ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ଏକ ବିଶାଳ ବଜେଟ ଉପସ୍ଥାପନ କରିଛନ୍ତି। ଯାହା ଗତ ବର୍ଷର ବଜେଟ ତୁଳନାରେ ୬.୯ ପ୍ରତିଶତ ଅଧିକ। ରାଜ୍ୟର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଭାବେ କ୍ରମାଗତ ତୃତୀୟଥର ପାଇଁ ସେ ଏହି ବଜେଟ ଉପସ୍ଥାପନ କରିଛନ୍ତି। ଏଥର ବଜେଟରେ ଗରିବ, ଚାଷୀ, ମହିଳା କଲ୍ୟାଣ, ଗ୍ରାମୀଣ ବିକାଶ, ସହରାଞ୍ଚଳ ଓ ଜଳସେଚନର ଉନ୍ନତି, ପୁଞ୍ଜିନିବେଶ, ବନ୍ଦର ଭିତ୍ତିକ ଶିଳ୍ପର ବିକାଶ, ଶିଳ୍ପାୟନ ଓ ସାର୍ବଜନୀନ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ ସରକାର ସବୁ ବର୍ଗକୁ ଖୁସି କରିବାକୁ ଉଦ୍ୟମ କରିଛନ୍ତି। ‘ଲୋକାଙ୍କ ଉନ୍ନତିରେ ରାଜ୍ୟର ପ୍ରଗତି’। ଏହି ପ୍ରତିବଦ୍ଧତାକୁ ସାକାର କରିବା ପାଇଁ, ଓଡ଼ିଶା ସରକାର ୬ଟି ଦୃଢ଼ ସ୍ତମ୍ଭ ଉପରେ ବଜେଟ୍ରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ତାହା ହେଉଛି ନାଗରିକଙ୍କୁ ପ୍ରାଥମିକତା, ଗ୍ରାମୀଣ ସଶକ୍ତିକରଣ, ସମସ୍ତଙ୍କର ସମୃଦ୍ଧି, ଆମ ପରମ୍ପରା, ଆମ ସ୍ୱାଭିମାନ, ପଥ ପ୍ରଦର୍ଶନକାରୀ ପ୍ରଯୁକ୍ତି, ଲୋକକୈନ୍ଦ୍ରିକ ଶାସନ। ଏଥିରେ ସାଧାରଣ ଲୋକ, ପ୍ରଗତି ଓ ସ୍ୱାଭିମାନକୁ ଅଗ୍ରାଧିକାର ଦିଅଯାଇଛି। ଏଥିସହ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ମହିଳା ଶସକ୍ତିକରଣ, ଶିଳ୍ପର ପ୍ରଗତୀ, ସହରୀକରଣ, ଅନୂସୂଚିତ ଜାତି, ଏବଂ ଜନଜାତି ଲୋକଙ୍କ ସାମଗ୍ରିକ ବିକାଶ ଉପରେ ମଧ୍ୟ ଅଧିକ ଫୋକସ୍ କରାଯାଇଛି। ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ଏବଂ ଆପଣମାନଙ୍କ ଅକୁଣ୍ଠ ଭରସାକୁ ପାଥେୟ କରି ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମେ ଦୃଢ଼ ପଦକ୍ଷେପ ନେଉଛୁ। ଗତବର୍ଷ ରାଜ୍ୟ ସରକାର ୨ ଲକ୍ଷ ୯୦ ହଜାର କୋଟିର ପୂର୍ଣ୍ଣାଙ୍ଗ ବଜେଟ ଆଣିଥିଲେ। ଗତ ଠାରୁ ୨୦ ହଜାର କୋଟି ଟଙ୍କା ଅଧିକ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭିଜନ ୨୦୩୬ ଏବଂ ୨୦୪୭ ସୁଦ୍ଧା ‘ବିକଶିତ ଭାରତ, ବିକଶିତ ଓଡ଼ିଶା’ ଗଠନ ଲକ୍ଷ୍ୟ ରହିଛି। ରାଜ୍ୟ ବଜେଟ୍ର ଗୁଣାତ୍ମକ ଦିଗ ସ୍ପଷ୍ଟ। ଏଥିରେ କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧.୮୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ କାର୍ଯ୍ୟକ୍ରମ ବ୍ୟୟ ମୋଟ୍ ବଜେଟ୍ ଆକାରର ୫୮%ରୁ ଅଧିକ। ୨୦୨୬-୨୭ରେ ପୁଞ୍ଜି ବ୍ୟୟ ଅଟକଳ ୭୨,୧୦୦ କୋଟି ଟଙ୍କା, ଯାହାକି ଜିଏସ୍ଡିପିର ୬.୫ ପ୍ରତିଶତ ଏବଂ ରାଜ୍ୟ ବଜେଟ୍ ଆକଳନର ୨୩.୩ ପ୍ରତିଶତ। ଓଡ଼ିଶାର ପୁଞ୍ଜି ବ୍ୟୟର ଅନୁପାତ ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମଧ୍ୟରେ ସର୍ବାଧିକ। ଆର୍ôଥକ ବର୍ଷ ୨୦୨୬-୨୭ ପାଇଁ ପ୍ରଶାସନିକ ବ୍ୟୟ ବବାଦକୁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କାର ପ୍ରସ୍ତାବ ରହିଛି। ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୫ ହଜାର ୩ ଶହ ୭୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ରାଜ୍ୟରୁ ହସ୍ତାନ୍ତର ପାଇଁ ୧୦ ହଜାର ୬ ଶହ ୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଷୋଡ଼ଶ କେନ୍ଦ୍ର ଅର୍ଥ ଆୟୋଗଙ୍କ ସୁପାରିସ କ୍ରମେ ୩ ହଜାର ୫୬ କୋଟି ଟଙ୍କା ଏବଂ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗଙ୍କ ସୁପାରିସ କ୍ରମେ ପ୍ରାୟ ୭ ହଜାର ୪ ଶହ ୫୦ କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଆମ ସରକାର ୧୫ ଲକ୍ଷ ହେକ୍ଟର ଏକ ଜମିରେ ଜଳସେଚନ କରିବେ। ‘ସମୃଦ୍ଧ କୃଷକ ଯୋଜନା’ ଅଧୀନରେ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ମୂଲ୍ୟରେ ଧାନ କ୍ରୟ ପାଇଁ ୬ ହଜାର ୮୮ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଚାଷୀମାନଙ୍କୁ ସମୟୋଚିତ ପୈଠ ଏବଂ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ୫ ହଜାର କୋଟି ଟଙ୍କାର ଏକ ଆବର୍ତ୍ତନ ପାଣ୍ଠି ଗଠନ ହୋଇଛି। ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରାୟ ୧୧ ଲକ୍ଷ ମେଟ୍ରିକ ଟନ୍ ବିଶିଷ୍ଟ ଆଧୁନିକ ଗୋଦାମ ନିର୍ମାଣ କରାଯିବାର ପ୍ରସ୍ତାବ ଥିବାବେଳେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଚାଷୀ, ଜମି ମାଲିକ, ଭୂମିହୀନ ପରିବାର ଏବଂ ବିଶେଷ ଭାବେ ସମ୍ବେଦନଶୀଳ ଜନଜାତିଙ୍କ ପାଖରେ ଅତିରିକ୍ତ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ-କିଷାନ ଯୋଜନାକୁ ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଜରିଆରେ କାର୍ଯ୍ୟକାରୀ କରିବା ପାଇଁ ୨ ହଜାର ୩୦ କୋଟି ଟଙ୍କାର ପ୍ରସ୍ତାବ । ‘ଶ୍ରୀ ଅନ୍ନ ଅଭିଯାନ’ ପାଇଁ ୪ ଶହ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଫସଲ ବିବିଧକରଣ କାର୍ଯ୍ୟକ୍ରମ, ସ୍ୱଦେଶୀ ପ୍ରଜାତିର ଧାନକୁ ପ୍ରୋତ୍ସାହନ ଏବଂ ଅମଳ ପରବର୍ତ୍ତୀ ଧାନ ପଡ଼ିଆର ବ୍ୟାପକ ପରିଚାଳନା ଆଦି ପଦକ୍ଷେପ ପାଇଁ ମୋଟ ୪ ଶହ ୬୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ୬ଟି ଜିଲ୍ଲାରେ କଫି ଚାଷ ପାଇଁ ୧ ଶହ ୫୦ କୋଟି ଟଙ୍କା, ପ୍ରଯୁକ୍ତିବିଦ୍ୟା ଦ୍ୱାରା ଉନ୍ନତ ବଳଭଦ୍ର ଜୈବିକ ଚାଷ ମିଶନ ନିମନ୍ତେ ୨୮ କୋଟି, ଆଖୁ ଚାଷ ନିମନ୍ତେ ୨୭ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିମନ୍ତେ ୨୩ ହଜାର ୧୮୨ କୋଟି ଟଙ୍କାର ମୋଟ ବ୍ୟୟବରାଦ ହୋଇଥିବାବେଳେ ‘ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ’-୫୦୦୮ କୋଟି ଟଙ୍କା, ନିର୍ମଳ ଯୋଜନା -୯୮୬ କୋଟି ଟଙ୍କା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା-୬୩୦୯ କୋଟି ଟଙ୍କା, ଜାତୀୟ ସ୍ୱାସ୍ଥ୍ୟ ମିଶନରେ ୧,୯୫୮ କୋଟି ଟଙ୍କା, “ନିରାମୟ’ ଯୋଜନାରେ ୭୮୬ କୋଟି ଟଙ୍କା, ‘ନିଦାନ’ ପାଇଁ ୩୭୧ କୋଟି ଟଙ୍କା, ଜରୁରୀକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା ପାଇଁ ୧୯୮ କୋଟି ଟଙ୍କା, ଆଶାକର୍ମୀଙ୍କ କଲ୍ୟାଣ ନିମନ୍ତେ ‘ସ୍ୱାସ୍ଥ୍ୟ ସହାୟ’ ଯୋଜନା ଅଧୀନରେ ୧୮୩ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ରାଜ୍ୟର ସମସ୍ତ ମେଡିକାଲ କଲେଜରେ ରକ୍ତଭଣ୍ଡାର ପ୍ରତିଷ୍ଠା, ସମସ୍ତ ରକ୍ତଭଣ୍ଡାରର ଉନ୍ନତିକରଣ ଏବଂ ଆଧୁନିକୀକରଣ ପାଇଁ “ଅଟଳ ରକ୍ତ ଦାନ ଅଭିଯାନ’ କରାଯାଇଛି। ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ପାଇଁ ୩୧୧ କୋଟି ଟଙ୍କା ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ବ୍ୟକ୍ତି, ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଏବଂ ଭିକାରୀଙ୍କ ପାଇଁ ଆବାସିକ ଏବଂ ସହାୟକ ସୁବିଧା ପାଇଁ ୧୦୯ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ମହିଳା ଏବଂ ଶିଶୁ କେନ୍ଦ୍ରିକ ନୀତି ଏବଂ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରାଯାଇ ୧୮,୯୫୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲାବେଳେ ମମତା ଯୋଜନା ପାଇଁ ୩୨୦ କୋଟି ଟଙ୍କା, ସୁଭଦ୍ରା ଯୋଜନା ପାଇଁ ୧୦,୧୪୫ କୋଟି ଟଙ୍କା, “ସମୃଦ୍ଧ ଅଙ୍ଗନୱାଡି ଯୋଜନା’ -୬୩୫ କୋଟି ଟଙ୍କା, ସମନ୍ୱିତ ବାତ୍ସଲ୍ୟ ସଦନ- ୬୨ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୁଷ୍ଟି ଯୋଜନା- ୫୫୨ କୋଟି ଟଙ୍କା ଓ ଓଡିଶା ପୁଷ୍ଟି ମିଶନ – ୧୦୦ କୋଟି ଟଙ୍କା ମିଳିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମଗ୍ର ଶିକ୍ଷାକୁ ରାଜ୍ୟ ସହାୟତା ୧୧୩୧ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲାବେଳେ ସମଗ୍ର ଶିକ୍ଷା- ୩୮୦୫ କୋଟି ଟଙ୍କା, ଗଙ୍ଗାଧର ମେହେର ଶିକ୍ଷାମାନଙ୍କ ବୃଦ୍ଧି ଯୋଜନା -୩୮୫ କୋଟି, ଓଡିଶା ଆଦର୍ଶ ବିଦ୍ୟାଳୟ –୧୨୨୪ କୋଟି ଟଙ୍କା, ମଦ୍ରାସା ଶିକ୍ଷା ପାଇଁ -୨୩ କୋଟି ଟଙ୍କା, ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମ-୧୦୧୦ କୋଟି, ଐତିହ୍ୟ ବିଦ୍ୟାଳୟ-୧୩୧ କୋଟି ଟଙ୍କା, ପଞ୍ଚସଖା ଶିକ୍ଷା ସେତୁ -୨୩୪ କୋଟି ଟଙ୍କା ବ୍ୟବସ୍ଥା ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବଜେଟ୍ କେବଳ ଏକ ଆର୍ôଥକ ଦସ୍ତାବିଜ ନୁହେଁ, ବରଂ ରାଜ୍ୟର ପ୍ରତିଟି ଶ୍ରେଣୀର ଆଶା ଓ ଆକାଂକ୍ଷାର ପ୍ରତିଫଳନ। ଆମର ଲକ୍ଷ୍ୟ ସ୍ପଷ୍ଟ। ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ବିକାଶର ସୁଫଳ ପହଞ୍ଚାଇବା। ଅନ୍ନଦାତାଙ୍କ ସମୃଦ୍ଧି, ନାରୀଶକ୍ତିଙ୍କ ସଶକ୍ତିକରଣ ଓ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରି ‘ଅନ୍ତ୍ୟୋଦୟ’ର ସ୍ୱପ୍ନକୁ ସାକାର କରିବା ପାଇଁ ବଜେଟ୍ ସଂକଳ୍ପବଦ୍ଧ। ଏକ ସମୃଦ୍ଧ ଓ ସ୍ୱାଭିମାନୀ ଓଡ଼ିଶା ଗଠନର ଏହି ମହାଯଜ୍ଞରେ ଆମେ ସମସ୍ତେ ସହଭାଗୀ ହେବା ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି।
ସରକାର ଋଣ କରିବେ ୪୭,୮୦୦ କୋଟି
ରାଜ୍ୟରେ ସର୍ବମୋଟ୍ ୧,୫୫,୭୧୦ କୋଟି ଟଙ୍କାର ଋଣ ଥିବାବେଳେ ମୁଣ୍ଡପିଛା ଋଣଭାର ୨୭,୬୨୫ କୋଟି ଟଙ୍କା ରହିଛି। ଏଥିରୁ ସୂଧଦେୟ ୮,୨୦୦ କୋଟି ଥିବାବେଳେ ଏହାର ଅନୁପାତ ୩,୩% ରହିଛି। ତେବେ ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୪୭,୮୦୦ କୋଟି ଟଙ୍କାର ଋଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟ କରିଛନ୍ତି। ଏଥିରେ ଖୋଲାବଜାରରୁ ୨୪୪୬୫କୋଟି ଟଙ୍କା ଓ କେନ୍ଦ୍ର ସରକାରଙ୍କଠୁ ୧୦୨୬୫କୋଟି ଟଙ୍କାର ଋଣ ଆହରଣ କରିବେ। ଆଉ ବର୍ଷ ଶେଷବେଳକୁ ରାଜ୍ୟର ଋଣବୋଝ ୧ ଲକ୍ଷ ୫୫ ହଜାର ୭୧୦ କୋଟି ଟଙ୍କା ବୋଲି ଆକଳନ ହୋଇଛି । ତେବେ ରାଜ୍ୟର ଋଣବୋଝ ରାଜ୍ୟ ଜିଡିପିର ୨୫%ରୁ ବହୁ କମ୍ (ମାତ୍ର ୧୪.୧%) ଥିବା ଓ ଏଫଆରବିଏମ୍ ଆକ୍ଟର ସୀମା ମଧ୍ୟରେ ଏକ ସୁରକ୍ଷିତ ସ୍ଥିତିରେ ରହିଥିବା ସରକାର କହିଛନ୍ତି ।
ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ: ସ୍ନାତକ ପରେ ୧ଲକ୍ଷ୧ ଟଙ୍କା
ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ ନାମରେ ଏକ ନୂଆ ଯୋଜନା ଆରମ୍ଭ ହୋଇଛି। ଆର୍ôଥକ ଦୁର୍ବଳ ବର୍ଗର ପରିବାରରେ ଜନ୍ମ ହୋଇଥିବା ଝିଅଙ୍କ ନାମରେ ୨୦ ହଜାର ଟଙ୍କାର ଏକ ସଞ୍ଚୟ ଉପକରଣ ସୃଷ୍ଟି କରାଯିବ। ଏହା ପରେ ସ୍ନାତକ ଶେଷ ହେବା ପରେ ତାଙ୍କୁ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ। ବଜେଟ୍ ଉପସ୍ଥାପନବେଳେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳା ସଶକ୍ତିକରଣ ଏବଂ କଲ୍ୟାଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ସୁଭଦ୍ରା ଶକ୍ତି ସମ୍ବାଦ’ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିଛଛି। ସୁଭଦ୍ରା ହିତାଧିକାରୀଙ୍କ ଅଭିଜ୍ଞତାକୁ ବାଣ୍ଟିବା, ସମସ୍ୟାର ସମାଧାନ ପାଇଁ ଅଧିକାରୀ ଏବଂ ଗୋଷ୍ଠୀର ହିତାଧିକାରୀଙ୍କ ସହ ନିୟମିତ ଆଲୋଚନା ମାଧ୍ୟମରେ ଅଭିଯୋଗ ନିରାକରଣ ବ୍ୟବସ୍ଥାକୁ ମଜବୁତ୍ କରିବା ପାଇଁ ଏକ ପାଇଁ ଏହା ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ। ସେହିପରି ଜୀବନଶୈଳୀ ମାର୍ଗଦର୍ଶନ ଏବଂ ପରାମର୍ଶ ସହାୟତା ସହିତ ସମସ୍ତ ବୟସ ବର୍ଗର ମହିଳାଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ପୁଷ୍ଟିକର ଖାଦ୍ୟ, ମାନସିକ ସୁସ୍ଥତା ଏବଂ ଅର୍ଥନୈତିକ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ‘ସୁଭଦ୍ରା ୱେଲନେସ୍ ସେଣ୍ଟର’ ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ମାଝୀ ସ୍ଫଷ୍ଟ କରିଛନ୍ତି।










