25.1 C
Bhubaneswar
Wednesday, March 25, 2026
Homeଓଡିଶାମା' ପାଇଁ ଗଛଟିଏ" ଅଭିଯାନରେ ମିଶନ ଶକ୍ତିର ପ୍ରତିଶ୍ରୁତି: ସବୁଜିମାରେ ଭରା ଓଡିଶାର ସ୍ୱପ୍ନ ହେବ...

ମା’ ପାଇଁ ଗଛଟିଏ” ଅଭିଯାନରେ ମିଶନ ଶକ୍ତିର ପ୍ରତିଶ୍ରୁତି: ସବୁଜିମାରେ ଭରା ଓଡିଶାର ସ୍ୱପ୍ନ ହେବ ସାକାର

ଭୁବନେଶ୍ୱର : ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ପ୍ରେରଣାତ୍ମକ ପଦକ୍ଷେପ “ମା’ ପାଇଁ ଗଛଟିଏ” ଭାରତର ନାଗରିକଙ୍କୁ ନିଜ ମା’ଙ୍କ ପାଇଁ ଶ୍ରଦ୍ଧା ସ୍ୱରୂପ ବୃକ୍ଷ ରୋପଣ କରିବାକୁ ଆହ୍ବାନ କରିଛି ।ବିଶ୍ୱ ପରିବେଶ ଦିବସରେ ମାନ୍ୟବର ପ୍ରଧାନମନ୍ତ୍ରୀ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଏକ “ଅଶ୍ୱତଥ” ଗଛ ରୋପଣ କରି ଦେଶରେ ପ୍ରକୃତି ସୁରକ୍ଷା, ଜଙ୍ଗଲ ଆବରଣ ବୃଦ୍ଧି ତଥା ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବାର ସାମୁହିକ ପ୍ରୟାସର ଗୁରୁତ୍ୱ ଉପରେ ଧ୍ୟାନ ଆକର୍ଷଣ କରିଥିଲେ । ମା’ଙ୍କ ସମ୍ମାନରେ ବୃକ୍ଷ ରୋପଣ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଏହି ଆହ୍ୱାନ, ଓଡ଼ିଶା ସମେତ ସାରା ଦେଶରେ ମଧ୍ୟ ଏକ ଆନ୍ଦୋଳନ ସୃଷ୍ଟି କରିଛି । ଏହି ଅଭିନବ ପଦକ୍ଷେପକୁ ସମର୍ଥନ କରି ମିଶନ ଶକ୍ତି ସଦସ୍ୟାମାନେ ଓଡିଶାରେ ଏହି ଅଭିଯାନକୁ ସକ୍ରିୟ ଭାବରେ ସମର୍ଥନ କରି ନିଜର ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଆଣିବାର ପ୍ରୟାସରେ ପ୍ରକୃତିର ସଂରକ୍ଷଣରେ ଯୋଡିହୋଇଛନ୍ତି ।

୨୩ ଜୁନ୍ ୨୦୨୪ ରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆନୁଷ୍ଠାନିକ ଭାବରେ “ମା’ ପାଇଁ ଗଛଟିଏ” ଅଭିଯାନକୁ ଭୁବନେଶ୍ୱର ମିଶନ ଶକ୍ତି ଭବନରେ ପ୍ରତୀକାତ୍ମକ ବୃକ୍ଷ ରୋପଣ ସମାରୋହରେ ଆରମ୍ଭ କରିଛନ୍ତି । ଯେପରି ଜଣେ ନିଜ ମାତାଙ୍କୁ ସମ୍ମାନ କରେ ଠିକ ସେହିପରି ପ୍ରକୃତି ମା’ର ସମ୍ମାନ ସ୍ୱରୂପ ବୃକ୍ଷ ରୋପଣ କରିବା ପାଇଁ ଏକ ‘ବଉଳ’ ଚାରା ରୋପଣ କରି ଶ୍ରୀମତୀ ପ୍ରଭାତୀ ପରିଡା ଆହ୍ଵାନ ଦେଇଛନ୍ତି।ଏହି ସମାରୋହ ତାଙ୍କର ବଳିଷ୍ଠ ନେତୃତ୍ଵ ତଥା ଏକ ସୁସ୍ଥ ପରିବେଶ ଗଠନରେ ତାଙ୍କର ଦୃଢ ପ୍ରତିବଦ୍ଧତାକୁ ସୁଚାଉଅଛି । ଶ୍ରୀମତୀ ପରିଡା ନିଜ ଅଭିଭାଷଣରେ ଏହି ପଦକ୍ଷେପର ମହତ୍ତ୍ୱ – ମା’ ମାନଙ୍କୁ ସମ୍ମାନ ଦେବା ଏବଂ ଏକ ସ୍ଥାୟୀ ତଥା ସବୁଜ ଓଡିଶା ଗଠନ ଉପରେ ଆଲୋକପାତ ମଧ୍ୟ କରିଥିଲେ । ସେ ଏହି ଅଭିଯାନର ଲକ୍ଷ୍ୟ ହାସଲ କରିବାରେ ସଭିଙ୍କ ଯୋଗଦାନର ଗୁରୁତ୍ୱ ଉପରେ ଧ୍ୟାନ ଆକର୍ଷଣ କରିବା ସହିତ ମିଶନ ଶକ୍ତି ଲିଡର ତଥା ବିଭାଗୀୟ ଅଧିକାରୀମାନଙ୍କୁ ଓଡିଶାରେ ଏହି ଅଭିଯାନକୁ ବ୍ୟାପକ କରିବାକୁ ପ୍ରୋତ୍ସାହିତ କରିଥିଲେ ଏବଂ ପ୍ରତ୍ୟେକ ନାଗରିକଙ୍କୁ ବୃକ୍ଷ ରୋପଣ କରିବାକୁ ଉତ୍ସାହିତ କରିଥିଲେ ।

ଏହି ଯୋଜନାର ସମର୍ଥନରେ ମିଶନ ଶକ୍ତି ଲିଡର ମାନେ ସାରା ରାଜ୍ୟରେ ବୃକ୍ଷ ରୋପଣ କରିବାକୁ ପ୍ରତିଶୃତି ଦେଇଥିଲେ । ଏହିଭଳି ଉଚ୍ଚକୋଟୀର ଅଭିଯାନ ମା’ ମାନଙ୍କୁ ସମ୍ମାନ ଦେବା ସହ ପରିବେଶ ସୁରକ୍ଷା ତଥା ଓଡିଶାରେ ମହିଳା ସଶକ୍ତିକରଣ ପ୍ରତି ଥିବା ଉତ୍ସର୍ଗୀକୃତ ଭାବନାକୁ ସୂଚିତ କରୁଛି ।

ଓଡିଶାରେ “ମା’ ପାଇଁ ଗଛଟିଏ” ଅଭିଯାନର ଅଗ୍ରଗତି ଉଲ୍ଲେଖନୀୟ । ବର୍ତ୍ତମାନର ତଥ୍ୟ ଅନୁଯାୟୀ, ବିଭିନ୍ନ ଜିଲ୍ଲା ସେମାନଙ୍କ ବୃକ୍ଷରୋପଣ ଲକ୍ଷ୍ୟରେ ଉଲ୍ଲେଖନୀୟ ଅଗ୍ରଗତି କରିଛନ୍ତି । ଉଦାହରଣ ସ୍ୱରୂପ, ଗଞ୍ଜାମ ଜିଲ୍ଲା ୧୩ ଲକ୍ଷରୁ ଅଧିକ ଚାରା ରୋପଣ କରି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଥିବା ବେଳେ କଳାହାଣ୍ଡି ଏବଂ ଯାଜପୁର ଭଳି ଜିଲ୍ଲାଗୁଡ଼ିକ ସେମାନଙ୍କର ଲକ୍ଷ୍ୟ ଅତିକ୍ରମ କରି ପ୍ରାରମ୍ଭିକ ଯୋଜନା ଅପେକ୍ଷା ଅଧିକ ବୃକ୍ଷ ରୋପଣ କରିଛନ୍ତି । ଏପର୍ଯ୍ୟନ୍ତ ସାରା ରାଜ୍ୟରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ୧.୩୦ କୋଟି ଚାରା ରୋପଣ କରିଛନ୍ତି ।

“ମା ପାଇଁ ଗଛ ଟିଏ” କେବଳ ପରିବେଶ ସୁରକ୍ଷା ନିମନ୍ତେ ଏକ ଅଭିଯାନ ନୁହେଁ, ଏହା ସମାଜ ଦ୍ୱାରା ପରିଚାଳିତ ପଦକ୍ଷେପଗୁଡ଼ିକର ସମର୍ଥନ ଏବଂ ମିଶନ ଶକ୍ତି ଦ୍ଵାରା ସମାଜ ଉପରେ ଅନୁଭୂତ ହେଉଥିବା ଗଭୀର ପ୍ରଭାବର ଏକ ପ୍ରତୀକ । ମା’ଙ୍କ ସମ୍ମାନରେ ବୃକ୍ଷ ରୋପଣର ଏହି ଅଭିଯାନ ସାଂସ୍କୃତିକ ମୂଲ୍ୟବୋଧ ସହିତ ପ୍ରକୃତି ପ୍ରତି ସମ୍ମାନବୋଧ ସହ ଓଡିଶା ପାଇଁ ଏକ ସ୍ଥାୟୀ ଭବିଷ୍ୟତର ବାର୍ତ୍ତାବହ । ମିଶନ ଶକ୍ତି ଏହି ସବୁଜ ବିପ୍ଳବକୁ ଆଗେଇ ନେବାର ନିରନ୍ତର ପ୍ରୟାସରେ ଅଗ୍ରସର ଏବଂ ଏହିଭଳି ମହତ୍ତ୍ବାକାଂକ୍ଷୀ ପଦକ୍ଷେପ ଓଡିଶାରେ ମହିଳା ସଶକ୍ତିକରଣକୁ ଆହୁରି ସୁଦୃଢ କରିବା ସହ ଆମ ଓଡିଶାକୁ ଏକ ସମୃଦ୍ଧ ଆଉ ବିକଶିତ ଓଡ଼ିଶାରେ ପରିଣତ କରିବାର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking