ଭୁବନେଶ୍ୱର: ୨୦୨୦ ମସିହାରୁ ୨୦୨୩ ମଧ୍ୟରେ ନିଶା ସେବନ କରି ଗାଡି ଚଳାଉଥିବା ଯୋଗୁଁ ୨୧୯୭ଟି ଦୁର୍ଘଟଣା ଘଟିଥିବାବେଳେ ୨୨,୬୭୨ ଜଣ ମଦୁଆ ଗାଡି ଚାଳକ ଧରାପଡିଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ପରିବହନ ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ ୨୦୨୦ର ୨୦୨୩ ମଧ୍ୟରେ ୨୨,୬୭୨ ଜଣ ମଦୁଆ ଗାଡି ଚାଳକଙ୍କୁ ଧରାଯିବା ସହିତ ୧୧,୩୭୬ଟି ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି । ନିଶାପାନ କରି ଗାଡି ଚଳାଉଥିବା ଚାଳକମାନଙ୍କ ଠାରୁ ଜୋରିମାନା ଆଦାୟ କରିବାର କ୍ଷମତା ବିଚାର ବିଭାଗୀୟ କୋର୍ଟର ପରିସରଭୁକ୍ତ ଅଟେ । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ୨୦୨୦ ରୁ ୨୦୨୪ ମଧ୍ୟରେ ରାଜ୍ୟରେ ୫୬,୮୩୧ଟି ସଡକ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୨୭,୧୬୭ ଜଣ ମୃତ୍ୟୁବରଣ କରଛନ୍ତି । ସର୍ବାଧିକ ୬୧୪୨ ଜଣ ଗତବର୍ଷ ସଡକ ଦୁର୍ଘଟଣାରେ ମରିଛନ୍ତି । ସେହିଭଳି ଏହି ସମୟ ମଧ୍ୟରେ ୫୦ହଜାରରୁ ଅଧିକ ବ୍ୟକ୍ତି ସଡକ ଦୁର୍ଘଟଣାରେ ଆହତ ହୋଇଛନ୍ତି ।