ଭୁବନେଶ୍ୱର: ଗତବର୍ଷ ତୁଳନାରେ ଏଥର ଶୀଘ୍ର ଆସିବ ମୌସୁମୀ। ଆସନ୍ତା ୧୩ରେ ଆଣ୍ଡାମାନ ଛୁଇଁବ ମୌସୁମୀ ବାୟୁ। ଦକ୍ଷିଣ ଆଣ୍ଡାମାନ ସାଗର ସହ ଦକ୍ଷିଣ ବଙ୍ଗୋପସାଗରର କିଛି ଅଞ୍ଚଳ ଏବଂ ନିକୋବର ଦୀପପୁଞ୍ଜର କିଛି ଅଞ୍ଚଳକୁ ୧୩ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ସପ୍ତାହରେ ମୌସୁମୀ ବାୟୁ ବଙ୍ଗୋପସାଗର ଛୁଇଁବ। ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଲାଗି ରହିଛି। ଆହୁରି ୨ ଦିନ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ କିଛି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ବର୍ଷା ପ୍ରଭାବରେ କିଛି ଦିନ ତାତିରୁ ନିସ୍ତାର ମିଳିଥିବା ବେଳେ ଏବେ ପୁଣି ଫେରିବ ତାତି। ଅପରପକ୍ଷେ ୮ତାରିଖ ପରଠାରୁ ତାତି ବଢ଼ିବା ସହ ପ୍ରବଳ ଗରମ ଅନୁଭୂତ ହେବ ବୋଲି ଭୂବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ବର୍ଷା ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ଯାହାକୁ ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ସୁନ୍ଦରଗଡ଼, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ାରେ ମଧ୍ୟ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନର ବେଗ ୩୦ରୁ ୪୦ କିମି ରହିବ। ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଆସନ୍ତାକାଲି ଠାରୁ ବର୍ଷାର ପରିମାଣ କମିଲେ ମଧ୍ୟ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ୩୦ରୁ ୪୦ କିମି ବେଗରେ ବହିବ। ଯାହାକୁ ନେଇ ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ୮ତାରିଖରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାକୁ ଥିବା ବେଳେ ବିଜୁଳି ଘଡ଼ଘଡ଼ି ପାଇଁ କୌଣସି ସତର୍କତା ଜାରି କରାଯାଇ ନାହିଁ। କିନ୍ତୁ ଗ୍ରୀଷ୍ମ ପ୍ରବାହ ପ୍ରଭାରେ ପ୍ରବଳ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ। ଯାହାକୁ ନେଇ ମୁଖ୍ୟତଃ ଉପକୂଳବର୍ତ୍ତୀ ଜିଲ୍ଲାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେପଟେ ୯ ତାରିଖରୁ ତାତି ଆହୁରି ବଢ଼ିବ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଗରମ ଓ ଗୁଳୁଗୁଳି ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୧୦ ତାରିଖରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ବଲାଙ୍ଗୀର, ବୌଦ୍ଧ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଆର୍ଦ୍ର ସ୍ଥିତି ରହିବା ସହ ପ୍ରବଳ ଗରମ ଅନୁଭୂତ ହେବ। ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଆଗାମୀ ୨ ଦିନ ମଧ୍ୟରେ ସର୍ବାଧିକ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହାପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ଆଗୁଆ ଆସିପାରେ ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମୟ ପୂର୍ବରୁ ପହଞ୍ଚୁଛି। ଏବେ ଏହା ଦକ୍ଷିଣ ଆଣ୍ଡାମାନ ସାଗର ଆଡ଼କୁ ମୁହାଁଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ଅଗ୍ରଗତି କରୁଛି। ଫଳେ ଆସନ୍ତା ସପ୍ତାହରେ ବଙ୍ଗୋପସାଗର ଛୁଇଁବ ମୌସୁମୀ। ଏହାର ପ୍ରଭାବରେ ମେ’ ୨୨ ତାରିଖ ସୁଦ୍ଧା ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଦେଶର ସ୍ଥଳଭାଗରେ ମୌସୁମୀ ଛୁଇଁବା ଏହା ପ୍ରଥମ ପୂର୍ବାନୁମାନ। ଏହି ବର୍ଷ ମୌସୁମୀ ଆଣ୍ଡାମାନ ଏବଂ ନିକୋବରରେ ଶୀଘ୍ର ପହଞ୍ଚିବାର ଆଶା କରାଯାଉଛି। ସାଧାରଣତଃ, ଚାରି ମାସ ଧରି ମୌସୁମୀ ବାୟୁ ବଙ୍ଗୋପସାଗରର ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଅଂଶ ଦେଇ ଅଗ୍ରସର ହୁଏ, ଯାହା ପରବର୍ତ୍ତୀ ଦୁଇ ସପ୍ତାହ ମଧ୍ୟରେ ଶ୍ରୀଲଙ୍କା ଏବଂ ଭାରତର ଦକ୍ଷିଣ-ପଶ୍ଚିମ ଉପକୂଳ (କେରଳ) ପହଞ୍ଚିବା ପୂର୍ବରୁ ଏହାର ପ୍ରଥମ ବିରାମ। ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ନେଇ ଅନୁକୂଳ ରହିଛି ପାଗ। ଦକ୍ଷିଣ ଆଣ୍ଡାମାନ, ଦକ୍ଷିଣବଙ୍ଗୋପସାଗରର କିଛି ଅଞ୍ଚଳକୁ ଛୁଇଁପାରେ। ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ଛୁଇଁବା ଅନୁମାନ କରାଯାଉଛି।