19.1 C
Bhubaneswar
Monday, February 2, 2026
Homeଓଡିଶାନିର୍ମାଣ ବିଭାଗର ୫୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ

ନିର୍ମାଣ ବିଭାଗର ୫୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର: ରାସ୍ତାଘାଟ ଠାରୁ ଆରମ୍ଭ କରି କୋଠାବାଡ଼ି, ଐତିହ୍ୟ କୀର୍ତ୍ତିରାଜି ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟକାରିତା ଦିଗରେ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ଚାଲୁ ରହିଥିବା ଭିତ୍ତିଭୂମି ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ୱୟନ କରି ରାଜ୍ୟର ବିକାଶ ପ୍ରକ୍ରିୟାକୁ ଆଗେଇ ନେବାରେ ଇଞ୍ଜିନିୟରଙ୍କଠାରୁ ଆରମ୍ଭ କରି ଠିକା ସଂସ୍ଥାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅନେକ ପ୍ରକଳ୍ପର ନିର୍ମାଣ ଅଗ୍ରଗତି ସନ୍ତୋଷଜନକ ଅଟେ । ତେବେ ବିଳମ୍ବିତ ହେଉଥିବା ପ୍ରକଳ୍ପର କାରଣ ସମାଧାନ କରି ନିର୍ମାଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ଆମକୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।

ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ହଲ୍‌ରେ ନିର୍ମାଣ ବିଭାଗ ପକ୍ଷରୁ ୫୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା I ପୂର୍ବାହ୍ନ ୧୦.୩୦ ରୁ ରାତି ୮. ୩୦ ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହଲେ ଯେ ପୁରୀ-କୋଣାର୍କ ରୋଡ୍‌, ଖୋର୍ଦ୍ଧା ବାଇପାସ୍‌ ରୋଡ୍‌, ନୟାଗଡ଼ ଟାଉନ୍‌ ବାଇପାସ୍‌, ଜୟପୁର ଟାଉନ ବାଇପାସ୍‌, କନ୍ଦରପୁର-ବାଲିକୁଦା ରାସ୍ତା, ବଲାଙ୍ଗିର ବାଇପାସ୍‌ ରୋଡ୍‌ ସମେତ ପୁରୀ ଐତିହ୍ୟ ପ୍ରକଳ୍ପ, ଏକାମ୍ର କ୍ଷେତ୍ର ଉନ୍ନୟନ ପ୍ରକଳ୍ପ, ମା’ତାରେଣୀ ଓ ସାରଳା ପୀଠର ଉନ୍ନତିକରଣ, ଏସ୍‌ସିବି ପ୍ରକଳ୍ପ, ବିଧାୟକ କଲେନୀ ନିର୍ମାଣ ସହ ବୈତରଣୀ, ବ୍ରାହ୍ମଣୀ, ତେଲ୍‌ ଆଦି ବିଭିନ୍ନ ନଦୀରେ ହାଇଲେବୁଲ୍‌ ସେତୁ ନିର୍ମାଣ କାର୍ଯ୍ୟ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଛି । ଏହିସବୁ ପ୍ରକଳ୍ପ ରାଜ୍ୟର ବିକାଶ ଓ ସାଧାରଣ ଜନତାଙ୍କ ଲାଗି ବେଶ୍‌ ଗୁରୁତ୍ୱ ବହନ କରୁଛି । ତେଣୁ ଏହିସବୁ ପ୍ରକଳ୍ପକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବା ନେଇ ପଦକ୍ଷେପ ନେବାକୁ ସେ ବିଭାଗୀୟ ଇଞ୍ଜିନିୟର ଓ ଠିକା ସଂସ୍ଥାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ । ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ କହିଲେ ଯେ ଲକ୍ଷ୍ୟ କରାଯାଉଛି କି ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ଅନୁମୋଦନ ଏବଂ ଅନ୍ୟାନ୍ୟ ଅନୁମୋଦନ ପ୍ରକ୍ରିୟା ପାଇଁ ଅନେକ ପ୍ରକଳ୍ପ ବିଳମ୍ବିତ ହେଉଛି । ତେଣୁ ନିୟମିତ ବ୍ୟବଧାନରେ ସମ୍ପୃକ୍ତ ବିଭାଗ ସହ ଯୋଗସୂତ୍ର ରଖି ଅନୁମୋଦନ ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବା ଉପରେ ଇଞ୍ଜିନିୟରମାନଙ୍କୁ ସେ ପରାମର୍ଶ ଦେଇଥିଲେ । ଏଥି ସହିତ ପ୍ରକଳ୍ପ କାର୍ଯ୍ୟକୁ ଅହେତୁକ ବିଳମ୍ବ କରୁଥିବା ଠିକା ସଂସ୍ଥାର ତାଲିକା ପ୍ରସ୍ତୁତ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ଆଜିର ବୈଠକରେ ଜାତୀୟ ରାଜପଥର ୨୯ଟି ପ୍ରକଳ୍ପ, ଓବିସିସିର ୨୧ଟି ପ୍ରକଳ୍ପ, ୧୨ଟି ରାସ୍ତା ପ୍ରକଳ୍ପ, ୧୨ଟି ସେତୁ ଏବଂ ୧୨ଟି କୋଠାବାଡ଼ି ପ୍ରକଳ୍ପ ଆଦିର ନିର୍ମାଣ ସ୍ଥିତି ସମ୍ପର୍କରେ ବିଶଦ ଆଲୋଚନା କରାଯିବା ସହିତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଶଦ ଆଲୋଚନା ହୋଇଥିଲା । ଆଜିର ବୈଠକରେ ନିର୍ମାଣ ବିଭାଗର ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି ସିଭିଲ୍‌ ଇଂ ସତ୍ୟବ୍ରତ ବେହେରା, ଅତିରିକ୍ତ ଶାସନ ସଚିବ ଶ୍ରୀ ଦୀପକ ରଞ୍ଜନ ଦାସ, ଶ୍ରୀ ପ୍ରଦୀପ ସାହୁ, ଇଆଇସି ଇଂ ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ (ବିଲ୍‌ଡିଂ) ଇଂ ପ୍ରିୟବ୍ରତ ସାମନ୍ତରାୟ, ଅର୍ଥ ପରାମର୍ଶଦାତା ଶ୍ରୀ ରତୀକାନ୍ତ ମହାପାତ୍ର, ଯୁଗ୍ମ ଶାସନ ସଚିବ ଶ୍ରୀ ଦୀପ୍ତି ରଞ୍ଜନ ବେହେରାଙ୍କ ସମେତ ଜାତୀୟ ରାଜପଥ ପ୍ରାଧିକରଣ, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଆସିଥିବା ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking