ନୂଆଦିଲ୍ଲୀ: ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ କେବଳ ମଦ ବାବଦରେ ସଂଗୃହିତ ଟିକସ ପରିମାଣ ୫୦୬୮.୯୨ କୋଟି ଟଙ୍କା ଏବଂ କ୍ଷୀର ଏବଂ କ୍ଷୀରଜାତ ଉତ୍ପାଦ ଉପରୁ ସଂଗୃହିତ ଟିକସ ପରିମାଣ ୨୦୯.୯ କୋଟି ଟଙ୍କା ରାଜସ୍ୱକୁ ଆସିଛି। ଏସବୁ ଜିଏସ୍ଟି ବାବଦ ଆଦାୟ ହୋଇଛି। ତେବେ ଏହି ରାଜସ୍ୱ ପରିମାଣ ଫେବୃଆରୀ ମାସ ଯାଏ ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାର ସ୍ପଷ୍ଟ କରିଛନ୍ତି। ସରକାର କହିଛନ୍ତି, ୨୦୨୩-୨୪ରେ ଯେତେବେଳେ ଆପ୍ ସରକାର ଥିଲା ସେତେବେଳେ ମଦ ଉପରେ ଟିକସ ଭାବରେ ୫,୧୬୪ କୋଟି ଟଙ୍କା, ୨୦୨୨-୨୩ରେ ୫,୫୪୭ କୋଟି ଟଙ୍କା ଏବଂ ୨୦୨୧-୨୨ରେ ୫,୪୮୭ କୋଟି ଟଙ୍କା ଆଦାୟ କରାଯାଇଥିଲା। ସବୁଠୁ ବଡ଼କଥା ହେଉଛି ଦିଲ୍ଲୀ ବିଜେପି ସରକାର ଏକ ବଡ଼ ଅଭିଯୋଗ ଆଣିବା ପୂର୍ବକ କହିଛନ୍ତି ଯେ, ଆପ୍ ଅଧୀନରେ ଦିଲ୍ଲୀରେ ନୂତନ ମଦ ନୀତି ଲାଗୁ ହେବା ଯୋଗୁଁ ନଭେମ୍ବର ୨୦୨୧ ରୁ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ କେବଳ ଘରୋଇ ଦୋକାନଗୁଡ଼ିକୁ ମଦ ବିକ୍ରୟ କରିବାକୁ ଅନୁମତି ଦିଆଯାଇଥିଲା। ତଥାପି, ସେପ୍ଟେମ୍ବର ୨୦୨୨ରେ ପୁରୁଣା ମଦ ନୀତି ପୁନଃ କାର୍ଯ୍ୟକାରୀ ହେବା ପରେ, ସରକାରୀ ମଦ ଦୋକାନଗୁଡ଼ିକୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଥିଲା।
ତେବେ ଏହି ପ୍ରଶ୍ନ ଏପରି ଏକ ସମୟରେ ଆସିଛି ଯେତେବେଳେ ବିଜେପି ମଦ ନୀତି ଦୁର୍ନୀତିକୁ ନେଇ ଆମ୍ ଆଦ୍ମୀ ପାର୍ଟି (ଆପ୍) ଉପରେ ଆକ୍ରମଣ ଜାରି ରଖିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏବଂ ତାଙ୍କ ଉପମୁଖ୍ୟ ମନୀଷ ସିସୋଦିଆଙ୍କ ଭଳି କେତେକ ନେତା ଏହି ଅଭିଯୋଗରେ ଜେଲ୍ ମଧ୍ୟ ଯାଇଛନ୍ତି। ସବୁଠୁ ବଡ଼କଥା ହେଉଛି, ଗତ ମାସରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳର ପରାଜୟର ଏକ ପ୍ରମୁଖ କାରଣ ଭାବରେ ଏହି ପ୍ରସଙ୍ଗକୁ ଦେଖାଯାଉଛି।