ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ସଂଗ୍ରହ ହୋଇଥିବା ଧାନ ପରିମାଣ ଗତବର୍ଷ ଉଭୟ ଖରିଫ ଓ ରବିରେ ହୋଇଥିବା ଧାନ ସଂଗ୍ରହ ପରିମାଣକୁ ଟପିଗଲାଣି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୩-୨୪ ଧାନ ସଂଗ୍ରହ ବର୍ଷରେ ଖରିଫ ଓ ରବି ଋତୁରେ ମୋଟ୍ ୭୦.୮୮ ଲକ୍ଷ ମେଟ୍ରିକ ଟନ୍ର ଧାନ ୧୫,୪୭୫ କୋଟି ଟଙ୍କାରେ ସଂଗ୍ରହ ହୋଇଥିଲା । ଚଳିତ ଧାନ ସଂଗ୍ରହ ବର୍ଷ ୨୦୨୪-୨୫ରେ ଖରିଫ ଋତୁରେ ମାର୍ଚ୍ଚ ୧୧ତାରିଖ ସୁଦ୍ଧା ୭୧.୧୨ଲକ୍ଷ ମେଟ୍ରିକ ଟନ୍ ଧାନ କ୍ରୟ କରାଯାଇ ଏ ବାବଦରକୁ ପଞ୍ଜିକୃତ ଯୋଗ୍ୟ ଚାଷୀମାନଙ୍କୁ ୨୨,୦୪୬ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଥିରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରକୁ ୧୬,୩୫୭ କୋଟି ଏବଂ ଇନ୍ପୁଟ୍ ସହାୟତା ରାଶି ବାବଦକୁ ୫୬୮୯ କୋଟି ଟଙ୍କା ଦିଆଯାଇଛି । ଆଗାମୀ ରବି ରବି ଋତୁରେ ୧୪ଲକ୍ଷ ମେଟ୍ରିକ ଟନ୍ ଦାନ ଚାଷୀଙ୍କ ଠାରୁ ସଂଗ୍ରହ କରାଯିବାର ଯୋଜନା ଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।