ମୟୁରଭଞ୍ଜ: ଲୋକଙ୍କ ସରକାରଙ୍କ ନିୟନ୍ତ୍ରଣରେ ପରିଚାଳିତ ସରକାରୀ ଅଧିକାରୀଙ୍କ ପଦବୀର ଅହଙ୍କାର । ମହିଳାଙ୍କୁ ସମ୍ମାନ ଦେବାକୁ ଖୋଦ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଉଥିବା ବେଳେ ଜଣେ ସରକାରୀ ଅଧିକାରୀ ସାଧାରଣ ଲୋକଙ୍କ ପ୍ରତି ଦୁର୍ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି । ତେବେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଲୋକଙ୍କ ସରକାର ଦ୍ବାରା ପରିଚାଳିତ ସରକାରୀ ଅଧିକାରୀଙ୍କ ବ୍ୟବହାର ମାର୍ଜିତ ନ ହେଲେ ସାଧାରଣ ଲୋକ ସରକାରୀ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିବେ କେମିତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସ୍ଥିତ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳ ସ୍ଥାନୀୟ ଲୋକଙ୍କୁ ଦୁର୍ବ୍ୟବହାର କରିବା ନେଇ ହୋଇଛି ଅଭିଯୋଗ । ଯାହାକୁନେଇ ଦୁର୍ବ୍ୟବହାରର ଶିକାର ସୁଲୋଚନା ସାହୁ ଓ ପରିବାର ଲୋକେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଟିତୁଣ୍ଡ ନେଇ ଭିଡ଼ିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏହା ସହ ସେହି ଭିଡିଓ ମୋବାଇଲରୁ ମୋବାଇଲ ଘୁରି ବୁଲିବାରେ ଲାଗିଛି। ରାଇରଙ୍ଗପୁର ସ୍ଥିତ କଚେରୀ କ୍ୟାଣ୍ଟିନ ନିର୍ମାଣ ହୋଇଥିବା ବେଳେ ବିଭିନ୍ନ ସମସ୍ୟା ପାଇଁ ତାହାର ଆରମ୍ଭ ହୋଇପାରୁନି। ଉକ୍ତ କ୍ୟାଣ୍ଟିନ ପରିଚାଳନା ନିମନ୍ତେ ତାଙ୍କ ସ୍ୱାମୀ ସନ୍ତୋଷ କୁମାର ସାହୁଙ୍କୁ ଟେଣ୍ଡର ପ୍ରଦାନ କରାଯାଇଛି। ଏନେଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ବୋଲି କହିଛନ୍ତି ସନ୍ତୋଷ ସାହୁ। ୩ବର୍ଷ ୬ମାସର ଏଗ୍ରିମେଣ୍ଟ ମଧ୍ୟ ହୋଇଥିବା କହିଛନ୍ତି ।
କିଛିଦିନ ପୂର୍ବରୁ ସାଂସଦ ନବ ଚରଣ ମାଝୀ କଚେରୀ କ୍ୟାଣ୍ଟିନ ଉଦଘାଟନ କରିଥିବା ବେଳେ ପୁନଶ୍ଚ ଓକିଲ ସଂଘର ପ୍ରତିବାଦ ଯୋଗୁଁ ପୁଣି ବନ୍ଦ ହୋଇଯାଇଛି। ୬ମାସ ହେବ ତାଙ୍କୁ ଟେଣ୍ଡର ମିଳିଥିବା ସତ୍ତ୍ୱେ କ୍ୟାଣ୍ଟିନ ଆରମ୍ଭ କରି ନ ପାରିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଟେଣ୍ଡର ଧାରୀ। ଯାହାକୁନେଇ କ୍ୟାଣ୍ଟିନ ଚାବି ମାଗିବା ପାଇଁ ତାଙ୍କ ସ୍ୱାମୀ, ପୁଅ ଏବଂ ମହିଳା ଜଣକ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖକୁ ଯାଇଥିଲେ। କ୍ୟାଣ୍ଟିନ ଚାବି ପ୍ରଦାନ କରିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରି କହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେସମୟର ଭିଡ଼ିଓ ଉତ୍ତୋଳନ କରିବାରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବଳ ସମସ୍ତଙ୍କୁ ଚ୍ୟାମ୍ବରରୁ ବାହାର କରି ଦେଇଥିଲେ। ଏହାର ଭିଡ଼ିଓ ମୋବାଇଲରେ ଉତ୍ତୋଳନ ହୋଇଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଘଟଣାନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଚାରୁ କୁମାର ବଳଙ୍କୁ ପଚାରିବାରୁ, ତାଙ୍କୁ ଦୁର୍ବ୍ୟବହାର କରିବା ସହ ମୋବାଇଲରେ ଭିଡ଼ିଓ ଉତ୍ତୋଳନ କରିବା କାରଣରୁ ତାଙ୍କୁ ଚ୍ୟାମ୍ବରରୁ ବାହାର କରି ଦେଇଥିବା କହିଛନ୍ତି। ତେବେ ଏନେଇ ସେ ପୋଲିସ ନିକଟରେ କୌଣସି ଅଭିଯୋଗ କରିନାହାନ୍ତି ବୋଲି କହିଛନ୍ତି। ମାତ୍ର ଶ୍ରୀମତି ସାହୁ ଅତିରିକ୍ତ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବାନେଇ ରାଇରଙ୍ଗପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାରେ ପୋଲିସର ନିରପେକ୍ଷତା ଉପରେ ସମସ୍ତଙ୍କ ନଜର।









