ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଗୁଜରାଟର ଦାହୋଦରେ ୨୪ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଏବଂ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ଆଜି ଦେଶ ହତାଶାରୁ ବାହାରି ଆସିଛି ଏବଂ ଆତ୍ମବିଶ୍ୱାସର ଆଲୋକରେ ତ୍ରିରଙ୍ଗା ଉତୋଳନ କରୁଛି। ଏହା ସହିତ, ସେ ଆତଙ୍କବାଦୀମାନଙ୍କୁ ଚେତାବନୀ ଦେଇ କହିଛନ୍ତି, ଯିଏ ଆମର ମା’ ଏବଂ ଭଉଣୀଙ୍କ ସିନ୍ଦୂର ପୋଛିବାକୁ ଚେଷ୍ଟା କରିବ, ସେ ନିଶ୍ଚିତ ଭାବରେ ବିନାଶ ହେବ। ଅପରେଶନ ସିନ୍ଦୁର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ। ଏହା ଆମର ଭାରତୀୟ ମୂଲ୍ୟବୋଧ ଏବଂ ଆମର ଭାବନାର ପ୍ରକାଶ। ଆତଙ୍କବାଦୀମାନେ ୧୪୦ କୋଟି ଭାରତୀୟଙ୍କୁ ଚ୍ୟାଲେଞ୍ଜ କରିଥିଲେ। ଆମେ ସେମାନଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ ଦେଇଛୁ। ଏହି ଅବସରରେ ମୋଦୀ କହିଛନ୍ତି ଯେ, ଦେଶର ପ୍ରଗତି ପାଇଁ ଯାହା ଆବଶ୍ୟକ, ଆମେ ତାହାକୁ ଭାରତରେ ହିଁ ତିଆରି କରିବା ଉଚିତ୍, ଏହା ହିଁ ସମୟର ଆବଶ୍ୟକତା। ଆଜି ଆମେ ଖେଳଣାଠାରୁ ଆରମ୍ଭ କରି ସାମରିକ ଅସ୍ତ୍ରଶସ୍ତ୍ର ପର୍ଯ୍ୟନ୍ତ ସବୁକିଛି ବିଶ୍ୱର ବିଭିନ୍ନ ଦେଶକୁ ରପ୍ତାନି କରୁଛୁ। ଆଜି ଭାରତ ରେଳ, ମେଟ୍ରୋ ଏବଂ ଏଥିପାଇଁ ଆବଶ୍ୟକ ପ୍ରଯୁକ୍ତିବିଦ୍ୟା ତିଆରି କରେ ଏବଂ ବିଶ୍ୱକୁ ମଧ୍ୟ ରପ୍ତାନି କରୁଛି। ଦଶନ୍ଧି ଧରି ରହିଥିବା ପ୍ରତିବନ୍ଧକରୁ ମୁକ୍ତ ହୋଇ ପ୍ରତ୍ୟେକ କ୍ଷେତ୍ରରେ ଭାରତ ଆଜି ଅଗ୍ରଗତି କରିଛି। ଆଜି, ଦେଶ ହତାଶ ଏବଂ ଅନ୍ଧାରର ଯୁଗରୁ ଆତ୍ମବିଶ୍ୱାସ ଏବଂ ଆଶାବାଦର ଏକ ନୂତନ ଯୁଗକୁ ଉଭା ହୋଇଛି ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ସେ ଗତ ୧୧ ବର୍ଷ ପୂର୍ବ ଆଜିର ତାରିଖରେ ଅର୍ଥାତ୍ ୨୦୧୪ ମସିହା ମେ ୨୬ତାରିଖରେ ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହି ୧୧ ବର୍ଷ ମଧ୍ୟରେ ଆଦିବାସୀ ସମାଜର ବିକାଶ ପାଇଁ ଅଭୂତପୂର୍ବ ପ୍ରୟାସ କରାଯାଇଛି। ସେହିପରି ଏହି ସମୟ ସୁଦ୍ଧା ଭାରତର ରେଳ କ୍ଷେତ୍ରରେ ହୋଇଥିବା ଦ୍ରୁତ ବିକାଶ ସମ୍ପର୍କରେ ମଧ୍ୟ ମୋଦୀ ହିସାବ ଦେଇଥିଲେ। ଭାରତ ଏବେ ରେଳବାଇ କ୍ଷେତ୍ରରେ ଏକ ରପ୍ତାନୀକାରୀ ଦେଶ ପାଲଟିଥିବା ସମ୍ପର୍କରେ ମୋଦୀ କହିଛନ୍ତି। ମୋଦୀ ଆଲୋକପାତ କରି କହିଥିଲେ ଯେ ଦାହୋଦର ରେଳ କାରଖାନା ୯,୦୦୦ ଅଶ୍ୱଶକ୍ତି ବିଶିଷ୍ଟ ଲୋକୋମୋଟିଭ୍ ନିର୍ମାଣ କରିବ ଯାହା ଭାରତର ଟ୍ରେନଗୁଡ଼ିକର ଶକ୍ତି ଏବଂ କ୍ଷମତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ଦାହୋଦରେ ଉତ୍ପାଦିତ ପ୍ରତ୍ୟେକ ଲୋକୋମୋଟିଭ୍ ସହରର ନାମ ବହନ କରିବ। ଆଗାମୀ ବର୍ଷଗୁଡ଼ିକରେ ଶହ ଶହ ଲୋକୋମୋଟିଭ୍ ନିର୍ମାଣ କରାଯିବ ଯାହା ସ୍ଥାନୀୟ ଯୁବକମାନଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି କରିବ। କାରଖାନା ରେଳ ଯନ୍ତ୍ରପାତି ଉତ୍ପାଦନ କରୁଥିବା କ୍ଷୁଦ୍ର ଶିଳ୍ପଗୁଡ଼ିକୁ ମଧ୍ୟ ସମର୍ଥନ କରିବ ଯାହା ଆଖପାଖ ଅଞ୍ଚଳରେ ଆର୍ôଥକ ଅଭିବୃଦ୍ଧି ଆଣିବ। ମୋଦୀଙ୍କ କହିବାନୁସାରେ ନିଯୁକ୍ତି ସୁଯୋଗ କାରଖାନା ବାହାରେ ବିସ୍ତାରିତ ଯାହା ଚାଷୀ, ପଶୁପାଳନ ମାଲିକ, ଦୋକାନୀ ଏବଂ ଶ୍ରମିକଙ୍କୁ ଲାଭ ପହଞ୍ଚାଇଥାଏ ଏବଂ ଏହା ମଧ୍ୟ ବ୍ୟାପକ ଆର୍ôଥକ ପ୍ରଗତି ସୁନିଶ୍ଚିତ କରିଥାଏ।
ନିଜ ସମ୍ବୋଧନରେ ମୋଦୀ କହିଛନ୍ତି, ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ତାଙ୍କୁ ଦୀର୍ଘ ସମୟ ଯାଏ କାମ କରିବାକୁ ସମସ୍ତ ଗୁଜରାଟବାସୀ ପ୍ରଚୁର ଆଶୀର୍ବାଦ ଦେଇଛନ୍ତି। ଏହି ଆଶୀର୍ବାଦକୁ ପାଥେୟ କରି ସେ ଆଜି ଗୁଜରାଟ ସମେତ ଅନ୍ୟ ରାଜ୍ୟଗୁଡ଼ିକର ତଥା ସର୍ବୋପରି ଭାରତ ମା’ର ସେବା କରିବାକୁ ସାହସ, ପ୍ରେରଣା ପାଉଛନ୍ତି। ସମସ୍ତ ଦେଶବାସୀଙ୍କ ଆଶୀର୍ବାଦରେ, ସେ ଏବଂ ତାଙ୍କ ସରକାର ଦେଶ ତଥା ଦେଶବାସୀଙ୍କ ଉନ୍ନତି ପାଇଁ କାମ କରୁଛନ୍ତି। ସମସ୍ତଙ୍କ ସମର୍ଥନ ଯୋଗୁ ତାଙ୍କ ସରକାର ଦେଶରେ ଅନେକ ବଡ଼ ନିଷ୍ପତ୍ତି ନେଇପାରିଛି। କିଛି ନିଷ୍ପତ୍ତି ଦେଶବାସୀଙ୍କୁ କଷ୍ଟ ଦେଇଥାଇପାରେ କିନ୍ତୁ ଏସବୁ ଦେଶକୁ ୪ର୍ଥ ସର୍ବବୃହତ୍ ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ପାଖରେ ଗୌଣ ଥିଲା। ଦେଶ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି କରିଛି ଏବଂ ଏହି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ। ଗୁଜରାଟରେ ଅନେକ ବିକାଶ ଓ ଉନ୍ନତି ହୋଇଛି। ଆଜି ଦିନରେ ଗୁଜରାଟ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଗୁଜରାଟର ୧୦୦% ରେଳ ନେଟୱାର୍କର ବିଦ୍ୟୁତିକରଣ ସମାପ୍ତ ହୋଇଛି।
ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଏବେ ଭାରତୀୟ ସେନାର ସାମର୍ଥ୍ୟକୁ ବିଶ୍ୱସ୍ତରରେ ପହଞ୍ଚାଇବା ଦିଗରେ କାମ କରୁଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେବା ପୂର୍ବକ ପାକିସ୍ତାନ ମାଟିରେ କରିଥିବା ‘ଅପରେସନ୍ ସିନ୍ଦୂର’କୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଏନ୍ଡିଏ ସରକାର ଏବେ ବିଭିନ୍ନ ଦେଶକୁ ସାଂସଦମାନଙ୍କ ପ୍ରତିନିଧି ଦଳ ମଧ୍ୟ ପଠାଇଛି। ଏସବୁ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବର୍ତ୍ତମାନ ସମୟରେ ଦେଶର ଯେକୌଣସି ପ୍ରାନ୍ତକୁ ଯାଉଛନ୍ତି ସେଠାରେ ଭାରତୀୟ ସେନାର ସାମର୍ଥ୍ୟ ଏବଂ ଅପରେସନ୍ ସିନ୍ଦୂର’ ସମ୍ପର୍କରେ କହିବା ଦେଖିବାକୁ ମିଳୁଛି।