19.1 C
Bhubaneswar
Monday, February 2, 2026
Homeଓଡିଶାଡିଏଫ୍ଓ ସମ୍ମିଳନୀରେ ଜଙ୍ଗଲ, ପାରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ନେଲେ ସମୀକ୍ଷା

ଡିଏଫ୍ଓ ସମ୍ମିଳନୀରେ ଜଙ୍ଗଲ, ପାରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ନେଲେ ସମୀକ୍ଷା

ଭୁବନେଶ୍ୱର:  ଓଡ଼ିଶାର ମାନ୍ୟବର ଜଙ୍ଗଲ, ପରିବେଶ ଓ  ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ଡିଏଫ୍ଓ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜଙ୍ଗଲ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା,  ପ୍ରଧାନମୁଖ୍ୟ ବନସଂରକ୍ଷକ ତଥା ବନବାହିନୀ ମୁଖ୍ୟ, ଶ୍ରୀ ସୁରେଶ ପନ୍ତ, ପିସିସିଏଫ୍ (ବନ୍ୟପ୍ରାଣୀ) ଶ୍ରୀ ପି. କେ. ଝା, ପିସିସିଏଫ୍ (କେ. ଏଲ୍) ଶ୍ରୀମତୀ ଉମା ନନ୍ଦୁରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ବିଗତ କିଛି ବର୍ଷ ଧରି ରାଜ୍ୟରେ ବଢୁଥିବା ଜଙ୍ଗଲ ନିଆଁ ଘଟଣା ଉପରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଯେଉଁ ବନଖଣ୍ଡଗୁଡ଼ିକରେ ନିଆଁ ଲାଗିବା ଘଟଣା ଅଧିକ ଦେଖାଯାଉଛି, ସେଠାକାର ବନ ଅଧିକାରୀମାନଙ୍କୁ ଅଧିକ ସତର୍କ ରହିବାକୁ ସେ ଚେତାବନୀ ଦେଇଛନ୍ତି। ଏଥିସହିତ ଜଳବାୟୁ ପରିବର୍ତ୍ତନର ସାଂଘାତିକ ପ୍ରଭାବକୁ ଦୃଷ୍ଟିରେ ରଖି ବିଭାଗୀୟ କାର୍ଯ୍ୟକ୍ରମଗୁଡ଼ିକୁ ପୁନର୍ବିନ୍ୟାସ କରିବା ଏବଂ ଓଏଫ୍‌ଏସ୍‌ଡିପି ଭଳି ଯୋଜନା ମାଧ୍ୟମରେ ସ୍ଥାନାନ୍ତରିତ ଗ୍ରାମବାସୀଙ୍କ ପାଇଁ ସ୍ଥାୟୀ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗର ମାନବସମ୍ବଳକୁ ଅଧିକ ସୁଦୃଢ଼ କରିବା ପାଇଁ ଦୃଢ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

ହାତୀ ମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀ ବିସ୍ତୃତ ସମୀକ୍ଷା କରିବା ସହ ଏ ଦିଗରେ ବିଦ୍ୟୁତ୍ ବିଭାଗ ସହ ଘନିଷ୍ଠ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଡିଏଫ୍ଓମାନେ ହାତୀମାନଙ୍କ ଗତିବିଧି ଏବଂ ଫିଲ୍ଡ ସ୍କ୍ୱାଡ୍‌ମାନଙ୍କ କାର୍ଯ୍ୟଶୈଳୀ ଉପରେ ସିଧାସଳଖ ନଜର ରଖିବାକୁ କୁହାଯାଇଛି। ପରିବେଶ ସନ୍ତୁଳନ ରକ୍ଷା ପାଇଁ ତାଳଚେର ଭଳି ଶିଳ୍ପାଞ୍ଚଳରେ ବାୟୁ ଗୁଣବତ୍ତା ସୁଧାରିବା ଏବଂ ବାଲେଶ୍ୱର ଭଳି ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣ ଉପରେ ଜୋର ଦିଆଯାଇଛି। ଏଥିସହିତ ବେଆଇନ ଖାଦାନ ଖନନ ଏବଂ ଜଙ୍ଗଲ ଜମି ଜବରଦଖଲକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ମଣିଷ-ବନ୍ୟଜନ୍ତୁ ସଂଘର୍ଷ, ଜୀବିକା ସୃଷ୍ଟି ଏବଂ ବନ ବିଭାଗର ବିଭିନ୍ନ ବୈଧାନିକ କ୍ଲିୟରାନ୍ସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଆଲୋକପାତ କରିଥିଲେ। ସମ୍ମିଳନୀରେ ପ୍ରଧାନମୁଖ୍ୟ ବନସଂରକ୍ଷକ ତଥା ବନବାହିନୀ ମୁଖ୍ୟ, ଶ୍ରୀ ସୁରେଶ ପନ୍ତ “ଏକ ପେଡ୍ ମା’ କେ ନାମ୍” ଭଳି ପ୍ରମୁଖ ବନୀକରଣ ଯୋଜନାର ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ।

ଅନୁଗୁଳ, ବାରିପଦା, ବ୍ରହ୍ମପୁର, ଭବାନୀପାଟଣା, କୋରାପୁଟ, ସମ୍ବଲପୁର, ରାଉରକେଲା ଏବଂ ଭୁବନେଶ୍ୱର—ଏହି ଆଠଟି ଆଞ୍ଚଳିକ ବନ ସଂରକ୍ଷକ ମଣ୍ଡଳୀର ମୁଖ୍ୟମାନେ ନିଜ ନିଜ ସର୍କଲର ସମସ୍ୟା ଓ ସଫଳତା ଉପରେ ଉପସ୍ଥାପନା ପ୍ରଦାନ କରିଥିଲେ। ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ବଲୱନ୍ତ ସିଂହ ମଧ୍ୟ ପର୍ଯ୍ୟଟନ ଓ ଜଙ୍ଗଲ ବିଭାଗ ମଧ୍ୟରେ ଥିବା ସମନ୍ୱୟ ରକ୍ଷା ଉପରେ ଆଲୋଚନା କରିଥିଲେ। ଅଧ୍ୟକ୍ଷ ଓ ସମସ୍ତ ପ୍ରତିନିଧିଙ୍କୁ ଧନ୍ୟବାଦ ପ୍ରଦାନ ପରେ ବୈଠକ ଶେଷ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking