16.1 C
Bhubaneswar
Monday, February 9, 2026
Homeଖେଳମୀରପୁର ଟେଷ୍ଟ: ରବାଡାଙ୍କୁ ୯ ୱିକେଟ୍‌; ସାଉଥ୍ ଆଫ୍ରିକା ୭ ୱିକେଟ୍‌ରେ ବିଜୟୀ

ମୀରପୁର ଟେଷ୍ଟ: ରବାଡାଙ୍କୁ ୯ ୱିକେଟ୍‌; ସାଉଥ୍ ଆଫ୍ରିକା ୭ ୱିକେଟ୍‌ରେ ବିଜୟୀ

ମୀରପୁର: ଭ୍ରମଣକାରୀ ସାଉଥ୍ ଆଫ୍ରିକା ମୀରପୁର ଟେଷ୍ଟ୍‌ରେ ଘରୋଇ ବାଂଲାଦେଶକୁ ୭ ୱିକେଟ୍‌ରେ ହରାଇ ଦେଇଛି। ଟିମ୍ ଗୁରୁବାର ମ୍ୟାଚ୍‌ର ଚତୁର୍ଥ ଦିନ ୧୦୬ ରନ୍‌ର ଲକ୍ଷ୍ୟକୁ ପ୍ରଥମ ସେସନ୍‌ରେ ହିଁ ୩ ୱିକେଟ୍ ବିନିମୟରେ ହାସଲ କରିନେଇଛି। ଏହା ପୂର୍ବରୁ ପ୍ରଥମ ସେସନ୍‌ରେ ହିଁ ବାଂଲାଦେଶର ଦ୍ୱିତୀୟ ଇନିଂସ୍ ୩୦୭ ରନ୍‌ରେ ସମାପ୍ତ ହୋଇଥିଲା। ଶେର୍‌-ଏ-ବାଂଲା ନାସ୍‌ନାଲ୍ ଷ୍ଟାଡିୟମ୍‌ରେ ଟସ୍ ଜିତି ବ୍ୟାଟିଂ ନେଇଥିବା ବାଂଲାଦେଶ ପ୍ରଥମ ଇନିଂସ୍‌ରେ ୧୦୬ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା। ଏହାପରେ ସାଉଥ୍ ଆଫ୍ରିକା ୩୦୮ ରନ୍ କରି ୨୦୨ ରନ୍‌ରେ ଆଗୁଆ ରହିଥିଲା। ପ୍ରଥମ ଇନିଂସ୍‌ରେ ୧୧୪ ରନ୍ କରିଥିବା କାଇଲ୍ ଭେରେନ୍ ପ୍ଲେୟର୍ ଅପ୍ ଦ ମ୍ୟାଚ୍ ହୋଇଛନ୍ତି। ପୂରା ମ୍ୟାଚ୍‌ରେ କାଗିସୋ ରବାଡା ମୋଟ ୯ଟି ୱିକେଟ୍ ନେଇଛନ୍ତି। ଏହି ବିଜୟ ଫଳରେ ସାଉଥ୍ ଆଫ୍ରିକା ଦୁଇ ଟେଷ୍ଟ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି। ଦ୍ୱିତୀୟ ଟେଷ୍ଟ ଅକ୍ଟୋବର ୨୯ ତାରିଖରେ ଚଟ୍ଟୋଗ୍ରାମର ଜହୁର୍ ଅହମଦ ଚୌଧୁରୀ ଷ୍ଟାଡିୟମ୍‌ରେ ଖେଳାଯିବ।

ବାଂଲାଦେଶ ଚତୁର୍ଥ ଦିନ ଗୁରୁବାର ସକାଳେ ୨୮୩/୭ ସ୍କୋର୍‌ରୁ ଅସମାପ୍ତ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିଲା। ଦଳୀୟ ସ୍କୋର୍‌ରେ ଆଉ ୨୪ ରନ୍ ଯୋଡ଼ି ବାକି ତିନିଜଣ ବ୍ୟାଟର୍ ପ୍ୟାଭିଲିୟନ୍ ଫେରିଥିଲେ। ପୂର୍ବଦିନର ବ୍ୟକ୍ତିଗତ ସ୍କୋର୍‌ରେ ଆଉ ରନ୍ ଯୋଡ଼ିବା ପୂର୍ବରୁ ନଇମ୍ ହସନ୍ (୧୬) ରବାଡାଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ୮୭ ରନ୍‌ରେ ବ୍ୟାଟିଂ କରୁଥିବା ମେହଦୀ ହସନ୍ ମିରାଜ୍ ଆଉ ୧୦ ରନ୍ ଯୋଡ଼ି ୯୭ ରନ୍‌ରେ ରବାଡାଙ୍କ ବଲ୍‌ରେ ମୁଲ୍ଡରଙ୍କୁ କ୍ୟାଚ୍ ଦେଇ ଫେରିଥିଲେ। ତାଙ୍କ ୧୯୧ ବଲ୍‌ର ଇନିଂସ୍‌ରେ ୧୦ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ସାଉଥ୍ ଆଫ୍ରିକା ପକ୍ଷରୁ କାଗିସୋ ରବାଡା ୬ଟି ଏବଂ କେଶବ ମହାରାଜ ୩ଟି ୱିକେଟ୍ ଅକ୍ତିଆର କରିଥିଲେ। ୧୦୬ ରନ୍‌ର ଲକ୍ଷ୍ୟକୁ ପିଛା କରିଥିବା ସାଉଥ୍ ଆଫ୍ରିକା ପକ୍ଷରୁ ଓପ୍ନର୍ ଟୋନି ଡେ ଜୋର୍ଜି ସର୍ବାଧିକ ୪୧ ରନ୍‌, କ୍ୟାପ୍‌ଟେନ୍ ଆଇଦେନ୍ ମାର୍କରମ୍ ୨୦ ଓ ଡେଭିଡ୍ ବେଡିଙ୍ଗ୍‌ହାମ୍ ୧୨ ରନ୍‌ରେ ଆଉଟ୍ ହୋଇଥିବା ବେଳେ ଟ୍ରିଷ୍ଟାନ୍ ଷ୍ଟବ୍ସ ୩୦ ଓ ର‌୍ୟାନ୍ ରିକେଲ୍‌ଟନ୍ ୧ ରନ୍‌ରେ ଅପରାଜିତ ରହିଥିଲେ। ବାଂଲାଦେଶ ପକ୍ଷରୁ ତୈଜୁଲ୍ ଇସ୍ଲାମା ତିନିଟି ଯାକ ୱିକେଟ୍ ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking