ନୂଆଦିଲ୍ଲୀ: ୨୦୨୩ ଶିକ୍ଷାବର୍ଷରେ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରାୟ ୬୫ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ୧୦ମ ଓ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇପାରିନାହାନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏସମ୍ପର୍କରେ ସୂଚନା ଦିଆଯାଇଛି । ୨୦୨୩ ଶିକ୍ଷାବର୍ଷ ଓ ପିଲାମାନଙ୍କ ଫଳାଫଳ ସମ୍ପର୍କରେ ସୂଚନା ଦେବାକୁ ଯାଇ ମନ୍ତ୍ରଣାଳୟ ଦର୍ଶାଇଛି ଯେ, ରାଷ୍ଟ୍ରୀୟ ବୋର୍ଡ ତୁଳନାରେ ରାଜ୍ୟ ବୋର୍ଡରେ ଅଧିକ ପିଲା ଫେଲ୍ ହୋଇଛନ୍ତି । ୫୯ ସ୍କୁଲର ବୋର୍ଡ ପରୀକ୍ଷା ତଥ୍ୟକୁ ବିଶ୍ଲେଷଣ କରି ଦେଖାଯାଇଛି ଯେ, ସରକାରୀ ସ୍କୁଲଗୁଡ଼ିକରେ ଯୁକ୍ତ ଦୁଇ ପରୀକ୍ଷା ଅଧିକ ଛାତ୍ରୀମାନେ ଦେଇଛନ୍ତି । କିନ୍ତୁ ବେସରକାରୀ ଓ ସରକାର ଅନୁଦାନ ପ୍ରାପ୍ତ ସ୍କୁଲରେ ଏହାର ଓଲଟା ଚିତ୍ର ଦେଖାଦେଇଛି । ରିପୋର୍ଟ ଅନୁସାରେ, ପାଖାପାଖି ୩୨.୪ଲକ୍ଷ ପିଲା ଯୁକ୍ତ ୨ ପାସ୍ କରିନାହାନ୍ତି । ଏହି ପରୀକ୍ଷାରେ ପ୍ରାୟ ୫.୨ଲକ୍ଷ ପିଲା ପରୀକ୍ଷାରେ ଅନୁପସ୍ଥିତ ଥିବାବେଳେ ୨୭.୨ଲକ୍ଷ ଅସଫଳ ହୋଇଛନ୍ତି । ତେବେ ରାଜ୍ୟ ବୋର୍ଡରେ ୧୦ମରେ ମଧ୍ୟପ୍ରଦେଶର ଛାତ୍ରୀଛାତ୍ର ଅଧିକ ଫେଲ୍ ହୋଇଛନ୍ତି । ଅନ୍ୟପଟେ ଦ୍ୱାଦଶ ଓ ଯୁକ୍ତ ୨ରେ ଉତ୍ତର ପ୍ରଦେଶରେ ଅଧିକ ପିଲା ଫେଲ୍ ହୋଇଛନ୍ତି ।









