ଭୁବନେଶ୍ୱର: ରାଜ୍ୟରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନିତ କରି ଓଡ଼ିଶାର ମୌଳିକ ସମସ୍ୟାର ସମାଧାନ ପାଇଁ ବିଜେପି ସରକାର କାର୍ଯ୍ୟ କରିଚାଲିଛି। ଏନେଇ ଓଡ଼ିଶାବାସୀଙ୍କ ମନରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ଆସ୍ଥା ଏବଂ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଦୃଢ଼ ସାଙ୍ଗଠାନିକ କାର୍ଯ୍ୟ ଉପରେ ରାଜ୍ୟବାସୀଙ୍କ ବିଶ୍ୱାସ ଦିନକୁ ଦିନ ବଢ଼ିଚାଲିଛି। ରାଜ୍ୟରେ ଡବଲ ଇଂଜିନ ସରକାରଙ୍କ ବିକାଶ ମଡେଲ ଉପରେ ଆସ୍ଥା ପ୍ରକଟ କରି ସମସ୍ତେ ଏବେ ବିଜେପି ମୁହାଁ ହେବାରେ ଲାଗିଛନ୍ତି। ମୋଦିଜୀଙ୍କ ନେତୃତ୍ୱ ବିଜେପିକୁ ଆଜି ବିରାଟ ବଟବୃକ୍ଷରେ ପରିଣତ କରିଛି ବୋଲି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି। ଦଳର ବିଚାରଧାରା ଉପରେ ଅନୁପ୍ରାଣିତ ହୋଇ ଯୁବନେତା ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସମ୍ପାଦକ ଶ୍ରୀ ସୁବତ୍ର ଶତପଥୀ ନେତୃତ୍ୱରେ ବିଜୁ ଜନତା ଦଳ ଛାଡ଼ି ତାଙ୍କର ବହୁ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି କଟକ ଖ୍ରାଷ୍ଟ ମହାବିଦ୍ୟାଳୟର ପୂର୍ବତନ ସମ୍ପାଦକ ଶ୍ରୀ ମୁକେଶ କୁମାର ମହାରଣା ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ଧୀରଜ ପଟ୍ଟନାୟକ, ରାଜେଶ ଦାସ, ଅଜର ଅମର ମିଶ୍ର, ଲିଙ୍ଗରାଜ ନାୟକ, ମନୋଜ ଦାସ, ଦେବପ୍ରସାଦ ପଣ୍ଡା, ପିଂଟୁ ସାହୁ, ସ୍ୱାଧୀନ କର, ସୁନାମ ଦୀକ୍ଷିତ, ଉଦୟ ପ୍ରକାଶ ପୃଷ୍ଟି, ସାଗର ସାହୁ, ଗଣେଶ୍ୱର ସାମଲ, କୈଳାସ ଦାସ ପ୍ରମୁଖ ବିଜେପିରେ ଯୋଗଦେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ଉପସଭାପତି ଶ୍ରୀ ବିଷ୍ଣୁ ଦାସ, ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକ, କଟକ ଜିଲ୍ଲା ସଭାପତି ଶ୍ରୀ ସୁକାନ୍ତ ବିଶ୍ୱାଳ, କଟକ ଜିଲ୍ଲା ପ୍ରଭାରୀ ଇଂ.ଜ୍ଞାନଦେବ ବେଉରା, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରଶାନ୍ତ ପାଇକରାୟ ଓ ସୁବତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ନୂତନ କାର୍ଯ୍ୟକର୍ତାଙ୍କୁ ଦଳୀୟ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ କରିଛନ୍ତି।










