15.1 C
Bhubaneswar
Saturday, December 6, 2025
Homeଓଡିଶାଆଧୁନିକ ଅଡିଟିଂ ବ୍ୟବସ୍ଥା ସୁଶାସନର ଚାବିକାଠି: ରାଜ୍ୟପାଳ

ଆଧୁନିକ ଅଡିଟିଂ ବ୍ୟବସ୍ଥା ସୁଶାସନର ଚାବିକାଠି: ରାଜ୍ୟପାଳ

ଭୁବନେଶ୍ୱର: ଆଧୁନିକ ଅଡିଟିଂ ଅଭ୍ୟାସ ସୁଶାସନର ଚାବିକାଠି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି । ଚଳିତ ନଭେମ୍ବର ୨୮ ତାରିଖ ଦିନ ଜୟଦେବ ଭବନରେ ଅନୁଷ୍ଠିତ ପଞ୍ଚମ ଅଡିଟ୍ ସପ୍ତାହ ପାଳନର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି।ଆଧୁନିକ ଶାସନର ସଠିକ୍ କାର୍ଯ୍ୟାନ୍ୱୟନ ପାଇଁ ଅଡିଟିଂ ଅଭ୍ୟାସକୁ ରୂପାନ୍ତରିତ କରିବାର ଆବଶ୍ୟକତା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି I ନିଜ ଉଦବୋଧନରେ ରାଜ୍ୟପାଳ କହିଥିଲେ ଯେ, ଆଧୁନିକ ଅଡିଟିଂ ବିଶ୍ଳେଷଣାତ୍ମକ, ପ୍ରଯୁକ୍ତିବିଦ୍ୟା-ଚାଳିତ ଏବଂ ଭବିଷ୍ୟତ-ମୁଖୀ ହେବା ଆବଶ୍ୟକ I ସାଧାରଣ ଖର୍ଚ୍ଚ ଏବଂ ଆର୍ଥିକ ବ୍ୟବସ୍ଥାର ଯାଞ୍ଚକୁ ଉନ୍ନତ କରିବା ପାଇଁ ଏହା ତଥ୍ୟ ବିଶ୍ଳେଷଣ, ବାସ୍ତବତା ଓ ମୂଲ୍ୟାଙ୍କନ ଭିତ୍ତିକ ହେବା ଉଚିତ। ଅଡିଟର ଭୂମିକା କେବଳ ଆକାଉଣ୍ଟ ଯାଞ୍ଚ କରିବାରେ ସୀମିତ ନୁହେଁ ।ବର୍ତ୍ତମାନ ଅଡିଟ୍ ଶାସନ, ପ୍ରଯୁକ୍ତିବିଦ୍ୟା ଏବଂ ଜନସାଧାରଣଙ୍କ ଆଶା ଅକଙ୍କ୍ୟାର ସଂଯୋଗସ୍ଥଳ ଭାବେ ଉଭା ହୋଇଛି।

ଡିଜିଟାଲ ପ୍ଲାଟଫର୍ମ ଏବଂ ଦିନକୁ ଦିନ ବହୁଳ ସରକାରୀ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଅଡିଟରେ ବାସ୍ତବତାକୁ ଆକଳନ କରିବା, ନିୟନ୍ତ୍ରଣରେ ଉନ୍ନତି ଆଣିବା ଏବଂ ସୂଚନାଯୁକ୍ତ ନିଷ୍ପତ୍ତି ନେବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ରାଜ୍ୟପାଳ କହିଥିଲେ।ଭାରତର ଅଡିଟ୍ ସଂସ୍ଥାଗୁଡ଼ିକର ଇତିହାସ ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ ୧୫୦ବର୍ଷରୁ ଅଧିକ ସମୟ ଧରି ଏହା ଜନସାଧାରଣଙ୍କ ଉତ୍ତରଦାୟିତ୍ୱବୋଧର ମୂଳଦୁଆ ରହିଆସିଛି ଏବଂ ଏହା ସରକାରୀ ସମ୍ବଳର ଉତ୍ତରଦାୟୀ ଏବଂ ସ୍ୱଚ୍ଛ ବ୍ୟବହାର ସୁନିଶ୍ଚିତ କରି ଶାସନରେ ବିଶ୍ୱାସକୁ ସୁଦୃଢ଼ କରିବାରେ ସହାୟକ ହୋଇଛି।

ପ୍ରଯୁକ୍ତିବିଦ୍ୟା ଆଧାରିତ ବ୍ୟବସ୍ଥାକୁ ଗ୍ରହଣ କରିବାରେ ଓଡ଼ିଶାର ଅଗ୍ରଗତିକୁ ରାଜ୍ୟପାଳ ପ୍ରଶଂସା କରିଥିଲେ I ଏଥି ସହିତ ‘ସମାଧାନ’ (SAMADHAN) ଭଳି ପଦକ୍ଷେପକୁ ଅଭିଯୋଗ ପରିଚାଳନାରେ ଉଭୟ ଦକ୍ଷତା ଓ ସହାନୁଭୂତିର ମଡେଲ ବୋଲି ରାଜ୍ୟପାଳ ବର୍ଣ୍ଣନା କରିଥିଲେ Iଡିଜିଟାଲ ଅଡିଟ୍ ଉପକରଣ, ବିଶ୍ଳେଷଣ ଓ ଦକ୍ଷତା ବିକାଶକୁ ଆପଣେଇ ରାଜ୍ୟକୁ ଆଧୁନିକ ଅଡିଟ୍ ସଂସ୍କାରରେ ଅଗ୍ରଣୀ କରିଥିବାରୁ ଓଡ଼ିଶାର ଆକାଉଣ୍ଟାଣ୍ଟ ଜେନେରାଲ୍ (ଏଜି)କାର୍ଯ୍ୟାଳୟକୁ ରାଜ୍ୟପାଳ ପ୍ରଶଂସା କରିଥିଲେ।

କୃତ୍ରିମ ବୁଦ୍ଧିମତ୍ତା ଓ ଉନ୍ନତ ବିଶ୍ଳେଷଣର ବ୍ୟବହାର ସମେତ ନବସୃଜନ, ସହଯୋଗ ଏବଂ ବୃତ୍ତିଗତ ଉତ୍କର୍ଷ ଉପରେ ଅଡିଟର ଭବିଷ୍ୟତ ନିର୍ଭର କରେ ବୋଲି ରାଜ୍ୟପାଳ ଅବତାରଣା କରିଥିଲେ। ପାରଦର୍ଶିତା ଏବଂ ସଂସ୍ଥାଗତ ବିଶ୍ୱସନୀୟତାକୁ ସୁଦୃଢ଼ କରିବା ପାଇଁ ଏକ ଆଗୁଆ, ସମନ୍ୱିତ ଏବଂ ପରାମର୍ଶମୂଳକ ଅଡିଟ ଫ୍ରେମୱାର୍କର ଆବଶ୍ୟକତା ଉପରେ ମଧ୍ୟ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।ପ୍ରାରମ୍ଭରେ ଓଡ଼ିଶାର ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଏ ଆଣ୍ଡ ଇ) ଡି .ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ(ଅଡିଟ-୧) ସୁବୁ ଆର. ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking