21.1 C
Bhubaneswar
Wednesday, February 4, 2026
Homeଓଡିଶାସରକାରୀ ଛତ୍ରଛାୟାରେ ଖଣି ଲୁଟ: ବିଜେଡି

ସରକାରୀ ଛତ୍ରଛାୟାରେ ଖଣି ଲୁଟ: ବିଜେଡି

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ଗୋପାଳପୁର ଗାଁରେ ଏକ ପଥର/ଡୋଲୋମାଇଟ୍ ଖଣିରେ ଏକ ଦୁଃଖଦ ବିସ୍ଫୋରଣ ଦୁର୍ଘଟଣା ଘଟିଛି, ଯେଉଁଥିରେ ୨ ଜଣଙ୍କର ମୃତୁ୍ୟ ହୋଇଛି । ଏହାକୁ ନେଇ ବିଜେଡି ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ବିଜେପି ସରକାରଙ୍କୁ ସମାଲୋଚନା କରିଛି ।ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ଘଟଣାଟି ଢେଙ୍କାନାଳ ଜିଲ୍ଲା ଗୋପାଳପୁର ଗାଁରେ ଶନିବାର (ଜାନୁଆରୀ ୩) ସନ୍ଧ୍ୟାରେ ଘଟିଥିଲା । କିଛି ଶ୍ରମିକ ମୋଟଙ୍ଗା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ ନିକଟରେ ଥିବା ପଥର ଖଣିରୁ ପଥର ଖନନ ଏବଂ ଅନୁସନ୍ଧାନରେ ନିୟୋଜିତ ଥିଲାବେଳେ ବିସ୍ଫୋରଣ ଯୋଗୁଁ ୨ ଜଣ ମୃତ ଓ ଅନେକ ଆହତ ହୋଇଥିଲେ ।ପଥର ଖଣିରେ ବ୍ଲାଷ୍ଟିଂ ଅନୁମତି ୩୦ ସେପ୍ଟେମ୍ୱର ୨୦୨୫ରେ ଶେଷ ହୋଇଥିଲା ବେଳେ ଏହାର ଲିଜ୍ ଅବଧି ୩୧ ଡିସେମ୍ୱର ୨୦୨୫ରେ ଶେଷ ହୋଇଥିଲା । ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ କହିଛନ୍ତି ଯେ, ଖଣି ଲାଇସେନ୍ସ ୩୧ ଡିସେମ୍ୱର ୨୦୨୫ରେ ଶେଷ ହୋଇଯାଇଥିଲା ଏବଂ ଡିସେମ୍ୱରରେ ଲିଜ୍ ଅବଧି ଶେଷ ହେବା ପରେ ମଧ୍ୟ ବେଆଇନ ଖଣି ଏବଂ ବ୍ଲାଷ୍ଟିଂ ଜାରି ରହିଥିଲା ।

ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସୋସିଆଲ ମିିଡିଆ ସାଇଟ୍ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି, ଢେଙ୍କାନାଳର ପଥର ଖଣିରେ ବିସ୍ଫୋରଣ ପରେ ପଥର ଖସି ଶ୍ରମିକମାନେ ପ୍ରାଣ ହରାଇଥିବା ଜାଣିବା ପରେ ମୁଁ ଗଭୀର ଦୁଃଖିତ । ଏହି ଦୁଃଖଦ ସମୟରେ ମୁଁ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରୁଛି । ଏହି ଘଟଣା କେଉଁ ପରିସ୍ଥିତିରେ ଘଟିଲା ଏବଂ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ସମ୍ପର୍କରେ ଉପଯୁକ୍ତ ତଦନ୍ତ କରାଯାଉ ଏବଂ ସରକାର ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଦୃଷ୍ଟି ଦିଅନ୍ତୁ ।ଅତୀତରେ ଓଡିଶା ବିଧାନସଭାର ଉପବାଚସ୍ପତି ଓଡ଼ିଶାରେ ଖଣିଜ ଲୁଟ୍ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏବଂ ବାଲେଶ୍ୱରର ସାଂସଦ ସୁବର୍ଣ୍ଣରେଖା ନଦୀରେ ବେଆଇନ ବାଲି ଖଣି ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ । ତମାମ ପ୍ରଚେଷ୍ଟା ସତ୍ତ୍ୱେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ, ଯାହା ଦର୍ଶାଉଛି ସରକାରୀ ପ୍ରରୋଚନାରେ ଓଡିଶା ସାରା ଖଣି ଲୁଟ ଚାଲିଛି । ଯାହା ଫଳରେ ଗୁରୁ ଖଣିଜ ରାଜସ୍ୱ ଆଦାୟ ୫୦ ହଜାର କୋଟିରୁ ଖସି ୩୪ ହଜାର କୋଟିରେ ପହଞ୍ଚିଛି । ସେହିଭଳି ଲଘୁ ଖଣିଜ ରାଜସ୍ୱ ଆଦାୟ ୧୪ ଶହ ୮୫ କୋଟିରୁ ଖସି ୬ ଶହ କୋଟିରେ ପହଞ୍ଚିଛି ।ଡ଼ ମହାନ୍ତି ଆହୁରି କହିଥିଲେ, ବିଜେପି ସରକାର ଖଣିଜ ଗର୍ଭା ଓଡିଶାକୁ ଯେପରି ଲୁଟ କରିଚାଲିଛି, ସମସ୍ତ ଖଣିଜ ସଂପଦ ଆଗାମୀ ୫ ବର୍ଷ ମଧ୍ୟରେ ଶେଷ ହୋଇଯିବ । ପ୍ରଥମେ ଏହି ଘଟଣାର ସଂଜ୍ଞାନ ନେଇ ବିସ୍ଫୋରଣ ଘଟାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ବେଆଇନ ବିସ୍ଫୋରଣ କରିଥିବାରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେଡି ଦାବି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking