aଯାଜପୁର: ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ କୋର୍ଟର ଭିଡିଓ କନଫରେନସିଂ ହଲଠାରେ ମାନସିକ ସ୍ଵାସ୍ଥ୍ୟ ଓ କାର୍ଯ୍ୟଚାପ ନିୟନ୍ତ୍ରଣ ସମ୍ବନ୍ଧୀୟ ଏକ ସମ୍ବେଦନଶୀଳ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଅଧ୍ୟକ୍ଷତା କରି ସ୍ବାଗତ ବକ୍ତବ୍ୟ ରଖିବା ସହ ଆଲୋଚ୍ୟ ବିଷୟର ସମୟୋପଯୋଗୀ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏଥିରେ ଅତିଥି ଆଲୋଚକ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ମିଶ୍ର ଓ ବିଶିଷ୍ଟ ରିସୋର୍ସ ପର୍ସନ ଭାବେ ମହାରାଜା ଯଯାତି କେଶରୀ ମେଡିକାଲ୍ କଲେଜର ମନୋବିଜ୍ଞାନ ବିଭାଗ ମୁଖ୍ୟ ଡାକ୍ତର ସୀମା ପରିଜା ଯୋଗଦେଇ ମାନସିକ ସ୍ଵାସ୍ଥ୍ୟର କାରଣ ଓ ନିରାକରଣ, ବ୍ୟକ୍ତିଗତ ଯତ୍ନ ଓ ଏଥିପାଇଁ ଉପଲବ୍ଧ ସରକାରୀ ବ୍ୟବସ୍ଥା ସମ୍ଵନ୍ଧରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ଷେତ୍ରରେ ଘରର ଗୃହିଣୀଠାରୁ ଆରମ୍ଭ କରି ଛାତ୍ର, ଶ୍ରମିକ ବିଭିନ୍ନ କାର୍ଯ୍ୟନିର୍ବାହୀ ବ୍ୟକ୍ତିବିଶେଷ କିପରି ନାନାଦି କାମ ଦ୍ଵାରା ଚାପଗ୍ରସ୍ତ ହେଉଛନ୍ତି ଏବଂ ଏପରି ଅବସ୍ଥା ଦୀର୍ଘ ସମୟ ଲାଗି ରହିଲେ ତାହା କିପରି ବ୍ୟାଧିରେ ପରିଣତ ହେଉଛି ସେ ବିଷୟରେ ଡାକ୍ତର ପରିଜା ବର୍ଣ୍ଣନା କରିଥିଲେ। କର୍ମଚାପରୁ ମୁକ୍ତିପାଇଁ ଦୈନଦିନ ଚଳଣି, ଖାଦ୍ୟପେୟ, ପଢ଼ାପଢ଼ି, ଟିଭି ଦେଖିବା ସହ ମୋବାଇଲ ବ୍ୟବହାରରେ ସୁଧାର ଆଣିବା ଭଳି କେତେକ ସରଳ ଉପାୟ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ ।ଅତିଥିମାନେ ସାମାଜିକ ସମ୍ପର୍କ ସହ ଯୋଗ ପ୍ରାଣାୟାମ ଓ ସଂଯମ ଆଚରଣକୁ ଆପେଣେଇବାକୁ ପରାମର୍ଶ ଦେଇଛନ୍ତି। ଏହି ସମୟୋପଯୋଗୀ ଆଲୋଚନା ଚକ୍ରକୁ ଅଧିକ ଶିକ୍ଷଣୀୟ ଓ ସଫଳ କରାଇବାରେ ବରିଷ୍ଠ ଦେଓ୍ଵାନୀ ବିଚାରପତି ସତ୍ୟପ୍ରକାଶ ରାୟ ଚୌଧୁରୀ, ସିଭିଲ କୋର୍ଟ ରେଜିଷ୍ଟ୍ରାର ମାନସ ରଞ୍ଜନ ସାମନ୍ତରାୟ, ଅତିରିକ୍ତ ବରିଷ୍ଠ ଦେଓ୍ବାନୀ ବିଚାରପତି ନେହା ଅଗ୍ରଓ୍ଵାଲ୍, ବରିଷ୍ଠ ସିଭିଲ୍ ଜଜ୍ ଆରଆଣ୍ଡଆଇଟିସି ଲୋପାମୁଦ୍ରା ବେହେରା, ଏସଡିଜିଏମ ସୁମିତ୍ରା ବିଶ୍ବାଳ ଓ ମୁନସଫ୍ ସୁନିତା ବିଶ୍ବାଳଙ୍କ ସକ୍ରିୟ ଯୋଗଦାନ ରହିଛି । ଏହି ଆଲୋଚନା ଚକ୍ରରେ ମିଡିଏଟର୍, ପିଏଲଭି, କନସିଲେଟର୍ ପ୍ରମୁଖ ଉପସ୍ଥିତ ଥିଲେ । ଆଲୋଚନା ଚକ୍ରର ସଂଯୋଜନା କରିଥିଲେ ପ୍ରାଧିକରଣର ସଚିବ ଲିପା ମହାନ୍ତି। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ କର୍ମଚାରୀ ସହଯୋଗ କରିଥିଲେ।










