27.1 C
Bhubaneswar
Monday, March 23, 2026
Homeଓଡିଶାସର୍ବଭାରତୀୟ ବୈଠକରେ ଯୋଗଦେଲେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ

ସର୍ବଭାରତୀୟ ବୈଠକରେ ଯୋଗଦେଲେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ

ଭୁବନେଶ୍ୱର: ଦେଶର ଶ୍ରମିକ ଭାଇଭଉଣୀମାନଙ୍କ ସମୁଚିତ ଉନ୍ନତି, ସୁରକ୍ଷା ଏବଂ ସୁଯୋଗ ସୁନିଶ୍ଚିତ କରିବା ପାଇଁ ଶ୍ରମ ନୀତିନିୟମରେ ବ୍ୟାପକ ସୁଧାର ଅଣାଯିବାର ଆବଶ୍ୟକତା ସମ୍ପର୍କିତ ଏକ ସର୍ବଭାରତୀୟସ୍ତରୀୟ ବୈଠକ ଆଜି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ଼ଃ ମନସୁଖ ମାଣ୍ଡଭ୍ୟ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ରାଜ୍ୟର ବିଭାଗୀୟ ମନ୍ତ୍ରୀଙ୍କ ସହିତ ଓଡ଼ିଶାର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ଏବଂ ଶ୍ରମ କମିଶନର ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ୨୦୪୭ ସ୍ବପ୍ନକୁ ସାକାର କରିବାକୁ ହେଲେ ଶ୍ରମିକ ଭାଇଭଉଣୀମାନଙ୍କ ସାମଗ୍ରିକ ଓ ସମୟୋଚିତ ବିକାଶକୁ ସୁନିଶ୍ଚିତ କରିବା ନିତାନ୍ତ ଆବଶ୍ୟକ ।

ସମୟର ଆହ୍ୱାନକୁ ସ୍ୱୀକାର କରି ଏକ ସମାବେଶୀ ଓ ସମନ୍ବିତ ଶାସନ ବ୍ୟବସ୍ଥା ପ୍ରଚଳନ କରିବା ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ । ଏହି ପରିପ୍ରେକ୍ଷୀରେ, କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ସହ ସମୁଚିତ ସମନ୍ୱୟ ରକ୍ଷା କରି ଶ୍ରମ ନୀତିନିୟମରେ ବ୍ୟାପକ ସୁଧାର ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି, ଯାହା ଦେଶର ଶ୍ରମିକ ଭାଇଭଉଣୀଙ୍କ ଜୀବନରେ ଆଶାତୀତ ଉନ୍ନତି ଆଣିବାରେ ସାହାଯ୍ୟ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ଡ଼ଃ ମାଣ୍ଡଭ୍ୟ ଆଶା ବ୍ୟକ୍ତ କରିଛନ୍ତି । ଶ୍ରମିକ ସଂସ୍ଥାନଗୁଡିକ ପାଇଁ ଏକକ ପଞ୍ଜୀକରଣ ବ୍ୟବସ୍ଥା ପ୍ରଚଳନ, ଲାଇସେନ୍ସର ମାନ୍ୟତା ସମୟ ବୃଦ୍ଧି ଏବଂ ସ୍ୱୟଂଚାଳିତ ପୁନଃନବୀକରଣ ବ୍ୟବସ୍ଥା ପ୍ରଚଳନ, ଶ୍ରମ ବଜାରରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ସମାବେଶୀ ନୀତି ଓ ସୁରକ୍ଷିତ କାର୍ଯ୍ୟ ପରିବେଶର ନିର୍ମାଣର ଆବଶ୍ୟକତା ଉପରେ ବିଷଦ ଆଲୋଚନା ହୋଇଥିଲା । ତା ସହିତ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ବାଧ୍ୟତାମୂଳକ କରିବା ଦ୍ୱାରା ସେମାନଙ୍କ ମଧ୍ୟରେ କାର୍ଯ୍ୟ କରିବାକୁ ଅଧିକ ଆଗ୍ରହ ସୃଷ୍ଟି ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।

ଡିଜିଟାଲ ରୁପାନ୍ତୀକରଣ ସମ୍ପର୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । କେନ୍ଦ୍ର ମନ୍ତ୍ରୀ ଡ଼ଃ ମାଣ୍ଡଭ୍ୟ ନ୍ୟାସନାଲ କ୍ୟାରିଅର ସର୍ଭିସ (NCS) ଏବଂ ଇ-ଶ୍ରମ ପ୍ଲାଟଫର୍ମଗୁଡିକର ଅଧିକରୁ ଅଧିକତର ଡିଜିଟାଇଜେସନ ଉପରେ ଗୁରୁତ୍ୱାରୋପ କରିଥିଲେ । କର୍ମଚାରୀଙ୍କ ପାଇଁ “ଏକଥର ସୁରକ୍ଷିତ, ସଦା ସୁରକ୍ଷିତ” ନୀତି ପ୍ରଣୟନ କରିବାକୁ ପ୍ରସ୍ତାବ ରଖିଥିଲେ, ଯାହା ଶ୍ରମିକମାନଙ୍କୁ ଜୀବନ ଜୀବିକାକୁ ଅଧିକ ସୁରକ୍ଷିତ କରିବାରେ ସହାୟକ ହେବ ବୋଲି ସେ କହିଥିଲେ । ବୈଠକରେ ଶ୍ରମିକ ଭାଇଭଉଣୀମାନଙ୍କ ପାଇଁ ପ୍ରଚଳିତ ଆଇନ କାନୁନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ସିଂହଖୁଣ୍ଟିଆ କେନ୍ଦ୍ର ସରକାରଙ୍କ ସୁଧାର ଅନୁଚିନ୍ତାର ଉଚ୍ଚ ପ୍ରଶଂସା କରି କହିଥିଲେ ଯେ, ଏହି ସୁଧାର ଗୁଡିକ ଦେଶ ନିର୍ମାଣ କରୁଥିବା ଶ୍ରମିକ ଭାଇଭଉଣୀମାନଙ୍କ ଜୀବନ ଓ ଜୀବିକାରେ ବ୍ୟାପକ ସକାରାତ୍ମକ ପରିବର୍ତ୍ତନ ନେଇ ଆସିବ । ଓଡ଼ିଶା ଏହି ପରିବର୍ତ୍ତନ ଓ ପ୍ରଗତିର ଯାତ୍ରାକୁ ପୂର୍ଣ୍ଣ ସମର୍ଥନ କରିବ । ଶ୍ରମିକ ଭାଇଭଉଣୀମାନଙ୍କ ବାସ୍ତବ ଓ ସର୍ବାଙ୍ଗୀନ ଉନ୍ନତି ସହିତ ଓଡିଶା ତଥା ଦେଶର ବାସ୍ତବ ଉନ୍ନତି ସାଧିତ ହେବ ବୋଲି ସେ କହିଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ କେନ୍ଦ୍ର ସରକାରଙ୍କୁ ଖୁବ ଶୀଘ୍ର ସୁଚିନ୍ତିତ ମତାମତ ପ୍ରଦାନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଡ଼ଃ ମାଣ୍ଡଭ୍ୟ ପରାମର୍ଶ ଦେଇଛନ୍ତି । ଶ୍ରମ ସୁଧାର ନୀତିନିୟମର ସଫଳତା କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ପ୍ରଶାସନର ସମାନ ଭାଗିଦାରୀ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking