ଲକ୍ଷ୍ନୌ: ଗୁଗଲରେ ସର୍ଚ୍ଚ କରି ନିଜ ଜୀବନ ନେଇଗଲା ୧୭ ବର୍ଷୀୟ ପିଲା । ସାଙ୍ଗମାନଙ୍କ ସହ ମନଇଚ୍ଛା ରୟାଲ ଏନଫିଲ୍ଡ ବୁଲେଟରେ ବୁଲୁଥିଲେ ବୋଲି ବିରକ୍ତ ହୋଇ ମା’ ଓ ବଡ଼ ଭାଇ ତାଗିଦ କରି ବୁଲେଟକୁ ବିକ୍ରି କରି ଦେଇଥିଲେ । ଏହି କଥାରେ ରାଗି ଯାଇ ୯ମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୭ ବର୍ଷୀୟ ଛାତ୍ର ନିଜକୁ ନିଜେ ଗୁଳି କରିଦେଇଛି । ଉତ୍ତରପ୍ରଦେଶ ମେରଠରେ ଏଭଳି ଘଟଣା ଘଟିଛି । ପିଲାଟି ଜୀବନ ହାରିବା ପୂର୍ବରୁ ପିଲାଟି ଗୁଗଲରେ ମୃତ୍ୟୁ ପରେ ଜଣେ ଲୋକ ସହ କ’ଣ ହୋଇଥାଏ ବୋଲି ସର୍ଚ୍ଚ କରିଥିଲା । ଏହାପରେ ସେ ନିଜ ମୁଣ୍ଡକୁ ଗୁଳି କରି ଜୀବନ ହାରି ଦେଇଥିଲା । ଏଭଳି ଘଟଣା ଜାନୁଆରୀ ୧୧ରେ ଘଟିଥିଲା । ଖବର ମୁତାବକ, ୧୭ ବର୍ଷୀୟ ପିଲା ମା’ ଓ ବଡ଼ ଭାଇଙ୍କ ସହ ରହୁଥିଲା । ଘଟଣା ଦିନ ବଡ଼ ଭାଇ ମା’ଙ୍କୁ ଆଣିବା ପାଇଁ ମେରଠ ମେଡିକାଲ କଲେଜ ଓ ହସ୍ପିଟାଲ ଯାଇଥିବା ବେଳେ ପିଲାଟି ଏକୁଟିଆ ରହିଥିଲା । ମା’ ଓ ଭାଇ ଘର ପାଖରେ ପହଞ୍ଚି କବାଟ ବାଡ଼େଇ ଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନଥିଲା ।
ଏସବୁ ଭିତରେ ହଠାତ୍ ଘର ଭିତରୁ ଜୋରରେ ଶବ୍ଦ ଶୁଣିବାକୁ ମିଳିଥିଲା । ମା’ ଓ ଭାଇ ଝରକା ବାଟେ ପିଲାଟି ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ତା’କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । ପୋଲିସ କହିବା ମୁତାବକ, ପିଲାଟିର ମା’ ମେରଠ ମେଡିକାଲ କଲେଜ ଓ ହସ୍ପିଟାଲରେ ନର୍ସ ଭାବେ କାମ କରନ୍ତି । ବଡ଼ ଭାଇ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ତାଙ୍କ ବାପାଙ୍କ ମୃତ୍ୟୁ ଗତବର୍ଷ ହୋଇଯାଇଥିଲା । ୧୭ ବର୍ଷର ପିଲାଟି ପାଠପଢ଼ା ଛାଡ଼ି ନିୟମିତ ସାଙ୍ଗମାନଙ୍କ ସହ ବାଇକରେ ବୁଲୁଥିବାରୁ ଏହାକୁ ତା’ ମା’ ଓ ବଡ଼ ଭାଇ ବିରୋଧ କରୁଥିଲେ । ପିଲାଟି ସାଙ୍ଗମାନଙ୍କ ସହିତ ବୁଲୁଥିବାରୁ ଘର ଲୋକ ବାଇକ ବିକ୍ରି କରିଦେଇଥିଲେ । ଫଳରେ ପିଲାଟି ଏଭଳି ପଦକ୍ଷେପ ନେଇଥିଲା । ପରିବାର ଲୋକ ଘଟଣାରେ କୌଣସି ପ୍ରକାରର ଅଭିଯୋଗ କରି ନାହାନ୍ତି । କିନ୍ତୁ ପୋଲିସ ଘର ଭିତରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରି ତଦନ୍ତ ଆରମ୍ଭ କରିଛି ।