ସାଣ୍ଟିଆଗୋ:ବିଶ୍ୱ ଦେଖିଲା ମହାବାତ୍ୟା । ଜମାଇକାରେ ତାଣ୍ଡବ ରଚିଲା ‘ମେଲିସା’ । ଆଟଲାଣ୍ଟିକ୍ରୁ ସୃଷ୍ଟି ସାମୁଦ୍ରିକ ଝଡ଼ବାତ୍ୟା ‘ମେଲିସା’ ବୁଧବାର ସକାଳେ ପୂର୍ବ କ୍ୟୁବାର ଚିଭିରିକୋ ସହର ନିକଟରେ ସ୍ଥଳଭାଗ ଛୁଇଁଥିଲା । କ୍ୟୁବା ସରକାର ଲକ୍ଷ ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିଥିବାରୁ ଏହି ସର୍ବାଧିକ ଶକ୍ତିଶାଳୀ ବାତ୍ୟାର ପ୍ରକୋପରୁ ଲୋକଙ୍କୁ ନିସ୍ତାର ମିଳିଛି । ତଥାପି ଭୟାନକ ଝଡ଼ରେ କାରିବିଆନ୍ରେ ୨୫ ରୁ ଅଧିକ ଜଣଙ୍କ ଜୀବନ ଯାଇଛି । ସେହିପରି ଜାମାଇକାରେ ୪ ଜଣ, ହାଇତିରେ ୨୦ ଏବଂ ଡୋମିନିକାନ୍ ରିପବ୍ଲିକ୍ରେ ଜଣେ ପ୍ରାଣ ହରାଇଛନ୍ତି। ‘ ଜମାଇକାରେ ଲ୍ୟାଣ୍ଡଫଲ୍ ସମୟରେ ଘଣ୍ଟା ପ୍ରତି ୩୦୦ କିଲୋମିଟର ବେଗରେ ପବନ ବୋହିବା ସହ ସମୁଦ୍ରରୁ ପ୍ରାୟ ୧୦ଫୁଟ ଉଚ୍ଚ ପର୍ଯ୍ୟନ୍ତ ଜୁଆର ଉଠିଥିଲା। ଏହି ଘୂର୍ଣ୍ଣିବଳୟ ଚିଭିରିକୋର ପୂର୍ବରେ ୩୨ କିଲୋମିଟର ଓ କ୍ୟୁବାର ଗୁଆଣ୍ଟାନାମୋର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରାୟ ୯୭ କିଲୋମିଟର ଦୂରରେ କେନ୍ଦ୍ରିତ ହୋଇଥିଲା। ‘ମେଲିସା’ ପ୍ରଭାବରେ ଅନେକ ଅଞ୍ଚଳରେ ଭୟଙ୍କର ବନ୍ୟା ବି ହୋଇଛି ।
ଜାମାଇକାର ବିପର୍ଯ୍ୟୟ ପରିଚାଳନା ପରିଷଦର ଉପାଧ୍ୟକ୍ଷ ଡେସମଣ୍ଡ ମ୍ୟାକେଞ୍ଜି କହିଛନ୍ତି ଯେ ଦକ୍ଷିଣ ଜାମାଇକାର କ୍ଲାରେଣ୍ଡନ୍ ସହର ଏବଂ ସେଣ୍ଟ୍ ଏଲିଜାବେଥ୍ର ଦକ୍ଷିଣ-ପଶ୍ଚିମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଗ୍ରାନ୍ମା, ସାଣ୍ଟିଆଗୋ ଡି କ୍ୟୁବା, ଗୁଆଣ୍ଟାନାମୋ, ହୋଲଗୁଇନ୍ ଓ ଲାସ୍ ଟୁନାସ୍ ପ୍ରଦେଶ ପାଇଁ ବାତ୍ୟା ଚେତାବନୀ ଜାରି କରାଯାଇଥିଲା। କୁହାଯାଉଛି ଆଣ୍ଟଲାଟିକ ଇତିହାସରେ ୧୮୫୧ରୁ ଏଭଳି ଶକ୍ତିଶାଳୀ ହରିକେନ କେବେ ସୃଷ୍ଟି ହୋଇନଥିଲା । ଏହାକୁ କ୍ୟାଟେଗୋରୀ-୫ର ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି । ୧୯୯୯ରେ ଓଡ଼ିଶାରେ ହୋଇଥିବା ମହାବାତ୍ୟାଠାରୁ ବହୁଗୁଣରେ ଶକ୍ତିଶାଳୀ ମେଲିସା। ଲ୍ୟାଣ୍ଡଫଲ ପୂର୍ବରୁ ଆମେରିକା ବାୟୁସେନାର ହରିକେନ ହଣ୍ଟର ଟିମ୍ ମେଲିସାର ଆଖି ଭିତରକୁ ପଶି ତାହାର ଫଟୋ ଓ ଭିଡିଓ ରେକର୍ଡ କରିଥିଲେ, ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି। ମେଲିସାକୁ ନେଇ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଜାମାଇକାରେ ହାଇଆଲର୍ଟ ଜାରି କରାଯାଇଛି ।










