ଯାଜପୁର: ଆଜି ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ଦଳ ଦ୍ଵାରା ପ୍ରତି ବୁଥରେ ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯାଜପୁର ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏଥି ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ୨୧ ତାରିଖରେ ରାଜନୈତିକ ଦଳମାନଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ନିର୍ବାଚନରେ ସ୍ବଚ୍ଛତା ପାଇଁ ନିର୍ଭୁଲ ଭୋଟର ତାଲିକାର ଭୂମିକା ବିଷୟରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଲୋକପାତ କରିଥିଲେ। ଜିଲ୍ଲାର ପ୍ରତି ବୁଥରେ ରାଜନୈତିକ ଦଳଙ୍କ ଦ୍ଵାରା ବିଏଲଏ ନିଯୁକ୍ତି କରିବା ପ୍ରକ୍ରିୟା ନେଇ ଫର୍ମ ୧ ଓ ଫର୍ମ ୨ ବିଷୟରେ ଜିଲ୍ଲାପାଳ ଶ୍ରୀମତୀ ରେଡ୍ଡୀ ବୁଝାଇଥିଲେ। ଭୋଟର ତାଲିକାରେ ଯୋଗ, ବିୟୋଗ, ସଂଶୋଧନ, ସ୍ଥାନାନ୍ତର ଆଦି ପାଇଁ ବିଏଲଏ ମାନେ ବିଏଲଓ ମାନଙ୍କ ସହ ମିଶି କାର୍ଯ୍ୟ କରିବା ଉପରେ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ବୁଝାଇ ଦିଆଯାଇଥିଲା। କାର୍ଯ୍ୟକ୍ରମର ସଂଯୋଜକ ଡେପୁଟି କଲେକ୍ଟର ତଥା ନିର୍ବାଚନ ଶାଖା ଅଧିକାରୀ ଶ୍ରୀମତୀ ଦିପ୍ତିମୟୀ ବେହେରା ବୈଠକର ଆଭିମୁଖ୍ୟ ଓ ଗୁରୁତ୍ବ ଉପରେ ଆଲୋକପାତ କରି ବୈଠକର ଉପସ୍ଥିତ ସମସ୍ତ ଦଳୀୟ କର୍ମକର୍ତ୍ତା ମାନଙ୍କୁ ନିର୍ଦ୍ଧାରିତ ଫର୍ମ ଯୋଗାଇ ଦେଇଥିଲେ। ନିର୍ବାଚନ କମିଶନ ଓ ଭାରତର ଏକକ ପରିଚୟ ପତ୍ର ପ୍ରକରଣ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସହମତି କ୍ରମେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ଲିଙ୍କ କରାଯିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା। ବୈଠକରେ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଆଗାମୀ ୧୫ ଦିନ ମଧ୍ୟରେ ବିଏଲଏ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ, ଉପ ଜିଲ୍ଲାପାଳ ଶ୍ରୀ ଲମ୍ବୋଦର ଖୁଣ୍ଟିଆ, ସମସ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ, ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ, ଡେପୁଟି କଲେକ୍ଟର ପ୍ରମୁଖ ବୈଠକରେ ଅଂଶ ଗ୍ରହଣ କରିଥିଲେ।ବୁକ୍ତ ବୈଠକରେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଦୁର୍ଯ୍ୟୋଧନ ବେହେରା, ଭାରତୀୟ ଜନତା ପାର୍ଟି ର କଳିଙ୍ଗ କେଶରୀ ମହାନ୍ତି, ବିଜୁ ଜନତା ଦଳ ତରଫରୁ ସରୋଜ କୁମାର ମହାପାତ୍ର, ଆପ ତରଫରୁ ପୁଲିନ୍ ବିହାରୀ ଖୁଣ୍ଟିଆ, ବିଏସପି ତରଫରୁ ଅକ୍ଷୟ କୁମାର ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।