଶ୍ବର ଝାରପଡ଼ା‌ ଜେଲ୍‌ରେ ସର୍ବାଧିକ ୭ଜଣ ଏଚ୍‌ଆଇଭି ଆକ୍ରାନ୍ତ ଅଛନ୍ତି। ସେହିଭଳି ବଲାଙ୍ଗୀରରେ ୫, ଝାରସୁଗୁଡ଼ା, ଟିଟଲାଗଡ଼, ଚୌଦ୍ବାର, ଅନୁଗୁଳୁ, ସୋନପୁର ଜେଲ୍‌ରେ ୪ ଜଣ ଲେଖାଏଁ ଏଚ୍‌ଆଇ ଆକ୍ରାନ୍ତ ଅଛନ୍ତି। ପୁରୀ, ବାରିପଦା, ଭଦ୍ରକ, ବଡ଼ଗଡ଼, କୋରାପୁଟ ଜେଲ୍‌ରେ ୩ ଜଣ ଲେଖାଏଁ ଏଚ୍‌ଆଇଭି ସଂକ୍ରମିତ ରହିଛନ୍ତି। ବୌଦ୍ଧ, ସୋହେଲା, ପାଟଣାଗଡ଼ ଜେଲ୍‌ରେ ୨ ଲେଖାଏ ଓ ଦେବଗଡ଼, ସମ୍ବଲପୁର, କେନ୍ଦ୍ରାପଡ଼ା, ଆଠଗଡ଼, ସୋର, ଗୁଣୁପୁର, ମାଲକାନଗିରି, ଆସିକାରେ ଜଣେ ଲେଖାଏଁ ଏଚ୍‌ଆଇଭି ସଂକ୍ରମିତ ରହିଛନ୍ତି। ବିଭିନ୍ନ ଜେଲ୍‌ରେ ଥିବା ଏଚ୍‌ଆଇଭି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ (ସିଡିଏମ୍‌ଓ)ଙ୍କ ଜରିଆରେ ନିୟମିତ ବ୍ୟବସ୍ଥା ହେବା ପାଇଁ ଜେଲ୍‌ ଡିଜି ରାଜ୍ୟ ସରକାରକୁ ଚିଠି ଲେଖିଛନ୍ତି। ପରିତାପର କଥା ୮୭ ଜେଲ୍‌ରେ ମାତ୍ର ଜଣେ ମାନସିକ ରୋଗ ଚିକିତ୍ସକ ଅଛନ୍ତି। ତଥ୍ୟ ଅନୁସାରେ ରାଜ୍ୟର ମୋଟ୍‌ ୮୭ ଜେଲ୍‌ରେ ୨୦୫୪ ମାନସିକ ରୋଗରେ ଆକ୍ରନ୍ତ ଥିବା ବନ୍ଦୀ ରହିଛନ୍ତି। ତେଣୁ ଏତେ ସଂଖ୍ୟକ ରୋଗୀଙ୍କୁ ଜଣେ ଚିକିତ୍ସକ କିଭଳି ପରାମର୍ଶ ଦେଉଥିବେ, ଜଳଜଳ ହୋଇ ଦେଖାଯାଉଛି। ମାନସିକ ରୋଗ ଚିକିତ୍ସକ ଅଭାବ ଥିବାରୁ ଜେଲ୍‌ ବିଭାଗ ବାହାରୁ ମନସ୍ତତ୍ବବିତ୍‌ଙ୍କୁ ଏଥିରେ ନିୟୋଜିତ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। କେବଳ ମାନସିକ ରୋଗୀ ଓ ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିନି, ଅନ୍ୟାନ୍ୟ ରୋଗୀଙ୍କ ସଂଖ୍ୟା ମଧ୍ୟ ଜେଲ୍‌ କର୍ତ୍ତୃପକ୍ଷଙ୍କ ଚିନ୍ତାର କାରଣ ପାଲଟିଛି। କ୍ୟାନ୍‌ସର୍‌ ରୋଗୀ ୧୦ , କିଡ୍‌ନି ରୋଗୀ ୧୪୦, ହୃଦ୍‌ଘାତ ଜନିତ ରୋଗୀ ୨୪୯  ଏବଂ ଉଚ୍ଚ ରକ୍ତଚାପ ଥିବା ରୋଗୀ ସଂଖ୍ୟା ୧୮୪୫ ବୋଲି ତଥ୍ୟ କହୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking