ନୂଆଦିଲ୍ଲୀ: ଭାରତୀୟ ସେନାର ପରାକ୍ରମ ‘ଅପରେସନ୍ ସିନ୍ଦୂର’ର ଗାଥା ବର୍ଣ୍ଣନା କରିବାକୁ ଏବଂ ପାକିସ୍ତାନର ପ୍ରତ୍ୟେକ ମିଛକୁ ବିଶ୍ୱ ସମ୍ମୁଖରେ ରଖିବା ଉଦ୍ଦେଶ୍ୟରେ ଭାରତ ସରକାର ୭ ବରିଷ୍ଠ ସାଂସଦଙ୍କ ନେୃତୃତ୍ୱରେ ୭ଟି ସର୍ବଦଳୀୟ ପ୍ରତିନିଧି ଦଳ ଗଠନ କରିଛନ୍ତି । କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କଂଗ୍ରେସ ସାଂସଦ ଶଶି ଥରୁର, ବିଜେପି ସାଂସଦ ରବି ଶଙ୍କର ପ୍ରସାଦ, ଜେଡିୟୁ ସାଂସଦ ସଞ୍ଜୟ କୁମାର ଝା, ଡିଏମ୍କେ ସାଂସଦ କାନିମୋଝି, ଏନ୍ସିପି ସାଂସଦ ସୁପ୍ରିୟା ସୁଲେ ଓ ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ନେତୃତ୍ୱରେ ଏହି ୭ଟି ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଭାରତର ସହଯୋଗୀ ରାଷ୍ଟ୍ର ଓ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ଦେଶକୁ ଗସ୍ତ କରିବେ ।
ତେବେ ଏହି ପ୍ରତିନିଧି ଦଳରେଅନେକ ବିରୋଧୀ ଦଳର ସାଂସଦମାନଙ୍କୁ ମଧ୍ୟ ସାମିଲ କରାଯାଇଛି । ଏହି ସାଂସଦମାନେ ବିଦେଶ ଗସ୍ତ କରିବା ସହ ସେଠାରେ ଭାରତୀୟ ସେନାର ପରାକ୍ରମ ତଥା ପାକିସ୍ତାନ ବିରୋଧରେ କରାଯାଇଥିବା ଅପରେସନ୍ ସିନ୍ଦୂର ସମ୍ପର୍କରେ ସୂଚନା ଦେବାକୁ ଭାରତ ସରକାର ଏମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଏଭଳି ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ବିରୋଧୀ ଦଳର ସାଂସଦମାନେ ମଧ୍ୟ ବେଶ୍ ଖୁସି ଅଛନ୍ତି । ସେମାନେ ପାକିସ୍ତାନକୁ ବିଶ୍ୱ ଦରବାରରେ ସମାଲୋଚନା କରିବା ପାଇଁ ତଥା ଅପରେସନ୍ ସିନ୍ଦୂର ପ୍ରସଙ୍ଗରେ ଭାରତର ପକ୍ଷ ରଖିବା ପାଇଁ ଆବଶ୍ୟକ ସବୁପ୍ରକାର ତଥ୍ୟ ଏବେ ସଂଗ୍ରହ କରିବାରେ ଲାଗିପଡ଼ିଛନ୍ତି ।
ଏସବୁ ମଧ୍ୟରେ ପଶ୍ଚିମବଙ୍ଗ ସାଂସଦ ତଥା ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ୍ ପଠାନ୍ କିନ୍ତୁ ନିଜ ଆଡୁ ଏହି ଦାୟିତ୍ୱରୁ ଓହରିଯାଇଛନ୍ତି । ସେ କହିଛନ୍ତି ବର୍ତ୍ତମାନ ସମୟରେ ଦେଶ ଦେଶ ବୁଲିବାକୁ ତାଙ୍କ ପାଖେ ସମୟ ନାହିଁ । ୟୁସୁଫ କହିଛନ୍ତି ଯେ, ସେ ଏହି ବିଦେଶ ଗସ୍ତ ପାଇଁ ଉପଲବ୍ଧ ହେବେ ନାହିଁ । ଏତଦ୍ବ୍ୟତୀତ ତାଙ୍କୁ ଏହି ଟିମ୍ରେ ସାମିଲ କରିବା ନେଇ, ପୂର୍ବରୁ କୌଣସି ପ୍ରକାର ଯୋଗାଯୋଗ କରାଯାଇନଥିଲା । ତାଙ୍କ ଦଳ ଟିଏମ୍ସି ସହ ମଧ୍ୟ ଏନେଇ କୌଣସି ପ୍ରକାର ଚର୍ଚ୍ଚା ହୋଇନି । ଅନ୍ୟପକ୍ଷେ ୟୁସୁଫ୍ଙ୍କ ଏପ୍ରକାର ବିବୃତିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପହଲଗାମ୍ ଆତଙ୍କବାଦୀ ଘଟଣାରେ ଭାରତୀୟ ସେନାର ପ୍ରତିଶୋଧକୁ ନେଇ ସମଗ୍ର ଦେଶ ଯେଉଁଠି ଗର୍ବ ଅନୁଭବ କରୁଛି ସେଠାରେ ସମୟ ନାହିଁ ବୋଲି କହି ୟୁସୁଫ୍ ଏଭଳି ଏକ କାର୍ଯ୍ୟକ୍ରମରୁ ଦୂରେଇ ଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରକାଶ, ସଞ୍ଜୟ ଝାଙ୍କ ନେତୃତ୍ୱାଧୀନ ଟିମ୍ରେ ୟୁସୁଫ୍ ପଠାନ୍ ଥିଲେ ।
ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ କରିଥିବା ଅପରେସନ୍ ସିନ୍ଦୂର’ ସମ୍ପର୍କରେ ସାରା ବିଶ୍ୱକୁ ଜଣାଇବା ପାଇଁ ଭାରତ ଏବେ ପ୍ରୟାସ କରୁଛି । ଅନ୍ୟପକ୍ଷେ ୟୁସୁଫ ପଠାନ ଭାରତ ସରକାରଙ୍କ ଏହି ଅଭିଯାନରେ ସାମିଲ ହେବାକୁ ମନା କରିବା ପରେ ଟିଏମ୍ସି ନିଜ ପ୍ରତିକ୍ରିୟାରେ କହିଛି ଯେ, ବିଦେଶ ନୀତି ଭାରତ ସରକାରଙ୍କ ବିଷୟ ଅଟେ । ଏହାର ପୂରା ଦାୟିତ୍ୱ ଭାରତ ସରକାର ନେବା ଉଚିତ୍ । କେବଳ ସେତିକି ନୁହେଁ, ତୃଣମୂଳ କଂଗ୍ରେସର କୌଣସି ସାଂସଦ ସର୍ବଦଳୀୟ ପ୍ରତିନିଧି ଭାବେ ବିଦେଶ ଯିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ପ୍ରକାଶ, ପୂର୍ବରୁ ଟିଏମ୍ସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ମଧ୍ୟ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଏହି ପ୍ରତିନିଧି ଦଳରେ ଯୋଗଦେବାକୁ ମନା କରିଥିଲେ ।